ଜଟଣୀରେ ଦାନ ଓ ଧର୍ମର ପର୍ବ ଇଦ୍ ଉଲ୍ଳ ଫିତର ପାଳିତ l

ଜଟଣୀ: ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ତଥା ଦାନ ଓ ଧର୍ମର ପର୍ବ ଇଦ୍ ଉଲ୍ଲ ଫିତର ଜଟଣୀର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳନ ହୋଇଯାଇଛି। ମୁସଲମାନ ସଂପ୍ରଦାୟର ପୁରୁଷ,ମହିଳା ଓ ପିଲାଛୁଆ ସମସ୍ତେ ଏକ ମାସ ରୋଜା (ଉପବାସ) ରଖିବା ପରେ ଆଜି ଇଦ୍ ପର୍ବ ପାଳନ କରିଥିଲେ। ଏନେଇ ଏକ ମାସ ପର୍ଯ୍ୟନ୍ତ ଜଟଣୀ ସହର ଏବଂ ସମସ୍ତ ମସଜିଦ ଗୁଡ଼ିକ ଚଳଚଞ୍ଚଳ ରହିଥିଲା। ଏହାକୁ ଦାନ ଓ ଧର୍ମର ପର୍ବ ବୋଲି କୁହାଯାଉଛି। ପ୍ରତ୍ୟେକ ବ୍ୟକ୍ତି ଅସହାୟ ଗରିବ ଶ୍ରେଣୀର ଲୋକମାନଙ୍କୁ ଫିତରା ଅର୍ଥାତ୍ କିଛି ଟଙ୍କା ଦାନ ଦେବାର ପ୍ରଥା ରହିଥିବା ବେଳେ ନିଜ ପାଖରେ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ସୌଖିନ ସାମଗ୍ରୀ ସୁନା ଓ ରୁପା ଅଳଙ୍କାର ଆଦି ପାଇଁ ଯକାତ୍ ବାବଦରେ ଦାନ ଦେବାର ପରମ୍ପରାକୁ ପାଳନ କରାଯାଇଛି। ସମସ୍ତ ମୁସଲମାନ ସଂପ୍ରଦାୟର ଲୋକମାନେ ଦାନ ଦେଇ ଇଦ୍ ନମାଜ ପାଠ କରିବାକୁ ଆସିଥିଲେ।ସୋମବାର ଜଟଣୀ ସହରର ୬ଟି ମସଜିଦ ସମେତ ବେଣାପଞ୍ଜରିର ୨ଟି ମସଜିଦ ଓ ଇଦଗାହ୍ ଏବଂ ତରାବୋଇ ଓ ରଥିପୁର ଆଦି ଗ୍ରାମରେ ଥିବା ମସଜିଦ ଓ ଇଦଗାହରେ ନମାଜ ପାଠ କରାଯାଇଥିଲା। ସମସ୍ତ ନମାଜିମାନେ ନୂତନ ବସ୍ତ୍ର ପରିଧାନ କରି ଇଦ୍ମା ନମାଜ ପଢିବାକୁ ଆସିଥିବା ଦେଖିବାକୁ ମିଳିଥିଲା । ନମାଜ ପାଠ ପରେ ନିଜ ନିଜର ମୌଲବୀ ମାନଙ୍କ ଦ୍ଵାରା ବିଶ୍ଵର କଲ୍ୟାଣ ନିମନ୍ତେ ଆଲ୍ଲାଙ୍କ ନିକଟରେ ଦୁଆ (ପ୍ରାର୍ଥନା) କରାଯାଇଥିଲା। ଶେଷରେ ଜଣେ ଅନ୍ୟଜଣଙ୍କ ସହିତ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ଜଣାଇଥିଲେ।

Leave a Reply

Your email address will not be published. Required fields are marked *