ଏ ସଂସାର ଆନନ୍ଦ ବଜାର
ଏ ସଂସାର ଆନନ୍ଦ ବଜାର
( ରାଗ — ଚୋଖି )
🖊️କବିରତ୍ନ ନୂତନ କୁମାର ବେହେରା
ହେ ପ୍ରଭୁ ସଚ୍ଚିଦାନନ୍ଦ ତୁମେ ତ ଆନନ୍ଦ କନ୍ଦ
ଷୋହଳ କଳାରେ ସିଦ୍ଧ ବୁଦ୍ଧ ମହାନ,
ଶ୍ରୀକ୍ଷେତ୍ରେ ତୁମର ଶିରୀ ଶ୍ରୀମନ୍ଦିରେ ଅଛି ପୂରି
ଭକତର ମନ ଜାଣି କର ବିଧାନ,
ତୁମେ ଯେ ଅଗତିର ଗତି
ଆନନ୍ଦେ ପାଳି ସକଳେ ଦିଅ ମୁକତି।୧।
ବିଶ୍ଵ ବ୍ରହ୍ମାଣ୍ଡ ତୁମର ଅଟେ ଆନନ୍ଦ ବଜାର
ସଚରାଚର ରୁହନ୍ତି ସାତ୍ତ୍ୱିକ ସୁଖେ,
ଜୀବନ ନିର୍ବାହ ଲାଗି ହୁଏ ଯିଏ ଅନୁରାଗୀ
ତୁମ ଆଶିଷେ ତା’ ହସ ଫୁଟଇ ମୁଖେ,
ତୁମେ ହିଁ ଜୀବର ଜୀବନ
ଆନନ୍ଦେ ଆନନ୍ଦ ଦିଅ ନାଚେ ଭୁବନ।୨।
ବୁଲି ଚାରିପାଖ ବେଢ଼ା ଭକତ ଭୁଞ୍ଜେ ଅବଢ଼ା
ଦର୍ଶନ କରି ନୟନେ ପାଏ ଆନନ୍ଦ,
ପାଇ ସେ ମହାପ୍ରସାଦ ଭୁଲିଯାଏ ଅବସାଦ
ମନେ ପ୍ରାଣେ ରହେ ନାହିଁ ତାର ବିଷାଦ,
ତୁମେ ପ୍ରଭୁ ପରମାନନ୍ଦ
ଜୀବନ ଗୀତିର ତାଳ ଲୟ’ର ଛନ୍ଦ।୩।
ଜୀବ ଯେ ଛପନ କୋଟି ଖାଦ୍ୟ ବାବନ ପଉଟି
ଯୋଗାଇ ଦିଅ ସଭିଙ୍କୁ ଘୁଞ୍ଚେ ଅଭାବ,
କରୁଣା କର ଅଶେଷ ଜଗତେ ତୁମେ ବିଶେଷ
ଭାବେ ହୋଇ ଭାବଗ୍ରାହୀ ରଚିଛ ଭବ,
ଅପାର ମହିମା ତୁମର
ହୃଦେ କଲେ ଅନୁଭବ ହୁଏ ସାକାର।୪।
ଭୂମିରୁ ଭୂମା ସର୍ବତ୍ର ତୁମ କୃପାରେ ପବିତ୍ର
ତୁମେ ସର୍ବମୟ କର୍ତ୍ତା ସାରା ଜଗତେ,
ପତିତ ଜନର ସାହା ହୋଇ ଦେଖାଉଛ ରାହା
ଆଶ୍ରା କରି ତରି ଯା’ନ୍ତି ତୁମ ଭକତେ,
ତୁମେ ତ ଭାବର ଠାକୁର
ତୁମେ ମହାପ୍ରଭୁ ସତ୍ୟ ଶିବ ସୁନ୍ଦର।୫।
ସତ୍ୟ ଧର୍ମ ନ୍ୟାୟ ପାଳି ଯେଉଁ ଜନ କରେ ଅଳି
ତୁମେ ରଖି ତାର ମାନ ଦିଅ ଅଭୟ,
ଦୁଃଖ ତାର ହୁଏ ଦୂର ରହେ ସେ ଶାନ୍ତ ଉଦାର
କାର୍ଯ୍ୟ ସିଦ୍ଧି କରି ସିଏ ହୁଏ ବିଜୟ,
ତୁମେ ହିଁ ସଂସାର ପାଳକ
ଅଜ୍ଞାନ ଅନ୍ଧାର ନାଶି ଦିଏ ଆଲୋକ।୬।
ତୁମ ପାଇଁ ଏ ସଂସାର ହୁଏ ଆନନ୍ଦ ବଜାର
ନୀଳଚକ୍ରେ ଉଡ଼େ ବାନା କର କଲ୍ୟାଣ,
ତୁମେ ପ୍ରଭୁ ଜଗନ୍ନାଥ ପୂର୍ଣ୍ଣକର ମନୋରଥ
ଯିଏ ଯାହା ତୁମ ପାଶେ କରେ ଜଣାଣ,
ଚରଣେ ତୁମର ପ୍ରଣାମ
ମୋକ୍ଷ ପ୍ରାପ୍ତିରେ ସାର୍ଥକ ହେଉ ଜନମ।୭।
କୋହି,ବାରିପଦା,ମୟୂରଭଞ୍ଜ।
