ପଞ୍ଚଭୂତ
     ( ରାଗ — ବଙ୍ଗଳା ଶ୍ରୀ )

🖊️କବିରତ୍ନ ନୂତନ କୁମାର ବେହେରା

ଅଖଣ୍ଡ ମଣ୍ଡଳ         ବିଶ୍ଵର ଭୂଗୋଳ
           ଅନାଦି କାଳରୁ ସୃଷ୍ଟି,
ବିଶାଳ ଆକାର        ଅନନ୍ତ ସଂସାର
         ବ୍ୟଷ୍ଟିରୁ ତାର ସମଷ୍ଟି।
ପାଞ୍ଚଟି ମୌଳିକ       ଉପାଦାନ ଏକ
         ହେବାରୁ ଯେ ପଞ୍ଚଭୂତ,
ସୃଷ୍ଟିର ସୁରକ୍ଷା        କରିବାକୁ ଦୀକ୍ଷା
         ନେଇଛନ୍ତି ସ୍ବେଚ୍ଛାକୃତ।
      ୧.( କ୍ଷିତି/ ପୃଥିବୀ ବା ସ୍ଥଳ )
କ୍ଷିତିରୁ ଉତ୍ପତ୍ତି        ବିକାଶରେ ବ୍ୟାପ୍ତି
            ସକଳ ଜୀବ ଜଗତ,
ସଜୀବ ନିର୍ଜୀବ          ପାର୍ଥିବ ବିଭବ
            ସମୂହ ସାଥେ ଜଡ଼ିତ।
ସବୁରି ଜୀବନ          କରଇ ପାଳନ
          ଋତୁ କ୍ରମେ ରଖି ସାମ୍ୟ,
ସୁନ୍ଦର ପ୍ରକୃତି      ତା’ କୋଳେ ସାଇତି
          କରିଥାଏ ସଦା ରମ୍ୟ।
            ୨. ( ଅପ୍/ ଜଳ )
ବୃଷ୍ଟି ହୋଇ ଝରେ       ଅବନି ଉପରେ
            ଜନ୍ମ ହୁଅନ୍ତି ପାଦପ,
ଜୀବଜନ୍ତୁ ପକ୍ଷୀ      ମାନବ ତା’ ସାକ୍ଷୀ
         ନେଇଥାନ୍ତି ନାନା ରୂପ।
ଜଳ ହିଁ ଜୀବନ        ମୁଖ୍ୟ ଉପାଦାନ
            କ୍ଷିତିକୁ କରେ ସମୃଦ୍ଧ,
ତାର ବିନା ମରୁ        ଗୁଳ୍ମ ଲତା ତରୁ
            ହୁଅନ୍ତି ସର୍ବଦା ଦଗ୍ଧ।
  ୩. ( ତେଜଃ/ଆଲୋକ,ଉତ୍ତାପ )
ଅନ୍ଧାରକୁ ନାଶି        ଆଲୋକ ପ୍ରକାଶି
           କରିଥାଏ ଦୃଶ୍ୟମାନ,
ସୂର୍ଯ୍ୟ ଚନ୍ଦ୍ର ତାରା     ତେଜେ ବସୁନ୍ଧରା
           ହୋଇଥାଏ ଦୀପ୍ତିମାନ।
ଉତ୍ତାପର ବଳେ       ଏ ଜଗତ ଚଳେ    
           ରନ୍ଧନେ ହୁଏ ଇନ୍ଧନ,
ତାପ ବିନା ଜଡ଼      ମାଡ଼ି ଆସେ ଜାଡ଼
           ଯନ୍ତ୍ରଣା ପାଏ ଜୀବନ।
             ୪. ( ମରୁତ୍/ ବାୟୁ )
ଜୀବନର ଆୟୁ       ଶ୍ଵାସକ୍ରିୟା ବାୟୁ
           ପିଣ୍ଡେ ରଖିଥାଏ ପ୍ରାଣ,
ସମଗ୍ର ଭୁବନେ ତାର ସଞ୍ଚାଳନେ
            ଆସିଥାଏ ଜାଗରଣ।
ମୃଦୁ ପ୍ରବାହେ       ହୃଦୟକୁ ମୋହେ
           ତୀବ୍ର ହେଲେ ହୁଏ ଝଡ଼,
ଜୀବନେ ଆତଙ୍କ       ବିପତ୍ତି ଅନେକ
          ଆଣି ଦେଇଥାଏ ମାଡ଼।
      ୫. ( ବ୍ୟୋମ/ ଆକାଶ )
ଆକାଶର ବୃଷ୍ଟି      ପାଳି ରଖେ ସୃଷ୍ଟି
           ଶୂନ୍ୟରୁ ହୁଅଇ ପୂର୍ଣ୍ଣ,
ଜଳ ସ୍ଥଳ ବାୟୁ     ତେଜେ ପରମାୟୁ
           ରସେ ରଙ୍ଗେ ବହୁ ବର୍ଣ୍ଣ।
ପଞ୍ଚଭୂତେ ଗଢ଼ା      ଶରୀରର ବେଢ଼ା
             ପାଇବାକୁ ଶାନ୍ତି ତୃପ୍ତି,
ସମନ୍ଵୟେ ସୁଖ      ପ୍ରଦୂଷଣେ ଦୁଃଖ
             ଜୀବନ ହୁଏ ସମାପ୍ତି।

   କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *