ପ୍ରକୃତି – ଚିଲିକା ସୁରକ୍ଷା ପାଇଁ ଆଲୋଚନାଚକ୍ର।
ବ୍ରହ୍ମଗିରି , ୯/୪ : ହରିଶ୍ବରଦେବ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ଯାଳୟ ପଣସପଦାସ୍ଥ ଇକୋକ୍ଳବ ତରଫରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରକୃତି ସୁରକ୍ଷା ପାଇଁ ପଦଯାତ୍ରା କରୁଥିବା ପଦଯାତ୍ରୀ ଦଳକୁ ବିଦ୍ଯାଳୟ ପରିସରରେ ସ୍ବାଗତ କରାଯାଇଥିଲା। ନୀଳାମ୍ବୁ ଚିଲିକା ସହାତ ପ୍ରକୃତି ସୁରକ୍ଷା ଏବଂ ପଲିଥିନ ପ୍ଲାଷ୍ଟିକର ଭୟାବହତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶରତ କୁମାର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ପରିବେଶବିତ୍ ଶ୍ରୀ ଚିତ୍ତରଞ୍ଜନ ଷଡଙ୍ଗୀ, ଅନ୍ଯ ଅତିଥିମାନେ ଯୋଗଦେଇ କହିଥିଲେ ପ୍ରକୃତି ଉପରେ ମଣିଷର ଅତ୍ଯାଚାର ସୀମା ଲଙ୍ଘନ କରୁଛି। ପ୍ରକୃତିକୁ ହତ୍ଯା କରିବାକୁ କାର୍ଯ୍ୟକ୍ରମ କରିଚାଲିଛି ମଣିଷ। ଆମେ ହେଉଛି ପ୍ରକୃତି ମାତାର ସନ୍ତାନ। ପ୍ରକୃତିବିନା କ୍ଷଣେ ବଞ୍ଚିବା ସମ୍ଭବ ନୁହଁ। ପ୍ରକୃତିଦତ୍ତ ମାଟି, ପାଣି, ପବନ, ବୃକ୍ଷଲତା ଜଙ୍ଗଲ ,ନଦୀ ଆଦି ଆମ ଜୀବନର ଆଧାର । ଅଂଶ ବିଶେଷ। ମାତ୍ର ଯେଉଁ ପ୍ରକୃତି ଆମକୁ ମାଆ ପାଳନ ପୋଷଣ କରୁଛି ସେହି ପ୍ରକୃତିର ଆମେ ଅନିଷ୍ଟ କରୁଛି। ଫଳରେ ବହୁ ଦୁର୍ବିପାକ ଘଟୁଛି। ବିଶ୍ବତାପାୟନ, ଜଳବାୟୁ ପରିବର୍ତ୍ତନ, ଅମ୍ଳବୃଷ୍ଟି , ବର୍ଷାହୀନତା ଆଦି ବିପର୍ଯ୍ୟୟର ବ୍ୟାପକତା ଦେଖା ଦେଇଛି। ବିଦ୍ଯାଳୟର ଛାତ୍ରଛାତ୍ରୀମାନେ ଚିଲିକା ଉପରେ ମତରଖି କହିଥିଲେ ଚିଲିକା ହେଉଛି ପ୍ରକୃତିର ବରଦାନ। ଚିଲିକାର କ୍ଷତି କରିବା ମଣିଷର ଅବା ସରକାରଙ୍କର କୌଣସି ଅଧିକାର ନାହିଁ। ହେଲେ ଚିଲିକା ଉପରେ ମଣିଷ ଅବିଚାରିତ ଭାବରେ ଅତ୍ଯାଚାର କ୍ଷତି କରିଚାଲିଛି। ଅପରୂପା ନୈସର୍ଗିକ ରୂପଲାବଣ୍ୟ ଭରା ଚିଲିକା ମଣିଷ ଯୋଗୁଁ ତାର ସକଳ ଶୋଭା ହରାଇ ମରିବାକୁ ବସିଲାଣି। ପିଲାମାନଙ୍କ ଦାବୀଥିଲା ଚିଲିକା ପୂର୍ବରୁ ଯେପରି ଥିଲା ସେହି ଅବସ୍ଥା ଫେରାଇ ଆଣି ଭବିଷ୍ୟତ ପାଇଁ ସୁରକ୍ଷିତ ରଖିବାକୁ ହେବ। ଇକୋକ୍ଳବର ପିଲାମନେ ନିଜେ ତିଆରି କରିଥିବା ବ୍ଯବହୃତ ପ୍ଲାଷ୍ଟିକରେ ତିଆରି ଉପକରଣ, କନାରେ ତିଆରି ବ୍ୟାଗ ପଦଯାତ୍ରୀ ଦଳକୁ ପ୍ରଦାନ କରିଥିଲେ। ଆଲୋଚନାଚକ୍ରରେ ତପୋଭୂମି ଟ୍ରଷ୍ଟର ସୁଶ୍ରୀ ଚିତ୍ରରୂପା, ଅଧ୍ଯାପକ ରଣଜିତ ଶାମଲ, ଶ୍ରୀ ଦୟାସାଗର ନାୟକ, ଶ୍ରୀ ଜଗତାନନ୍ଦ ପ୍ରଧାନ, ଶ୍ରୀ ସୁକାନ୍ତ କୁମାର ପ୍ରଧାନ, ଶ୍ରୀ ମତଲୁବ ମହମ୍ମଦ ଶ୍ରୀ ବିଜୟ କୁମାର ସାହୁ ପ୍ରମୁଖ ବକ୍ତବ୍ଯ ରଖିଥିଲେ। ଇକୋଶିକ୍ଷକ କାଶୀନାଥ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
