ମା ଦଣ୍ଡକାଳୀଙ୍କ ୧୩ ଦଣ୍ଡ ମହାମେଳଣ
ଚୈତ୍ର ମାସରେ ଦଣ୍ଡ ଯାତ୍ରା । ଏହି ଅବସରରେ ଗଣିଆ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁଙ୍କ କଲେଜ ରୋଡ଼ ସ୍ଥିତ ବିନ୍ଧ୍ୟଗିରୀ ବାସଭବନରେ ମା ଦଣ୍ଡକାଳୀଙ୍କ ୧୩ ଦଣ୍ଡ ମହାମେଳଣ ଅନୁଷ୍ଠିତ ହୋଇଯାଇଛି । ଏହି ମେଳଣରେ ଗଣିଆ ବ୍ଳକର ଜଗନ୍ନାଥ ପ୍ରସାଦ,କରଡାପଡା,ନଅ ମୈଜା,ଗଣିଆ, କିଶୋର ପ୍ରସାଦ,ବିଜୟନଗର,ବେଲପଡାପାଟଣା, ଓ୍ବାଲିପୁର,ରାସଙ୍ଗ, ଡଙ୍କାରିସାହି,ରାଜିଙ୍ଗି, ଛାମୁଣ୍ଡିଆ, ବଡମୂଳ ଆଦି ୧୩ ଶମ୍ଭୁ ଯୋଗଦାନ କରିଥିଲେ । ସକାଳ ସମୟରୁ ବନ୍ଦାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୩ ଦଣ୍ଡକାଳୀଙ୍କୁ ଜଣ ଜଣ କରି ବନ୍ଦାଣ କରିବା ପରେ ଅପରାହ୍ନରେ ଧୂଳିଖେଳ ହୋଇଥିଲା । ଯାହାକି ଅତ୍ୟନ୍ତ ମନୋମୁଗ୍ଧକର ତଥା ହୃଦୟସ୍ପର୍ଶି ଥିଲା । ଧୂଳିଖେଳ ସାରି ସ୍ଥାନୀୟ ଜଳାଶୟରେ ସ୍ନାନ କରି ସ୍ଥାନୀୟ ଗଣିଆ କାମେନା ଘର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ୧୩ ଦଣ୍ଡର ଭଗତା ମାନେ ବାହାରିଥିଲେ ।

ଗଣିଆ ରଘୁନାଥ ମନ୍ଦିର ଠାରେ ହରିହର ଭେଟ ପରେ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲା । ମେଳଣରେ ଭକ୍ତ ମାନଙ୍କ ପାଇଁ ସନ୍ଧ୍ୟା ସମୟରେ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିବା ସହିତ ପ୍ରାୟ ୩ ହଜାରରୁ ଅଧିକ ଭକ୍ତ ଯୋଗଦେଇ ପ୍ରସାଦ ସେବନ କରିଥିଲେ । ରାତ୍ର ୧୦ ଘଟିକା ଠାରୁ ବିଭିନ୍ନ ସୁଆଙ୍ଗରେ ଦଣ୍ଡ ନୃତ୍ୟ ପରିବେଷଣ କରାଯିବା ପାଇଁ ସ୍ଥିରୀକୃତ ହୋଇଥିଲା । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ସଦାଶିବ ମିଶ୍ର ବିଭିନ୍ନ ଗ୍ରାମର ସଭାପତି, ତଥା ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ, ଯୁବଗୋଷ୍ଠୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସଂପୂର୍ଣ୍ଣ ସହଯୋଗ କରିଥିଲେ । ବିଧାୟକ ଶ୍ରୀ ବେହେରା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ । ଦଣ୍ଡନୃତ୍ୟ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଶାନ୍ତି ଶୃଙ୍ଖଳାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିବାରୁ ଆୟୋଜକ ଶେଷଦେବ ସ୍ବାଇଁ ସମସ୍ତ ସହଯୋଗୀ ମାନଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଥିଲେ ।
