ଶ୍ରୀକ୍ଷେତ୍ର ଛାଡ଼ି ଯିବିନି
ଶ୍ରୀକ୍ଷେତ୍ର ଛାଡ଼ି ଯିବିନି
ଗୋଲୋକବିହାରୀ ବେହେରା
ତୁମ ଶ୍ରୀଅଙ୍ଗରେ ଚନ୍ଦନ ଲେପିବି
ତୁଳସୀ ବାନ୍ଧିବି ଭୁଜେ,
ଭକତି ଲୁହରେ ଚରଣ ଧୋଇବି
ସିଂହାସନେ ଥିବେ ବିଜେ ।
ପରିକ୍ରମା କରି ମନ୍ଦିର ବେଢାରେ
ଜପୁଥିବି ପ୍ରଭୁ ନାମ,
ଲକ୍ଷ୍ମୀ ମା ମନ୍ଦିରେ ବିଶ୍ରାମ କରିବି
ଖାଇବି ଅବଢ଼ା ଅନ୍ନ ।
ଶିରୀକ୍ଷେତ୍ର ଛାଡି କୁଆଡେ ଯିବିନି
ଚାହିଁ ପତିତପାବନ,
ଭକତଙ୍କ ସେବା ପୂଜା କରୁଥିବି
ତୁମ ପାଖେ ଥିବ ମନ ।
ତୁମେ ମୋର ଶିକ୍ଷା ତୁମେ ମୋର ଦୀକ୍ଷା
ତୁମେ ତ ପରମ ଗୁରୁ,
ମାୟା ବଂଧନରୁ ମୁକତି କର ହେ
ମୋ ଅଜ୍ଞାନ ଅପସରୁ ।
ହୃଦୟ ମନ୍ଦିରେ ବିରାଜିତ ତୁମେ
ହେ ପ୍ରଭୁ ଚକା ନୟନ,
ଥରେ ଦେଖା ଦେବ ହେ କଳା ଠାକୁର
ଯେବେ ଯିବ ମୋ ପରାଣ ।
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ: ୯୯୩୮୩୦୩୦୪୬
