ଆତଙ୍କୀ ଆକ୍ରମଣକୁ ଦୃଢ଼ ନିନ୍ଦାକଲା ନିମାପଡ଼ା ପ୍ରେସକ୍ଲବ।
ନିମାପଡା(ତୀର୍ଥକ୍ଷେତ୍ରନିବେଦିତା) ଜମ୍ମୁକାଶ୍ମୀର ପହଲଗାମକୁ ବୁଲିବାକୁ ଯାଇଥିବା ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣା ରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି। ସବୁ ମହଲରୁ ତୀବ୍ର ନିନ୍ଦା କରାଯାଉଥିବା ବେଳେ ନିମାପଡ଼ା ପ୍ରେସକ୍ଲବ ପକ୍ଷରୁ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି। ସୂଚନା ମୁତାବକ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପହଲଗାମରେ ମଙ୍ଗଳବାର ଦିନ ପର୍ଯ୍ୟଟକଙ୍କ ଉପରେ ବର୍ବର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ଏବଂ ପରିଚୟପତ୍ର ଯାଞ୍ଚ କରି ଗୁଳିମାରିବା ଘଟଣା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଆକ୍ରମଣର ଶିକାର ହୋଇଥିବା ଓଡ଼ିଆ ପର୍ଯ୍ୟଟକ ଥିବା ମଧ୍ୟ ସୂଚନା ମିଳିଛି।

ମୃତକଙ୍କ ମଧ୍ୟରେ ବାଲେଶ୍ବର ସହର ଉପକଣ୍ଠ ସଦରଥାନା ସାରଗାଁ ପଞ୍ଚାୟତ ଇଶାଣି ଗ୍ରାମର ୪୧ବର୍ଷୀୟ ପ୍ରଶାନ୍ତ କୁମାର ଶତପଥୀ ଅଛନ୍ତି। ଦେଶର କୋଣ ଅନୁକୋଣରୁ ଉକ୍ତ ଘଟଣାକୁ ନିନ୍ଦା, ବିରୋଧ କରାଯାଇଛି। ଏ ନେଇ ନିମାପଡ଼ା ପ୍ରେସକ୍ଲବର କାର୍ଯ୍ୟକାରୀ କମିଟିର ଏକ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ବୈଠକରେ ସଭାପତି ଅକ୍ଷୟ ବେହେରା ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସଂପାଦକ ରମାକାନ୍ତ ବେହେରା, ସଂଗଠନ ସମ୍ପାଦକ ସୁଦର୍ଶନ ବେହେରା, କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ ବେହେରା, ସଭ୍ୟ ପ୍ରଫୁଲ୍ଲ କର, ପ୍ରତାପ ପଣ୍ଡା, ନିବେଦିତା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରୁ ଆତଙ୍କବାଦୀ ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିଲା। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ସମସ୍ତ ସଦସ୍ୟ ମତବ୍ୟକ୍ତ କରିଥିଲେ।
