ଗର୍ବରେ କହିବି ମୁଁ ଓଡିଆ

            ଗର୍ବରେ କହିବି ମୁଁ ଓଡିଆ
                        ରଞ୍ଜୁଲତା ପାଢୀ
          
    ଯା’ ପାବନକୋଳେ ଜନମ ଲଭିଛି
         ସେହି ମୋ ଉତ୍କଳଭୂଇଁ
   ମାଟିରେ ମାଟିରେ ଚନ୍ଦନ ଲେପନ
         ନଭକୁ ଯାଏ ଯା’ ଛୁଇଁ ।

   ଜାତି କର୍ଣ୍ଣଧାର   ମହା ମହାବୀର
         ଯାଇଛନ୍ତି ସିନା ଶୋଇ
   ତାଙ୍କରି ଶୋଣିତ  ରୁଧିର ଶରୀରେ
          ଉଠିଅଛି ଆଜି ଚେଇଁ।

    ଖଣ୍ଡ ବିଖଣ୍ଡିତ  ଶରୀରେ ରୋଦନ
         କରୁଥିଲା ଯେଉଁ ଭୂଇଁ
     ମହାମାନବଙ୍କ  ଆପ୍ରାଣ ଚେଷ୍ଟାରେ
          ଶିଖର ଗଲା ସେ ଛୁଇଁ।
  
    ସ୍ୱତନ୍ତ୍ର ଉତ୍କଳ  ପ୍ରଦେଶ ଗଠନେ
          ବଜ୍ର ଶପଥ ଯା’ଧ୍ୱନି
    ଭାଷା ଆନ୍ଦୋଳନେ ଚେଷ୍ଟା ପ୍ରାଣପଣେ
           ହସିଉଠିଲା ମେଦିନୀ।
  
   ରମ୍ୟ ଚେତନାର  ଭାଷା ଯାଦୁଗର
        ଯେ  ମୁଖ୍ୟ ପୁରୋଧା ଗଣ
   ମଧୁ ଗୋପବନ୍ଧୁ  କୃଷ୍ଣ ଗଙ୍ଗାଧର
          ଫକୀର ମୋହନ ଜାଣ।

     ଯାହାଙ୍କ ଅମ୍ଳାନ କୀର୍ତ୍ତି ସୋଉଧକୁ
         ହୃଦ ସିଂହାସନେ ଥୋଇ
      ଓଡିଆ କହୁଛୁ  ଓଡିଆ ଲେଖୁଛୁ
          ଗରବେ ଓଡିଆ କହି ।

    ବୀର ପ୍ରସବିନୀ  ଏହି ମୋ ଜନନୀ
         ଐଶ୍ୱର୍ଯ୍ୟ ସଂପଦେ ଭରା
    ଉତ୍କୃଷ୍ଟକଳାର  ସୁରମ୍ୟ ଭଣ୍ଡାର
          ଗାରିମା ଯା’ ଅପାଶୋରା।

   ଯେଉଁ ମାଟି ଦିଅଁ  ଜଗତ ଠାକୁର
           ସେହି ମୋ ଓଡିଶା ମାଆ
    ମହୋଦଧି ଯା’ର ଚରଣ ସ୍ପର୍ଶଇ
           ଶୁଭାଶିଷ ଯା’ର ସାହା।

    ପୂଜାପାର୍ବଣର   ଅପୂର୍ବ ମହକ
           ଫୁଟିଉଠେ ଯା’ର କୋଳେ
    ଐତିହ୍ୟ ସଂସ୍କୃତି ଭାଇଚାରା ପ୍ରୀତି
           ମଧୁରତା ଭାବ ତୋଳେ।

    ମନ୍ଦିର ମାଳିନୀ  ବୈଭବ ଶାଳିନୀ
          କୋଣାରକ ଶ୍ରେଷ୍ଠକୃତି
    ସପ୍ତାଶ୍ଚର୍ଯ୍ୟ ମଧ୍ୟେ  ଅନନ୍ୟ ଯା’ ସ୍ଥାନ
         ସେ ମାଟି ପଦେ ପ୍ରଣତି।
    
    ଚାରୁହାସ୍ୟମୟୀ  ଚାରୁଲାସ୍ୟମୟୀ
          ଉତ୍କଳ ଉତ୍ପଳ ଯିଏ
    ମହାମହୀୟସୀ  କୋଳରେ ଜନମି
         ଗରବେ ଓଡିଆ କହେ
        ତା’ପଦେ ମଥା ମୋ ନୁଏଁ।।

             ରାଉରକେଲା।ସୁନ୍ଦରଗଡ।।
          
          
        

Leave a Reply

Your email address will not be published. Required fields are marked *