୧୦ରେ ଜାତୀୟ ସମ୍ମିଳନୀ ଡଟକନ୍-୨୦୨୫ଯୋଗଦେବେ ବିଭିନ୍ନ ରାଜ୍ୟର ୫ଶହ ବିଶେଷଜ୍ଞ
ବ୍ରହ୍ମପୁର : ବର୍ତ୍ତମାନ ମଧୁମେହ ରୋଗ ସମସ୍ତଙ୍କ ପାଇଁ ଏକ ଚିନ୍ତାର କାରଣ ହୋଇଛି। ଖୁବ କମ ବୟସରୁ ଲୋକେ ମଧୁମେହ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହା ସହିତ ମେଦବହୁଳତା ଓ ଗଳଗଣ୍ଡକ ରୋଗ ଆଉ ଏକ ଚିନ୍ତାର କାରଣ ହୋଇଛି। ଏହି ସବୁ ରୋଗରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କୁ ଅଳ୍ପଦିନରେ ବିଭିନ୍ନ ପ୍ରକାର ରୋଗ ମାଡ଼ି ବସିଥାଏ। ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଇଥାଏ। ଏହି ସବୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଗବେଷଣାତ୍ମକ ଆଲୋଚନା ପାଇଁ ବ୍ରହ୍ମପୁରରେ ଆସନ୍ତା ୧୦ତାରିଖରୁ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ବ୍ରହ୍ମପୁର ଏମ୍କେସିଜି ମେଡିକାଲ ଏଣ୍ଡୋକ୍ରିନୋଲାଜି ବିଭାଗ ଓ ଡିଓଟିଟିଏରର ମିଳିତ ଉଦ୍ୟମରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏମ୍କେସିଜି ମେଡିକାଲ ଅଡିଟୋରିୟମ ପରିସରରେ ଦୁଇଦିନ ଧରି ମଧୁମେହ, ମେଦବହୁଳତା ଓ ଗଳଗଣ୍ଡକ ରୋଗର ଚିକିତ୍ସା ଉପରେ ବିଶେଷଜ୍ଞମାନେ ତାଙ୍କର ଗବେଷଣାତ୍କମ ତଥ୍ୟ ଉପସ୍ଥାପନ କରିବେ ବୋଲି ଏମ୍କେସିଜି ମେଡିକାଲ ଏଣ୍ଡୋକ୍ରିନୋଲାଜି ବିଭାଗର ମୁଖ୍ୟ ତଥା ସମ୍ମିଳନୀର ସାଙ୍ଗଠନିକ ଅଧ୍ୟକ୍ଷ ପ୍ରଫେସର ଡା. ପି. ରବି କୁମାର କହିଛନ୍ତି। ବର୍ତ୍ତମାନର ଅତ୍ୟାଧୁନିକ ଜ୍ଞାନ କୌଶଳରେ କ’ଣ ସବୁ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ରହିଛି, ସେ ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯିବ। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ପ୍ରାୟ ୫ଶହ ଡାକ୍ତର, ବିଶେଷଜ୍ଞ ଓ ଗବେଷକ ଯୋଗଦାନ କରିବେ। ଏହି ଅବସରରେ ଚିକିତ୍ସାବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ବିଶିଷ୍ଟ ବିଶେଷଜ୍ଞଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ପ୍ରଫେସର କୁମାର କହିଛନ୍ତି। ସମ୍ମିଳନୀର ସାଙ୍ଗଠନିକ ସମ୍ପାଦକ ଡା. ଦୀପକ କୁମାର ଦାଶ, ଡା. ଦେବାଶିଷ ପାତ୍ର, ଡା. ଜୀବନ ପ୍ରଧାନ ମଧ୍ୟ ବିଭିନ୍ନ ଦାୟିତ୍ବରେ ରହିଛନ୍ତି।
