ହେ ପ୍ରଭୁ ଜଗନ୍ନାଥ ଶୁଣ ମୋ ମନୋରଥ

      ହେ ପ୍ରଭୁ ଜଗନ୍ନାଥ ଶୁଣ ମୋ ମନୋରଥ
                ( ରାଗ — କାମୋଦୀ )

   🖊️କବିରତ୍ନ ନୂତନ କୁମାର ବେହେରା

ହେ ପ୍ରଭୁ ଜଗନ୍ନାଥ     ଶୁଣ ମୋ ମନୋରଥ
          ଶ୍ରବଣେ କ୍ଷଣେ ଦିଅ କର୍ଣ୍ଣ ,
ତୁମ୍ଭଙ୍କୁ କରି ଅଳି      ଦୁଃଖ ମୋ ଯାଏ ବଳି
        ଯାତନା ସହି ବିତେ ଦିନ ହେ,
                    ଦୀନବନ୍ଧୁ
          ତୁମେ କରୁଣାସିନ୍ଧୁ ବୋଲି
           ମନରୁ ଯାଉଛ କି ଭୁଲି ?
ତୁମେ ତ ଦୟାମୟ      ଜଗତେ ଇଚ୍ଛାମୟ
         ତୁମକୁ ଡ଼ାକି ଡ଼ାକି ମଲି ହେ,
                  ପ୍ରାଣବନ୍ଧୁ।୧।
କେ କି ଦେଲା ତୁମକୁ   ରୁଷିଲ ମୋ ବେଳକୁ
         ନ ଦେଲି ବୋଲି ହୁଅ ଖପା,
ତୁମେ ତ ଶିରୀ ଧର     ଭବେ ବଡ଼ ଠାକୁର
          ତୁମ ଦାନ ସଦା ଅମପା ହେ,
                     ଆର୍ତ୍ତତ୍ରାଣ
            ତୁମେ ତ ଜଗତର ପ୍ରାଣ           
            ଏ ସୃଷ୍ଟି ସ୍ଥିତିର କାରଣ,
ତୁମକୁ ଡାକେ ଯିଏ        ଉଦ୍ଧାର ହୁଏ ସିଏ
         ମନୋବାଞ୍ଛା କର ପୂରଣ ହେ,
                   ଜନାର୍ଦ୍ଦନ।୨।
କୁହନ୍ତି ସାଧୁ ସନ୍ଥ        ତୁମେ ଜୀବନ ପଥ
           ସବୁରି ଘଟେ ଅଛ ରହି,
ଜଗତ ହିତେ ତୁମେ     ପଡ଼ି ଭକତ ପ୍ରେମେ
          ମଧୁମୟ କର ଏ ମହୀ ହେ,
                    ଚକାଆଖି
            ବିଚାର କର ସବୁ ଦେଖି
             ଜୀବର ମହତକୁ ରଖି,
ତୁମ ବାଙ୍କ ଚାହାଣିରେ   ରଖ ସବୁ ନଜରରେ
          କରମ ଫଳକୁ ପରଖି ହେ,
                  ପ୍ରାଣପକ୍ଷୀ।୩।
ଶବରୀ ଦେଲା ଫଳ       କଲ ତାର ମଙ୍ଗଳ
            ପୂରିଲା ତାର ଅଭିଳାଷ,
ବିଦୁର ଶାଗଭଜା        ଖାଇ ପାଇଲ ମଜା
         ଢ଼ାଳି ଦେଲ ତୁମେ ଆଶିଷ ହେ,
                     ନୀଳମଣି
            ତାଙ୍କୁ ଭାବି ତୁମ ଭକତ      
          କଲ ତାଙ୍କର କେତେ ହିତ,
ଦୟା ସାଗର କହି      ତୁମକୁ ଅଛି ଧ୍ୟାୟୀ
         ନ ଶୁଣ କିଆଁ ମୋ ଆରତ ହେ,
                   ଚକ୍ରପାଣି। ୪।
ଶୁଣ ଅବା ନ ଶୁଣ        କରୁଛି ମୁଁ ଜଣାଣ
        ମୋ ପାଇଁ ହୋଇଲେ ବିଷମ,
ତୁମ ଯଶ କୀରତି         ରହିବ କି ଏମିତି
         କେ କହିବ ତୁମେ ପରମ ହେ,
                   ପରଂବ୍ରହ୍ମ
          ସେ ପତି ତପା ବନ ବାନା
          ତୁମ ମାୟା ମିଛ ବାହାନା,
ନାମେ ଲାଗିଲେ ଦାଗ    ହେ ପ୍ରଭୁ ମହାଭାଗ
          କାହାକୁ କରିବି ପ୍ରାର୍ଥନା ହେ,
                   ହରି ରାମ।୫।

        କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *