ରବିବାର ଦିନ ରାଜ୍ୟବ୍ୟାପୀ ଜନ ଶୋଭାଯାତ୍ରା
ରାୟଗଡ଼ା-୧୦/୫-ଭାରତର ବୀର ସୈନିକମାନଙ୍କୁ ଉତ୍ସାହିତ କରିବା ପାଇଁ ମେ ୧୧ ତାରିଖ ରବିବାର ଦିନ ସମଗ୍ର ରାଜ୍ୟରେ ଜନ ଶୋଭାଯାତ୍ରା ଆୟୋଜିତ ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଶୋଭାଯାତ୍ରା ସକାଳ ୮ ରୁ ଆରମ୍ଭ ହୋଇ ୧୦ ଟା ଭିତରେ ଶେଷ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଏହି ଶୋଭାଯାତ୍ରାରେ ଛାତ୍ର ଛାତ୍ରୀ, ଏନ. ସି. ସି. କ୍ୟାଡେଟ, କ୍ରୀଡାବିତ୍, ପୋଲିସ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସାଧାରଣ ଲୋକେ ଯୋଗ ଦେଇପାରିବେ।ଏହି ରାଲି ମୁଖ୍ୟତଃ ମୋଟର ସାଇକେଲ ରାଲି ହେବ। ସମସ୍ତ ଜିଲ୍ଲା ମହକୁମା, ଉପଖଣ୍ଡ, ବ୍ଲକ ମହକୁମାରେ ଏହି ରାଲିର ଆୟୋଜନ କରାଯିବ।ବଡ ବଡ ସହରାଞ୍ଚଳରେ ଏକରୁ ଅଧିକ ରାଲି ଅନୁଷ୍ଠିତ ହେବ l

ଯେଉଁ ସ୍ଥାନରେ ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅନ୍ୟ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିବେ, ସେମାନଙ୍କୁ ଏଥିରେ ସାମିଲ ହେବା ପାଇଁ ଅନୁରୋଧ କରାଯିବ।ଅଂଶ ଗ୍ରହଣକାରୀମାନେ ତ୍ରିରଙ୍ଗା ପତାକା ଧରି ରାଲିରେ ଯିବେ।ଶୋଭାଯାତ୍ରାରେ ଦେଶାତ୍ମବୋଧକ ଗୀତ ଲାଉଡସ୍ପିକର ଜରିଆରେ ପରିବେଷଣ କରାଯିବ। ସାମାଜିକ ଗଣମାଧ୍ୟମରେ ଆଜିଠାରୁ ପ୍ରଚାର, ପ୍ରସାର କରାଯିବ। ସମସ୍ତ ବିଭାଗ ଓ ଜିଲ୍ଲା ସ୍ତରୀୟ ସାମାଜିକ ଗଣମାଧ୍ୟମ ଗୁଡିକରେ କାର୍ଯ୍ୟକ୍ରମ ସମ୍ପର୍କିତ ତଥ୍ୟ ଦିଆଯାଇଛି। ଗଣମାଧ୍ୟମଗୁଡ଼ିକୁ ଏହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ସହିତ ଖବର ପରିବେଷଣ ପାଇଁ ଅନୁରୋଧ କରାଯିବ। ସବୁ ଜିଲ୍ଲାର କାର୍ଯ୍ୟକ୍ରମକୁ ଭଲ ଭାବରେ ମିଡ଼ିଆ କଭରେଜ ଦିଆଯିବାକୁ ଗଣମାଧ୍ୟମକୁ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
