ରଥ ନିର୍ମାଣ ପରମ୍ପରା ଅନୁସାରେ ରଥ ଖଳାରେ ଗୁଜ ଅନୁକୂଳ ହୋଇଛି ।
Date:11.05.24: ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ରଥ ନିର୍ମାଣ କାର୍ଯ୍ୟରେ ଆଜି ଠାରୁ ଯୋଗ ଦେଲେ ରୂପକାର ସେବକ । ମୁଖ୍ୟ ରୂପକାର ସେବକ ଗୁଜ ଅନୁକୂଳ କରିଛନ୍ତି। ଗୁଜ ରଥର ସୁରକ୍ଷା କବଚ ସ୍ୱରୂପ ରଥର କୋଣମାନଙ୍କରେ ସ୍ଥାପନ ହୋଇଥାଏ । ଏଥିସହ ନୃସିଂହ ଜନ୍ମ ଅବସରରେ ଭୋଇସେବକମାନେ ଯନ୍ତା ଗାଡ଼ ଖୋଲିଛନ୍ତି। ମା ଚର୍ଚ୍ଚିକା ଠାକୁରାଣୀଙ୍କ ସମ୍ମୁଖ ବଡ଼ଦାଣ୍ଡରେ ଖୋଳା ହୋଇଛି ଯନ୍ତାଗାଡ଼ । ଯନ୍ତା ଗାଡ଼ରେ ପଡ଼ି ଚକ ପ୍ରସ୍ତୁତ ହେବ । ତିନି ରଥର ଚକ ପାଇଁ ପହି (ଚିରଟ କାଠ) ପହଞ୍ଚି ସାରିଛି । ତୁମ୍ବର ବିନ୍ଧ କାର୍ଯ୍ୟ ସରି ଘେର କଟା ଶେଷ ପର୍ଯ୍ୟାୟରେ । ରଥ ଖଳାରେ ତୁମ୍ବ କାର୍ଯ୍ୟ ଜାରି ରହିଥିବା ସ୍ଥଳେ ନୃସିଂହ ଜନ୍ମ ପାଇଁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । ଭୋଇ ସର୍ଦ୍ଦାର ରବି ଭୋଇ କୁହନ୍ତି ଗୁଜ ଅନୁକୂଳ ପାଇଁ ୧୨ଫୁଟିଆ ଧଉରା କାଠ ଯୋଗାଯାଇଛି। ୧୦ ଟି କରି ତିନି ରଥ ପାଇଁ କାଠ ରଥଖଳାରେ ମହଜୁଦ୍ ରହିଛି । ବିଶ୍ୱକର୍ମାମାନେ ଏହାକୁ ଚଉପଟ କରି ରୂପକାର ସେବକଙ୍କୁ ଯୋଗାଇବେ । ପାରମ୍ପରିକ ବିଧି ମତେ ପୂଜାର୍ଚ୍ଚନା କରି ଗୁଜ ଅନୁକୂଳ କାର୍ଯ୍ୟ ସମ୍ପନ୍ନ କରିଛନ୍ତି ରୂପକାର ।

ପ୍ରଥମେ କୋଣ ଗୁଜ ପରେ ପଟା ଗୁଜ କାର୍ଯ୍ୟ ହେବ ।ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୧୬ଟି,ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥର ୧୬ ଟି ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ୧୨ଟି କୋଣ ଗୁଜ ହେବ । ଯନ୍ତା ଗାଡ଼ ଖୋଳିବା ପାଇଁ ୪୦ ଫୁଟିଆ କାଠ ପଡ଼ିଥିଲା । ଯନ୍ତା ଗାଡ଼ରେ ପଡ଼ି ତୁମ୍ବ ସହିତ ଅର ଭୁଞ୍ଜାଯାଇ ସିଙ୍ଗଡ଼ା ପ୍ରସ୍ତୁତ ହେବ । ରଥ ଖଳାରେ ବିଲେଇ ବାଡ଼ିଆ ପଦ୍ଧତିରେ ସିଙ୍ଗଡ଼ାରେ ପହି ସଂଯୁକ୍ତ ହୋଇ ଚକ ପ୍ରସ୍ତୁତ ହେବ ।ଚଳିତ ୧୯ ତାରିଖରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରାର ଭଉଁରୀ ଉତ୍ସବ । ସେହିଦିନ ରଥର ପ୍ରଥମ ଚକ ଓ ଅଖ ସଂଯୁକ୍ତ ହେବ । ସେପଟେ ଦୋଳବେଦି ଶାଳରେ ଓଝା ସେବକ ରଥ ପାଇଁ ଅର କଣ୍ଟା ନିର୍ମାଣ ସାରି ବଳା ତିଆରିରେ ଲାଗିଛନ୍ତି । ଶନିବାର ରଥ ନିର୍ମାଣରେ ବିଶ୍ୱକର୍ମା, କରତି, ଓଝା, ଭୋଇ ସେବକ ତଥା ରଥ ଖଳା ସହାୟକଙ୍କୁ ମିଶାଇ ମୋଟ ୧୪୬ ଜଣ ନିୟୋଜିତ ହୋଇଛନ୍ତି ।
