ଶ୍ରୀଲୋକନାଥଙ୍କ ପୀଠରେ ସରନ୍ତି ସୋମବାର ଭକ୍ତଙ୍କ ଗହଳି

ପୁରୀ,୧୦/୫- ଶ୍ରୀକ୍ଷେତ୍ର ବାବା ଶ୍ରୀଲୋକନାଥଙ୍କ ପୀଠରେ ବୈଶାଖ ମାସ ଶେଷ ସୋମବାର ବା ସରନ୍ତି ସୋମବାରରେ ପ୍ରବଳ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ସରନ୍ତି ସୋମବାର ମେଳା ମୁଖ୍ଯତ ଚାଷୀମାନଙ୍କ ପର୍ବ । ଶ୍ରୀକ୍ଷେତ୍ରର ପଞ୍ଚକୋଶୀ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ବାବା ଶ୍ରୀଲୋକନାଥଙ୍କୁ ଦର୍ଶନ କରିବା ସହ ଚୁଡାଘଷା ଲାଗି କରିଥିଲେ । ଏହାକୁ ମଧ୍ଯ ପଞ୍ଚକୋଶୀ ଯାତ୍ରା କୁହନ୍ତି । ମନ୍ଦିର ବାହାରୁ ବେଢା ଓ ଗମ୍ଭୀରା ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଜାଗର ଚକଡାରେ ଶ୍ରଦ୍ଧାଳୁ ମାନେ ନିଷ୍ଠାର ସହ ଚୁଡ଼ାଘଷା ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳିଥିଲା । ଏହି ଚୁଡାଘଷା ରେ ଗୁଣ୍ଡଚୁଡା, ଭଲ ଘିଅ,ନଡିଆ, ଚୁଡାଘଷା ମସଲା, ଗୁଡ ବା ଚିନି,ଗୋଲମରିଚ ଆଦି ଦ୍ରବ୍ଯ ମିଶ୍ରିତ କରି ବଡତାଟରେ ଚୁଡା ଘଷି ଭୋଗ ଅର୍ପଣ କରିଥିଲେ । ଓମ ନମଃ ଶିବାୟ ଧ୍ବନିରେ ଲୋକନାଥଙ୍କ ମନ୍ଦିର ପରିସର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ବାବା ଶ୍ରୀଲୋକନାଥଙ୍କ ଦ୍ବାରଫିଟା, ମଙ୍ଗଳ ଆଳତୀ,ମଇଲମ,ସୂର୍ଯ୍ୟ ପୂଜା ସହ ସମସ୍ତ ନୀତିକାନ୍ତି ପରେ ସର୍ବସାଧାରଣ ଦର୍ଶନ କରିଥିଲେ ଭକ୍ତ ଓ ଶ୍ରଦ୍ଧାଳୁ । ପାର୍ବତୀ ସାଗରରେ ଭକ୍ତ ମାନେ ପାଦ ଧୋଇବା ପରେ ବେଲପତ୍ର, କଦଳୀ, ଚୁଡା, ନଡିଆ ଭୋଗଲାଗି କରିଥିଲେ । ଭକ୍ତମାନେ ଦୀପ ଜାଳିବା ସହ ନିଜ ନିଜର ମନସ୍କାମନା ପୂରଣ କରିବା ପାଇଁ ବାବା ଶ୍ରୀଲୋକନାଥଙ୍କୁ ପ୍ରାର୍ଥନା କରୁଥିଲେ । ବାବା ଶ୍ରୀଲୋକନାଥଙ୍କୁ ଦର୍ଶନ ପରେ ଭକ୍ତମାନେ ଭକ୍ତି ଭାବନାରେ ଭାବବିହ୍ବଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଜାଗର ପଦାରେ କଦଳୀ, ନଡିଆ, ବେଲପତ୍ର,ଫୁଲ ପସରା , ରୂପ ଦୋକାନ ,ସମେତ ପିଲାମାନଙ୍କ ଖେଳଣା, ଘର ସାମଗ୍ରୀ ସରଞ୍ଜାମ, ଦହିବରା, ଚାଟ, ଦୋକାନ ମାନଙ୍କରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ସ୍ବେଛାସେବୀ ଅନୁଷ୍ଠାନ ଆପଣଙ୍କ ସେବାରେ କର୍ମକର୍ତ୍ତା ମାନେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଟଙ୍କତୋରାଣୀ ବଣ୍ଟନ କରୁଥିବା ବେଳେ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ପାନୀୟଜଳ ଯୋଗାଣ ଓ ଭକ୍ତ ମାନଙ୍କୁ ସେବା ଯୋଗାଇଥିଲେ । ଶ୍ରୀଲୋକନାଥଙ୍କ ମନ୍ଦିର ଟ୍ରଷ୍ଟ ଓ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ସୁଖଦ ଦର୍ଶନ ବ୍ଯବସ୍ଥା ଗ୍ରହଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *