ବୋଧିଚକ୍ର ଆନୁକୁଲ୍ୟରେ ବୁଦ୍ଧପୂର୍ଣ୍ଣିମା ସମାରୋହ

ପୁରୀ,୧୨/୫ -ଅଗ୍ରଣୀ ବୌଦ୍ଧିକ ଅନୁଷ୍ଠାନ ବୋଧିଚକ୍ର ଆନୁକୁଲ୍ୟରେ ଭଗବାନ ବୁଦ୍ଧଙ୍କ ୨୫୮୯ତମ ଜୟନ୍ତୀ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଯାଇଛି। ପ୍ରଭାତରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ପୀଠ ପରିସରରେ ଅବସ୍ଥିତ ବୋଧିଦ୍ରୁମ ଓ ବୁଦ୍ଧଙ୍କ ପ୍ରତିମୂର୍ତ୍ତିଙ୍କ ଦୀପ ଧୂପ ନୈବେଦ୍ୟ ସହ ପୂଜାର୍ଚ୍ଚନା କରାଯାଇଥିଲା। ପୂର୍ବାହ୍ନ ୮ ଘଟିକା ସମୟରେ ବଳିଆପଣ୍ଡା ସ୍ଥିତ ଭାରତ ଯୋଗ କେନ୍ଦ୍ରରେ ‘ଯୁଦ୍ଧ ନୁହେଁ ବୁଦ୍ଧ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେଇଥିଲା। ଏଥିରେ ଅନୁଷ୍ଠାନର ସଭାପତି ଇଂ ଗିରିଜା ଶଙ୍କର ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ସଭାପତି କହିଲେ ଯେ ମାନବଜାତି ଯେତେବେଳେ ଜ୍ଞାନ- କର୍ମ-ଭକ୍ତି ର ଶାନ୍ତିପ୍ରଦ ମାର୍ଗରୁ ବିଚୁତ୍ୟ ହେଇଥିଲା ସେତେବେଳେ ପରମ କାରୁଣିକ ବୁଦ୍ଧ ଆବିର୍ଭୁତ ହୋଇ ଜଗତରେ ଶାନ୍ତି ଓ ସଦଭାବନା ପ୍ରତିଷ୍ଠା କରିଥିଲେ । ସନ୍ଥ କବି ଭୀମଭୋଇଙ୍କ ଜୟନ୍ତୀ ଅବସରରେ ମହିମାଧର୍ମର ପ୍ରାସଙ୍ଗିକତା ସମ୍ପର୍କରେ ଉପାସକ ଉମେଶ ଚନ୍ଦ୍ର ଦାସ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଉପସ୍ଥିତ ବୁଦ୍ଧପ୍ରେମୀ ମାନେ ବିପାସନା ପଦ୍ଧତିରେ ସମୂହ ଧ୍ୟାନ କରିଥିଲେ। ସମ୍ପାଦକ ରମାବଲ୍ଲଭ ମହାପାତ୍ର ସ୍ବାଗତ ଭାଷଣ ଓ ଏକଲବ୍ୟ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ବୁଦ୍ଧବନ୍ଦନା ଓ ତ୍ରିଶରଣ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରବିନାରାୟଣ ସାହୁ, ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ, ଜ୍ୟୋତ୍ସ୍ନା ନାୟକ, ସରସ୍ଵତୀ ପାତ୍ର, ଏମ୍ କୋଟେଶ ଚଦ୍ର ପାତ୍ର, ଅଭିଜିତ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ପରିଶେଷରେ ଶିଶୁ ସମାଚାର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା ଧନ୍ୟବାଦାର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *