ମିଛ ଧରାଇ ଦେଲା ସୂଚନା ଅଧିକାର ତଥ୍ୟ
ମିଛ ଧରାଇ ଦେଲା ସୂଚନା ଅଧିକାର ତଥ୍ୟ।
ନିମାପଡା ( ) ମିଛ ଧରାଇ ଦେଲା ସୂଚନା ଅଧିକାର ତଥ୍ୟ। ଜାଲିଆତି ବିଲ କରି ଅର୍ଥ ଆତ୍ମସାତ କରିଥିବା ଜଣା ପଡିବା ପରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ଓ ସୂଚନା ଅଧିକାର କର୍ମୀ। ସୂଚନା ଅନୁଯାଇ ପୂରୀ ଜିଲ୍ଲା ନିମାପଡା ବ୍ଲକ ତେରୁଣ୍ଡିଆ ଗ୍ରାମ ପଂଚାୟତର ନୀଳକଣ୍ଠେଶ୍ୱର ସରକାରୀ ବିଦ୍ୟାଳୟରେ ତିନି ଟ୍ରିପ ବାଲି ପକାଇ 5 ହଜାର ଏକ ଶହ ଟଙ୍କା ତତ୍କାଳୀନ ପ୍ରଧାନ ଶିକ୍ଷକଙ୍କ ଠାରୁ ନେଇଥିଲେ ଦିଘାଳ ଅଂଚଳର ଲବ ସ୍ୱାଇଁ ଓରଫ ବଳରାମ ସ୍ୱାଇଁ। ମାତ୍ର ପରବର୍ତ୍ତୀ ସମୟରେ ବାଲି ପାଇଁ 31 ହଜାର 4 ଶହ ଟଙ୍କା ଦିଆ ଯାଇଥିବା ସୂଚନା ଅଧିକାର ତଥାରୁ ଜଣା ପଡିଥିଲା। ଏ ସବୁ ଜାଲିଆତି ହୋଇଥିବା ଜାଣିବା ପରେ ଲବ ସ୍ୱାଇଁ ପୂରୀ ଶିକ୍ଷା ଅଧିକାରୀ, ଜିଲ୍ଲପାଳଙ୍କ ପାଖରେ ତାଙ୍କ ନାମରେ ମିଥ୍ୟା ବିଲ କରାଯାଇଥିବା ଅଭିଯୋଗ କରିଥିଲେ। ପରେ ଜିଲ୍ଲପାଳଙ୍କ ନିର୍ଦେଶ କ୍ରମେ ନିମାପଡା ଏବିଈଓ ଘଟଣାର ତଦନ୍ତ କରି ଅନ୍ୟ ଜଣେ ମୃତ ବଳରାମ ସ୍ୱାଇଁ ବୋଲି ରିପୋର୍ଟ କରିଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ସୂଚନାରୁ ଜଣା ପଡିଛି ମୃତ ବଳରାମ ସ୍ୱାଇଁ ଗୋପ ଜଳସେଚନ ବିଭାଗରେ ପିଅନ ଚାକିରୀ କରିଥିଲେ। ବିଶେଷ ସୂତ୍ରରୁ ଜଣା ପଡିଛି ବଳରାମଙ୍କୁ ଇଂରାଜୀରେ ଦସ୍ତଖତ ଆସେ ନାହିଁ। ତେବେ କିପରି ଭାବରେ ସେ ବିଲରେ ଇଂରାଜୀରେ ଦସ୍ତଖତ କରି ଟଙ୍କା ନେଲେ ତାହା ଏବେ ସନ୍ଦେହ ଘେରରେ। ଏ ନେଇ ଏବିଈଓଙ୍କୁ ପଚାରିରେ ସେ ଚୁପ ରହିଥିବା ବେଳେ ଗତ କିଛି ଦିନ ତଳେ ସେ ଅବସର ଗ୍ରହଣ କରିଛନ୍ତି। ତେବେ ଏ ଘଟଣା ନାଲିଫିତା ତଳେ ଚାପି ହୋଇ ରହୁଛି ନା ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ତାହା ଆଗାମୀ ଦିନର ସମୟ ହିଁ କହିବ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ପ୍ରକୃତ ସତ୍ୟାସତ ଲୋକଲୋଚନକୁ ଆଣିବା ପାଇଁ ପରିଚାଳନା କମିଟି ସଭାପତି ଲବ ସ୍ୱାଇଁ ଏବଂ ସୂଚନା ଅଧିକାର କର୍ମୀ ଅଭୟ ସ୍ୱାଇଁ ଦାବୀ କରିଛନ୍ତି।
