ଏଇ ଜୀବନଟା ଗୋଟେ ବୁଝାମଣା

    ଏଇ ଜୀବନଟା ଗୋଟେ ବୁଝାମଣା

 🖊️କବିରତ୍ନ ନୂତନ କୁମାର ବେହେରା

ସଂସାରରେ କିଏ କେତେ ଦିନ
ଆସିଛି ଏକା ଯିବ ବି ସେ ଏକା ଏକା
ଏମିତି ବଞ୍ଚି ରହିଥିବ କି ଚିରସ୍ଥାୟୀ
ବଳି ବଳି ଜିଇଁଲେ ଜିଇଁବ ସୁତୁରୀ ଅଶୀ
ଅବା ଆଉ ବି ହୋଇ ପାରେ କିଛି
ଚିର ଅମର ତ ହୋଇ ପାରିବନି ସେ
ପ୍ରାରବ୍ଧର ପୂଣ୍ୟଫଳରୁ ସୌଭାଗ୍ୟ ପାଇ
ମଣିଷ ଜନମିଛି ଏ ଧରାଧାମେ
ସବୁ ପ୍ରାଣୀଙ୍କ ମଧ୍ୟରେ ସେ ଶ୍ରେଷ୍ଠ
ଜୀବନ ତାର ଦୁର୍ଲଭ
ଏକ ଅନିଶ୍ଚିତତା ବଳୟ ଭିତରେ
ଆତଙ୍କିତରେ ରହିଥାଏ ବଞ୍ଚି
ନିର୍ଦ୍ଦିଷ୍ଟ କରି କହି ପାରିବନି କେହି
ତାର ମୃତ୍ୟୁ ହେବ କେତେ ବେଳେ
ଏମିତିରେ ତ ବଞ୍ଚିଛି
କେତେ ଦ୍ଵନ୍ଦ୍ଵର ମାନସିକ ଚାପରେ
କେବେ ଅକସ୍ମାତ ବି ଯାଏ ମରି
ଆଜି ହେଲେ ଗୋଟେ ରୋଗ
କାଲି ହୁଏ ପୁଣି ଆଉ ଗୋଟେ ରୋଗ
ବେଳେ ବେଳେ ନ ଥାଏ ବି
ଆରୋଗ୍ୟ ହେବାକୁ ତାର ନିର୍ଦ୍ଦିଷ୍ଟ ଔଷଧ
କି ଚିକିତ୍ସିତ ହେବାକୁ ନଥାଏ ଅର୍ଥବଳ
ବିଛଣାରେ ପଡ଼ି ଦିନ ଗଣୁଥାଏ
ଡାକୁଥାଏ ମରଣକୁ ସେ ବାରମ୍ବାର
ତଥାପି ଏ ମଣିଷ ଛାଡ଼ି ପାରେ କି
ନିଜ ଭିତରେ ଥିବା ଯେତେ କୁପ୍ରକୃତିକୁ
ନା ଲୋଭ ମୋହକୁ ପାରେ ଏଡ଼ି
ବରଂ ଜୀଇଁ ଥିବା ଯାକେ
ଅଣନିଃଶ୍ବାସୀ ଭାବେ ଧାଏଁ ଧନ ପଛେ
ନିଜ ସ୍ବାର୍ଥକୁ କରି ସର୍ବସ୍ବ
ରକ୍ତଗତ ପାରିବାରିକ ସଂପର୍କ ବ୍ୟତୀତ
ଗଢ଼େ ଭାଙ୍ଗେ ସେ ବହୁ ସଂପର୍କ
ମନକୁ ରଖି ପାରେନା ନିୟନ୍ତ୍ରଣରେ
ସଂଯମତା ହରାଏ ଇନ୍ଦ୍ରିୟର ଆସକ୍ତିରେ
ତାହାରି ଭିତରେ ସହି ବୋହି
ମନଛୁଆଁ ହୃଦୟସ୍ପର୍ଶୀ କଥା କହି
ଯେ ପରକୁ ବି କରିପାରେ ଆପଣାର
ତା ମନରେ ନରଖି ତିଳେ ସ୍ଵାର୍ଥ
କରେ ସେବା ଯତ୍ନ ଦେଖାଏ ତ୍ୟାଗ
ମାନବ ସେବାରେ ଦେଖେ ସେ ମାଧବଙ୍କୁ
ନିଜ ଓଠରେ ଫୁଟାଇ ହସ ଅନ୍ୟକୁ ହସାଏ
ହୃଦୟରେ ଦୃଢ଼ ସଂକଳ୍ପ କରିଥାଏ
ସେ ନୁହେଁ କେବେ କେବଳ ତା ନିଜ ପାଇଁ
ସବୁରି ପାଇଁ ରହିଛି ତା’ର ପ୍ରାଣ
ସମସ୍ତଙ୍କୁ ପାରୁ ପର୍ଯ୍ୟନ୍ତେ ଦିଏ ପ୍ରତିଦାନ
ନିଜ ବୁଦ୍ଧି ବିବେକରେ କରିଥାଏ ସ୍ଥିର
ଚଲାବାଟରେ ସେ ହୁଏ ନାହିଁ ବାଟବଣା
ଅନୁଭବ କରି ଅନ୍ତରରୁ କହେ…
” ଏଇ ଜୀବନଟା ଗୋଟେ ବୁଝାମଣା “।

        କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *