ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଲିଙ୍ଗଗତ ସାମ୍ୟତା ସମ୍ପର୍କିତ ବ୍ଲକ ସ୍ତରୀୟ କର୍ମଶାଳା

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଲିଙ୍ଗଗତ ସାମ୍ୟତା ସମ୍ପର୍କିତ ବ୍ଲକ ସ୍ତରୀୟ କର୍ମଶାଳା
ରାୟଗଡ଼ା-୧୪/୫-ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଓ ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡ଼ା ବ୍ଲକ ସଦଭାବନା ସଭା ଗୃହରେ ବ୍ଲକ ସ୍ତରୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାୟଗଡା ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ମନୋଜ କୁମାର ନାହାକ , ଓସଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ପ୍ରଦୋଷ ରଞ୍ଜନ ଜେନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁଜିତ କୁମାର ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।


ଜାତୀୟ ଓ ରାଜ୍ଯ ବିପର୍ଯ୍ୟୟ ପରିଚାଳନା ଆଇନରେ ଥିବା ବ୍ୟବସ୍ଥା ଓ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରାଯାଇଥିଲା । ପୁରୁଷ ପ୍ରଧାନ ସମାଜରେ ବିପର୍ଯ୍ୟୟର ପରିଚାଳନା କ୍ଷେତ୍ରରେ ମହିଳା, ଭିନ୍ନକ୍ଷମ, ତୃତୀୟ ଲିଙ୍ଗୀ ଓ କିଶୋରୀ ବାଳିକାଙ୍କ ସ୍ବଳ୍ପ ଅଂଶଗ୍ରହଣର କାରଣ ଓ ଫଳାଫଳ ତଥା ଅନ୍ତର୍ଭୁକ୍ତିକରଣ ବିଷୟରେ ଦଳଗତ ଆଲୋଚନା ହୋଇଥିଲା। ଏଥିରେ ସ୍ବାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ରାଜସ୍ବ, ପୋଲିସ, ଗ୍ରାମ ପଞ୍ଚାୟତ କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧି, ବେସରକାରୀ ଅନୁଷ୍ଠାନ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରାୟଗଡା ଜିଲ୍ଲାରେ ବନ୍ୟା, ବିଜୁଳି ଓ ଘଡଘଡି, ସାପକାମୁଡା, ପାଣିରେ ବୁଡ଼ି ମୃତ୍ଯୁବରଣ ସହ ରକ୍ତହୀନତା, ବାଲ୍ୟ ବିବାହ ଆଦି ସମ୍ଭାବ୍ଯ ବିପର୍ଯ୍ୟୟ, ଏବଂ ପ୍ରାକୃତିକ ଓ ମନୁଷ୍ଯକୃତ ବିପର୍ଯ୍ୟୟ ଓ ତାହାର ମୁକାବିଲା ଆଦି ବିଷୟ ଆଲୋଚନାର ପରିସରଭୁକ୍ତ ହୋଇଥିଲା । ସମ୍ବଳବ୍ୟକ୍ତି ପାୱାରପଏଣ୍ଟ ମାଧ୍ୟମରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ବ୍ଳକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନାରେ ମହିଳା ଓ ତୃତୀୟ ଲିଙ୍ଗ ବ୍ୟକ୍ତିଙ୍କୁ ସାମିଲ କରିବାସହ ଅଞ୍ଚଳରେ ଥିବା ସମ୍ବଳ ଓ ଯୁବ ସ୍ଵେଚ୍ଛାସେବୀ ଚିହ୍ନଟ କରି ସେମାନଙ୍କୁ ପ୍ରାଥମିକ କୌଶଳ ତାଲିମ ପ୍ରଦାନର ଆବଶ୍ୟକତା ବିଷୟରେ ଆଲୋଚନା ହୋଇଥିଲା।
ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *