ପାଳଭୂତ
ପାଳଭୂତ
✍🏼କବିରତ୍ନ ନୂତନ କୁମାର ବେହେରା
ଠସ୍ କରି ଗଛରୁ ପାଚିଲା ପତ୍ରଟି ପଡ଼ିଲେ ଖସି
ଅବା ବହି ଆସିଲେ ଅଚାନକ ଦଲକାଏ ପବନ
ଆତଙ୍କିତେ ମନ ଭାବେ ବିଚଳିତେ ଆସିଲା କି ଝଡ଼
ଶୀତେଇ ଯାଏ ତାର ଦେହଟା ଥରି ଉଠେ ଛାତି
ଭୂତର ଭୟଠାରୁ ଆଉ ବୋଧେ ନାହିଁ ବଡ଼ ଭୟ
ଭୟରେ ହଜିଯାଏ ତା’ ଭିତରର ପ୍ରକୃତ ଜ୍ଞାନ
କୃଷିକ୍ଷେତ୍ରରେ କୃଷକ ନ ରହିଲେ ଉପସ୍ଥିତି
ତୃଣଭୋଜୀ ଜୀବଜନ୍ତୁ ନାନା ଜାତିର ପକ୍ଷୀ ଆସି
ଚରି ଖାଇଥାନ୍ତି ଫସଲ କରନ୍ତି ମଧ୍ୟ ନଷ୍ଟ ବହୁତ
ସୁରକ୍ଷିତ ରଖିବା ପାଇଁ ଗଢ଼େ ତାର ଏକ ପ୍ରତୀକ
ମଣିଷ ଆକୃତିର କରି ତାକୁ ଜଗାଏ ତା’ କ୍ଷେତ
ପାଳର ପାଳକ ହୁଏ ବୋଲି ନାମ ତାର ପାଳଭୂତ
ପାଳରେ ତିଆରି କରି ପିନ୍ଧାଇ ଦେଇଥାଏ ପୋଷାକ
ଅନ୍ୟକୁ ବାସ୍ତବ ପରି ଦେଖା ଯାଏ ତାହା ଦୂରରୁ
କୃଷକର ଅନୁପସ୍ଥିତିରେ ତା’ ହୋଇଥାଏ ସହାୟକ
ପାଳଭୂତ ଜାଣେ ନାହିଁ ସେ ନିଜେ ଏକ ପାଳଭୂତ
ପାଳଭୂତକୁ ଡରନ୍ତି ଉପଦ୍ରବ କରୁଥିବା ଜୀବ ଯେତେ
ଜୀବର ବେଶି ଡ଼ର ଜୀବନ ବଞ୍ଚାଇ ରଖିବାକୁ
ଖାଦ୍ୟରେ ସେ ବଞ୍ଚେ…ଖାଉ ଖାଉ ମନ୍ଦ ପାଞ୍ଚେ
ଅବଚେତନରେ ବିଚାର ବୁଦ୍ଧି ହେଲେ ତାର ଶୂନ୍ୟ
ମିଛ କଳ୍ପନାରେ ସେ ଅଶରୀରକୁ ଭାବିଥାଏ ଭୂତ
ନିଜେ ଡ଼ରେ ଅନ୍ୟକୁ ଡ଼ରାଇ କହେ ଭୂତ ପ୍ରାଣଘାତୀ
ସୃଷ୍ଟିରେ ତ ପଞ୍ଚଭୂତ ବ୍ୟତିରେକ ନାହିଁ ଷଷ୍ଠଭୂତ
ଆଉ ସେ ପଞ୍ଚଭୂତରେ ଗଢ଼ା ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ
ଅଥଚ ସେ ନିଜେ ଗଢି ଡ଼ରାଉ ଡ଼ରାଉ ଡ଼ରିଯାଏ
ସଂସାରର କ୍ଷେତରେ ପାଲଟିଯାଏ ନିଜେ ପାଳଭୂତ
ପାଳକ ହୋଇ ପାଳୁଥିବା ଯାଏଁ ସେ ହୁଅଇ ଆଦୃତ
ହୋଇ ସେ ପାଳଭୂତ ନିଜେ ଖାଇଯାଏ ଯଦି ଫସଲ
ମୂଲ ତ ମିଳେନାହିଁ କିଛି…. ହୁଏନା କିଛି ବି ଭଲ
ଫସଲ ଉଠି ଆମଦାନୀ ସରିଲେ ହୁଅଇ ଅଯଥାର୍ଥ
ତଦ୍ରୂପେ ସମାଜେ ମଣିଷ ନିଚେଷ୍ଟରେ ହୁଏ ପାଳଭୂତ।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
