ଚୂଲି ନିଆଁରୁ ଅଗ୍ନିକାଣ୍ଡ
ଗଣିଆ – ଗଣିଆ ଥାନା ଅର୍ନ୍ତଗତ ଡଙ୍କାରିସାହି ଗ୍ରାମରେ ଚାଳଘରେ ନିଆଁ ଲାଗି ଗୋଟିଏ ପରିବାରର ୨ ବଖରା ଘର ସହିତ ନଗଦ ୬୦ ହଜାର ଟଙ୍କା ଏବଂ ଆସବାବପତ୍ର ଜଳି ପୋଡ଼ି ଛାରଖାର ହୋଇଯାଇଛି । ଗ୍ରାମର ଅନ୍ତର୍ଯ୍ୟାମୀ ସେଠୀଙ୍କ ପୁଅ ରୋହିତ ସେଠୀଙ୍କ ଘରେ ରୋଷେଇ ଚାଲିଥିବା ବେଳେ ହଠାତ୍ ଚୂଲି ନିଆଁରୁ ଚାଳକୁ ଧରିଥିଲା । ଚାହୁଁ ଚାହୁଁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ଗଣିଆ ଅଗ୍ନିଶମ ବିଭାଗ ଅଧିକାରୀ ବିଜୟାନନ୍ଦ ପରିଡା ଏବଂ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଘରେ ରଖିଥିବା ନଗଦ ଅର୍ଥ ରାଶି ୬୦ ହଜାର ସହିତ ଆସବାବପତ୍ରକୁ ମିଶାଇ ଆନୁମାନିକ ୨ ଲକ୍ଷ ଟଙ୍କାର କ୍ଷୟକ୍ଷତି ଘଟିଥିବା ଅଗ୍ନିଶମ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଏହି ଅଗ୍ନିକାଣ୍ଡରେ ରୋହିତ ସର୍ବସ୍ବାନ୍ତ ହୋଇପଡିଥିବା ଜଣାପଡିଛି । ତେବେ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
