ଦଶମ ପରୀକ୍ଷା ମେଧାବୀ ସମ୍ବର୍ଦ୍ଧନା ସମାରୋହ
କୋଣାର୍କ – କୋଣାର୍କ ନିକଟସ୍ଥ ବାଲିଦୋକାନ ଓରେଇ ଗ୍ରାମରେ ଥିବା ପାର୍ବତୀ ଫାର୍ମ ହାଉସରେ ରଞ୍ଜନ ପାର୍ବତୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ କାକଟପୁର ବ୍ଲକ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ହାଇସ୍କୁଲ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ଉପଲକ୍ଷେ ସମ୍ବର୍ଦ୍ଧନା ସମାରୋହ ଶନିବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି। ୨୦୨୫ ମସିହା ଦଶମ ଶ୍ରେଣୀ ପରୀକ୍ଷାରେ ଏ୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସହ ଅନ୍ୟ ବିଦ୍ୟାଳୟର ଶ୍ରେଷ୍ଠ କୃତି ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ଉଦ୍ଦେଶ୍ୟରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା।

ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଥିକ ପ୍ରୋତ୍ସାହିତ କରିବା ସହିତ ବିଦ୍ୟାଳୟ ଗୁଡ଼ିକୁ ଉତ୍ସାହିତ କରିବା ଏହାର ମୂଳ ଉଦ୍ଦେଶ୍ୟ। ରଞ୍ଜନ ପାର୍ବତୀ ଚାରିଟେବଲ ଟ୍ରଷ୍ଟ ଅଧକ୍ଷ ରଞ୍ଜନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଦିଲୀପ କୁମାର ଜେନା, କାକଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ସ୍ବାଇଁ, ଶିକ୍ଷାବିତ କୈଳାସ ଚନ୍ଦ୍ର ରାୟ, ବିଚିତ୍ର ନନ୍ଦ ଦାସ, ଶ୍ରୀଧର ଜେନା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ବ୍ଲକର ୨୪ ଟି ଉଚ୍ଚ ବିଦ୍ୟାଳୟର ୩୫ ଜଣ ମେଧାବୀ ଛାତ୍ରଛାତ୍ରୀ ଓ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଆର୍ଥିକ ପୁରସ୍କାର ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଟ୍ରଷ୍ଟ ସଂଯୋଜକ ତଥା ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ପଙ୍କଜିନି ଦେଇ ପରିଚାଳନା କରିଥିଲେ।
କୋଣାର୍କ ରୁ ଜ୍ଞାନ ରଞ୍ଜନ ବିଶ୍ଵାଳ
