କିଛି ସ୍ବପ୍ନ କିଛି ଆଶା

             କିଛି ସ୍ବପ୍ନ କିଛି ଆଶା

   🖊️କବିରତ୍ନ ନୂତନ କୁମାର ବେହେରା

କିଛି ସ୍ବପ୍ନ କିଛି ଆଶା
ଜୀବନ ସହିତ ଅଲିଖିତ ଚୁକ୍ତିନାମାର
ସର୍ତ୍ତରେ ହୋଇଥାନ୍ତି ଅନୁବନ୍ଧିତ
ସେମାନେ ମନ ଆକାଶକୁ
ରଖିଥାନ୍ତି ସ୍ଵଚ୍ଛ ସୁନ୍ଦର ଓ ନିର୍ମଳ
ଦିବସର ସୂର୍ଯ୍ୟ ରଜନୀର ଜହ୍ନ ସମ
ଚେତନା ଶକ୍ତିରୁ ଦୂରାଇ ଦିଅନ୍ତି
ଜମାଟ ବାନ୍ଧି ରହିଥିବା ଅନ୍ଧକାରକୁ
ଆଲୋକ ପଥେ ଚଳାଇଥାନ୍ତି
ଲକ୍ଷ୍ୟ ଓ ଠିକଣାରେ ପହଞ୍ଚାଇବାକୁ
କିଛି ସ୍ବପ୍ନ କିଛି ଆଶା
ପିତାମାତାଙ୍କ ପରି ନିର୍ବିକାର ଶ୍ରଦ୍ଧାରେ
ଭରି ଦେଉଥାନ୍ତି ଉତ୍ସାହ ପ୍ରେରଣା
ସତ୍ କର୍ମ କରିବାକୁ ଦିଅନ୍ତ ଉପଦେଶ
ଯା’ ରହିଥାଏ ପ୍ରାଣର ସ୍ପନ୍ଦନରେ
ଉଦ୍ୟମ ପ୍ରଚେଷ୍ଟା କରିବାକୁ ଯୋଗାନ୍ତି
ମନକୁ ସାହସ ଶକତିର ଇନ୍ଧନ
ଜୀବନ ହୁଏ ସଂଯମୀ ଶୃଙ୍ଖଳିତ ମାର୍ଜିତ
ଦୃଢ଼ କରନ୍ତି ଆତ୍ମବିଶ୍ଵାସକୁ
ହୃଦୟରେ ରହିଥାଏ ଅତୁଟ ଭରସା
ଧୈର୍ଯ୍ୟ ଓ ସହିଷ୍ଣୁତା ହୁଅନ୍ତି ସହଚର
ଯା’ ଦ୍ଵାରା ଜଣେ ସୁଦକ୍ଷ କର୍ମୀ ହୋଇ
ଛୁଇଁଥାଏ ସଫଳତାର ଶୀର୍ଷକୁ
କିଛି ସ୍ବପ୍ନ କିଛି ଆଶା
ସଜାଗ କରନ୍ତି ମିଛର ମରୀଚିକାରେ
ଦୂରାଇ ଦିଅନ୍ତି ଆଶଙ୍କାର କୁହୁଡ଼ିକୁ
ବୁଝାଇ ଥା’ନ୍ତି ସତ୍ୟ ଓ ଅହିଂସାର ସଂଜ୍ଞା
ମୂଲ୍ୟାୟନ କରନ୍ତି ବ୍ୟକ୍ତିତ୍ବକୁ
ଗଢ଼ି ଦିଅନ୍ତି ଏକ ମହାନ୍ ଆଦର୍ଶ ଚରିତ୍ର
ସେ ସବୁ ହୋଇ ରୁହନ୍ତି ଯେବେ ସକରାତ୍ମକ
ଅସମ୍ଭବ ମଧ୍ୟ ହୋଇଥାଏ ସମ୍ଭବ
ଯେବେ ଯେବେ ଆଣନ୍ତି ନକରାତ୍ମକ ଭାବ
ଚିର ଶତ୍ରୁ ଭାବରେ ହୁଅନ୍ତି କ୍ଷତିକାରକ
ସେଇ କିଛି ସ୍ବପ୍ନ କିଛି ଆଶା……।

     କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *