ଜୀବନ — ୨

   🖊️କବିରତ୍ନ ନୂତନ କୁମାର ବେହେରା

ଜୀବନ ଏକ ଲଢୁଆ ସୈନିକ
ଏ ସମାଜର ପ୍ରଶସ୍ତ ଯୁଦ୍ଧଭୂମିରେ
ହୋଇ ଅବତୀର୍ଣ୍ଣ ସେ ଯୁଝୁଥାଏ ଅହରହ
ଜନ୍ମରୁ ତାର ମୃତ୍ୟୁ ପର୍ଯ୍ୟନ୍ତ
ପ୍ରତି ମୁହୂର୍ତ୍ତରେ ସାମ୍ନା କରି ଶତ୍ରୁମାନଙ୍କୁ
କେବେ ଲଢ଼େ ମୁଠାଏ ଦାନା ପାଇଁ
କେବେ ପୁଣି ପିଠିକୁ ଯୋଗାଇବା ଲାଗି କନା
ପରିବାର ବର୍ଗଙ୍କ ନିରାପତ୍ତା ସୁରକ୍ଷା
ଆତ୍ମୀୟଙ୍କ ସହିତ ସୁସଂପର୍କ ସ୍ଥାପନ କରିବା
ସବୁଠି ବହିଥାଏ ଜଞ୍ଜାଳର ବୋଝ
କେବେ ଲଢ଼େ ଦୁଃସାଧ୍ୟ ଯନ୍ତ୍ରଣାଦାୟକ
ରୋଗ ବୈରାଗ୍ୟ ମାନଙ୍କ ସାଥୀରେ
କେବେ ଲଢ଼େ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ
ହୁଏ କ୍ଷକ୍ତାକ୍ତ ଲହୁ ଲୁହାଣରେ ବିବଶ
କେବେ ଜୟଲାଭ କରି ଉଡାଏ ବିଜୟ ଧ୍ଵଜା
ଜୀବନ ଏକ ଅନୁଭବ ଅନୁଭୂତିର ଦସ୍ତାବିଜ
ମାନସିକତା ନେଇ କରେ ସଂଜ୍ଞା ନିରୂପଣ
ଦିଏ ତାର ନିଜ ଅଭିଜ୍ଞତାରୁ ବିବୃତି
ଜୀବନର ଗୋଟିଏ ପାର୍ଶ୍ଵରେ ହସ ଖୁସି ଆନନ୍ଦ
ଅନ୍ୟ ପାର୍ଶ୍ଵରେ ଖେଳେ ଲୁହର ଲହରୀ
କେବେ ପତର ତଳେ କେବେ ପଥର ତଳେ
ରହିଥାଏ ସେ ଚାପି ହୋଇ
ପରିବେଶ ପରିସ୍ଥିତିକୁ ଜାବୁଡ଼ି ଧରି
କେବେ ପାଲଟି ଯାଏ ସୁଅ ମୁହଁର ପତର
ପ୍ରତି ମୁହୂର୍ତ୍ତ ଅଜଣା ଆତଙ୍କିତରେ
ପ୍ରମାଦ ଗଣେ ମୁକୁଳିବାର ଉପାୟ ଚିନ୍ତେ
ହାରି ଯାଉଥିଲେ ଜିତିବାକୁ କରେ ଆଶା ସୁଦୃଢ଼
ପାଇବା ହଜାଇବାର ଦ୍ଵନ୍ଦ୍ଵରେ ହୁଏ ବାନ୍ଧି
ନିଜକୁ ବଞ୍ଚାଇ ଅନ୍ୟକୁ ବଞ୍ଚାଏ
ଖୋଜୁଥାଏ ଅଭୟ ନିର୍ଭୟ ଆଶ୍ରୟସ୍ଥଳ
ଆପଣାର ଲୋକ ପାଖରେ ପାଏ ସ୍ନେହ ମମତା
ଅନ୍ୟ ଶତ୍ରୁ ନିକଟରୁ ପାଏ ନିର୍ଯ୍ୟାତନା
ହସ ଲୁହକୁ ସାଥୀ କରି ସେ ବଢେ ଆଗକୁ
ଜୀବନ ଭିତରେ ସଜାଡ଼େ ଜୀବନକୁ
ଅନ୍ଧାରରୁ ଆଲୋକ ଆଡ଼କୁ ତାର ଅଭିଯାନ
ଅସରନ୍ତି ଆଶାର ନଥାଏ କିଛି ସୀମା
ସ୍ବପ୍ନ କିଛି ହୁଏ ସଫଳ କିଛି ରହେ ସ୍ବପ୍ନରେ
ଜୀବନର ପୂର୍ଣ୍ଣାଙ୍ଗ ହୁଏନା କାହାରି
ଏ ତ ଅପରିପୂର୍ଣ୍ଣ ଅସଂପୂର୍ଣ୍ଣ ଜନ୍ମ ଜନ୍ମରେ
ଦୁଃଖ ଭିତରେ ସୁଖର ଜୀବନ ସାଉଁଟି
ବୁଝୁଥାଏ ଜୀବନର ମର୍ମ କରୁଥାଏ କର୍ମ
ବୟସ ହେଲେ ଅଧିକ ପଡ଼େ ତାର ଅସ୍ତରଙ୍ଗ
ଦେହ ଛାଡି ଚାଲିଯିଏ ଜୀବନ
ନିର୍ଜୀବ ଶରୀର ପରି ମୂଲ୍ୟହୀନ ହୁଏ ସବୁ
ତାର ଅର୍ଜିତ ଧନ ସମ୍ପତ୍ତି ନାମ ପ୍ରତିଷ୍ଠା
ଜୀଵନ ପାଇଁ ଯାହା ଧରି ଥିଲା ସେ ଜାବୁଡ଼ି
ସେ ଜୀବଳ ଚାଲିଯାଏ ସବୁ ଛାଡ଼ି…।

     କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *