ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ୨୦/୫ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା।ବୈଠକରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱାପ୍ନାରାଣୀ ସ୍ୱାଇଁ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ ପ୍ରମୁଖ ଯୋଗ ଦେଇ ଜଳ ସମ୍ପଦ,ଡ୍ରେନେଜ ଡିଭିଜନ,ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ,ଅତ୍ୟାବଶ୍ୟକ ସାମଗ୍ରୀ ସମ୍ପର୍କରେ ବିଭିନ୍ନ ସମସ୍ୟା, ସମାଧାନ ଓ ପ୍ରସ୍ତାବ ମାନ ଦେଇଥିଲେ।ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ବିଶେଷ କରି ଜନସାଧାରଣ ଙ୍କୁ ସତର୍କ ଓ ସଚେତନ କରିବା ସହ ସ୍ୱାସ୍ଥ୍ୟ, ପାନୀୟ ଜଳ, ପଶୁ ସମ୍ପଦ, କୃଷି ଇତ୍ୟାଦି ବିଭାଗ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।ଜଳସମ୍ପଦ ବିଭାଗ ନଦୀ ବନ୍ଧ ସୁଦୃଢ କରିବା, ମରାମତି କରିବା, ବିଭିନ୍ନ ସାମଗ୍ରୀ ମହଯୁଦ ରଖିବା, ଡ୍ରେନେଜ ଡିଭିଜନ ପକ୍ଷରୁ ଦଳ ସଫା କରିବା,ଦୁର୍ବଳ ବ୍ରିଜ ଗୁଡିକୁ ମରାମତି କରିବାକୁ ଏକ ଯୁଗ୍ମ କମିଟି ଗଠନ କରି ଦୃଢ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା କାର୍ଯ୍ୟ ସୂଚୀ ଅନୁସାରେ ବୈଠକ ପରିଚାଳନା କରିଥିଲେ।ନିଷ୍ପତ୍ତି ଅନୁସାରେ ଜିଲ୍ଲାରେ ଅହୋରାତ୍ର ଜରୁରୀ ବିଭାଗ ପାଇଁ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହେବ ଓ ବିଡ଼ିଓ, ତହସିଲଦାର ମାନେ ଦୈନିକ ପରିସ୍ଥିତି ବା ସିଚୁଏସନ ରିପୋର୍ଟ ପ୍ରଦାନ କରିବେ।ବର୍ତ୍ତମାନ ବାତ୍ୟା ବନ୍ୟା ମୁକାବିଲା ପାଇଁ ଉଦିଷ୍ଟ ସମସ୍ତ ଉପକରଣ ଗୁଡିକ ର ତଦାରଖ ଓ ମରାମତି କରି ଜିଲ୍ଲା କୁ ରିପୋର୍ଟ କରିବାକୁ ଜିଲ୍ଲାପାଳ ବିଭିନ୍ନ ବିଭାଗ କୁ ପରାମର୍ଶ ଦେଇଥିଲେ।ଜିଲ୍ଲାରେ ୨୬ଟି ଏସ ଆର ସି ବୋଟ ରହିଛି।ଓସଡାମା ପକ୍ଷରୁ ୧୭୦ ଟି ବାତ୍ୟା ଆଶ୍ରୟ ସ୍ଥଳ ଓ ରେଡକ୍ରସ ପକ୍ଷରୁ ୯ ଟି ବାତ୍ୟା ଆଶ୍ରୟ ସ୍ଥଳ ରହିଛି।ସେହିପରି ୩୭୧ ଟି ବିକଳ୍ପ ଆଶ୍ରୟ ସ୍ଥଳ ମଧ୍ୟ ରହିଛି।ସରକାର ଓ ଏସଆରସି ଧାର୍ଯ୍ୟ କରିଥିବା ମାର୍ଗଦର୍ଶିକା କୁ ସଠିକ ଭାବେ ଅନୁପାଳନ କରିବାକୁ ଶ୍ରୀ ସ୍ବାଇଁ ପରାମର୍ଶ ଦେଇଥିଲେ।ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ଗୁଡିକ ର ମରାମତି ଓ ବାସପୋଯୋଗୀ କରିବା, ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ସାମଗ୍ରୀ ମହଯୁଦ ରଖିବା, ନିୟନ୍ତ୍ରଣ କକ୍ଷ ପରିଚାଳନା କରିବା, ଜନପ୍ରତିନିଧି ଓ ପଞ୍ଚାୟତ ପ୍ରତିନିଧି, ସ୍ୱଛାସେବୀ ମାନଙ୍କ ସହ ଯୋଗାଯୋଗ ମାଧ୍ୟମରେ ଜରୁରୀ ସୂଚନା ପ୍ରଦାନ କରିବା, ଖାଦ୍ୟ, ଔଷଧ, ଗୋ ଖାଦ୍ୟ ଇତ୍ୟାଦି ମହଯୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡା ଶରତ ଚନ୍ଦ୍ର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଅତିରିକ୍ତ ଏସ ପି ସୁଶୀଲ ମିଶ୍ର,ସାଂସଦ ବିଧାୟକ ଙ୍କ ପ୍ରତିନିଧି ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ଜରୁରୀ ବିଭାଗ ଡେପୁଟି କଲେକ୍ଟର ମନିଷା ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ବୈଠକରେ ସମସ୍ତ ବ୍ଲକ ଅଧ୍ୟକ୍ଷ,ବିଡ଼ିଓ, ତହସିଲଦାର, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବିଭିନ୍ନ ବିଭାଗ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *