ଗୋପରେ ଗୋ ଚାଲାଣ ରାକେଟ
ଗୋପରେ ଗୋ ଚାଲାଣ ରାକେଟ। ୧୦୦ରୁ ଊର୍ଦ୍ଧ୍ବ ଗାଈ ଜବତ।
ଗୋପ,୨୧.୦୬(ଜ୍ଞାନ ରଞ୍ଜନ ବିଶ୍ଵାଳ) :
ଗୋପ ଥାନା ଅଧୀନସ୍ତ ବିରତୁଙ୍ଗ ପଞ୍ଚାୟତ ମନାପଡ଼ା ଗ୍ରାମରେ ୧୦୦ରୁ ଅଧିକ ସଂଖ୍ୟକ ଗାଈ ଗ୍ରାମବାସୀ ମାନଙ୍କ ଦ୍ଵାରା ଉଦ୍ଧାର କରାଯାଇଛି। ବୁଧବାର ସନ୍ଧ୍ୟାରେ ୩ ଜଣ ଗୋରୁ ବେପାରୀ ଗାଈ ଗୁଡ଼ିକୁ ନୟାହାଟ ଅଭିମୁଖେ ଚଲାଇ ଚଲାଇ ନେଉଥିବା ବେଳେ ମନାପଡ଼ା ବିରତୁଙ୍ଗ ଗ୍ରାମବାସୀ ସେମାନଙ୍କୁ ଅଟକାଇ ବେପାରୀ ମାନଙ୍କୁ ପଚରାଉଚରା କରିଥିଲେ। ତଥ୍ୟ ଦେଇ ନପାରି ଭୟଭୀତ ହୋଇ ୨ ଜଣ ବେପାରୀ ଦୌଡ଼ି ଦୌଡ଼ି ପଳାଇଥିଲେ ଓ ଅନ୍ୟ ଜଣଙ୍କୁ ମାଡ଼ି ବସିଲେ ସ୍ଥାନୀୟ ଲୋକେ ।
ଏତେ ସଂଖ୍ୟକ ଗୋରୁ ଗାଈ କେଉଁଠୁ ଆଣିଲ ବୋଲି ଗ୍ରାମବାସୀ ପ୍ରଶ୍ନ କରିବାରୁ ସେ ଥତମତ ହୋଇ ଯାଇଥିଲେ। ପରେ ବେପାରୀଙ୍କ ସହ ଗାଈଗୁଡ଼ିକୁ ମନାପଡ଼ା ପ୍ରାଥମିକ ବିଦ୍ୟାଳୟରେ ଗାଁ ଲୋକେ ରଖିଥିଲେ। ଏନେଇ ଗୋପ ପୁଲିସ୍କୁ ଖବର ଦେଇଥିଲେ। ଗୋପ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପଢ଼ିଆରୀ ଘଟଣା ସ୍ଥଳରେ ପହଞ୍ଚି ବେପାରୀକୁ ଥାନାକୁ ଆଣିଛନ୍ତି । ଉଦ୍ଧାର ଗାଈଗୁଡ଼ିକୁ ଗୋଶାଳା ଛାଡ଼ିବାକୁ ଯୋଜନା କରାଯାଉଥିବା ପୋଲିସ୍ ପକ୍ଷରୁ ସୁଚନା ଦିଆଯାଇଛି। ଏତେ ସଂଖ୍ୟକ ଗୋରୁ କେଉଁଠୁ ଆସିଲେ। ଏଥିରେ ଏକ ବଡ ଗୋରୁ ଚୋର ଗ୍ୟାଙ୍ଗ ବା ରାକେଟ ଥାଇ ପାରନ୍ତି ବୋଲି ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି। ଉପଯୁକ୍ତ ତଦନ୍ତ କରି ପ୍ରକୃତ ଗୋରୁ ମାଫିଆ ମାନଙ୍କୁ ସାଧାରଣରେ ଧରିବାକୁ ଦାବି ହେଉଛି।
