ଟାଟାଷ୍ଟିଲ୍ କଳିଙ୍ଗନଗର ପ୍ଲାଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଉଦଘାଟିତ

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଟାଟା
ଷ୍ଟିଲ୍ କଳିଙ୍ଗନଗର ପ୍ଲାଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଉଦଘାଟିତ

  • ଟାଟାଷ୍ଟିଲ କଳିଙ୍ଗନଗର କାରଖାନା ବିସ୍ତାର ପ୍ରକଳ୍ପର ଉଦ୍‌ଘାଟନ ଆମ ମିଳିତ ଯାତ୍ରାର ଆଉ ଗୋଟିଏ ଶକ୍ତିଶାଳୀ ପ୍ରତୀକ: ମୁଖ୍ୟମନ୍ତ୍ରୀ
  • ୨୭ ହଜାର କୋଟି ଟଙ୍କା ନିବେଶ ସହ କାରଖାନାର ଉତ୍ପାଦନ କ୍ଷମତା ବାର୍ଷିକ ୩ ରୁ ୮ ନିୟୁତ ଟନ୍ ପର୍ଯ୍ୟନ୍ତ ବୃଦ୍ଧି ହେବାକୁ ଯାଉଛି
  • ଅଟୋମୋଟିଭ୍‌, ଭିତ୍ତିଭୂମି ଏବଂ ବିଦ୍ୟୁତ୍ ଭଳି ପାରମ୍ପରିକ କ୍ଷେତ୍ର ତଥା ଜାହାଜ ନିର୍ମାଣ ଓ ପ୍ରତିରକ୍ଷା ଭଳି ଉଦୀୟମାନ କ୍ଷେତ୍ର ଉପରେ ଫୋକସ
  • ଟାଟା ଷ୍ଟିଲ ପାଇଁ ଏକକ ସ୍ଥାନରେ ବିନିଯୋଗର ସ୍ଥଳ ହୋଇଛି ଓଡ଼ିଶା

କଳିଙ୍ଗନଗର, ୨୨/୦୫/୨୦୨୫: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁବାର ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲାଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟର ଉଦଘାଟନ କରିଛନ୍ତି। ଏହି ସମ୍ପ୍ରସାରଣ ଫଳରେ ପ୍ଲାଣ୍ଟରେ କ୍ରୁଡ ଷ୍ଟିଲ ଉତ୍ପାଦନ କ୍ଷମତା ବାର୍ଷିକ ୩ ନିୟୁତ ଟନ୍ ରୁ ୮ ନିୟୁତ ଟନ୍ (ଏମଟିପିଏ)କୁ ବୃଦ୍ଧି ହେବା କୁ ଯାଉଛି।

ଯାଜପୁର ଜିଲ୍ଲାସ୍ଥିତ ଏହି ପ୍ଲାଣ୍ଟରେ ଆୟୋଜିତ ସମାରୋହରେ ସମବାୟ, ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, ଉଦ୍ୟୋଗ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଯାଜପୁର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକ, ବଡଚଣା ବିଧାୟକ ଅମର କୁମାର ନାୟକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଇପିକଲ ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ ଏବଂ ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଉପସ୍ଥିତ ଥିଲେ।

ଉଦଘାଟନୀ ସମାରୋହରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, “ଆଜି ଟାଟା ଗ୍ରୁପ୍ ସହ ଆମ ଯାତ୍ରାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଛୁଇଁଛୁ। ଟାଟା ଗ୍ରୁପ୍ ଗତ ଶତାବ୍ଦୀ ଧରି ଭରସା, ଉତ୍କୃଷ୍ଟତା ଓ ରାଷ୍ଟ୍ର ନିର୍ମାଣ ପ୍ରତି ପ୍ରତିବଦ୍ଧତାର ପ୍ରତୀକ ହୋଇରହିଛି। ଟାଟାଷ୍ଟିଲ କଳିଙ୍ଗନଗର କାରଖାନା ବିସ୍ତାର ପ୍ରକଳ୍ପର ଉଦ୍‌ଘାଟନ ଆମ ମିଳିତ ଯାତ୍ରାର ଆଉ ଗୋଟିଏ ଶକ୍ତିଶାଳୀ ପ୍ରତୀକ। ସୁରକ୍ଷା, ସ୍ଥାୟିତ୍ୱ ଓ ସମୁଦାୟ ସେବା ପାଇଁ ଟାଟା ଗ୍ରୁପ୍ ସବୁବେଳେ ତାର ପ୍ରତିବଦ୍ଧତାକୁ ବଜାୟ ରଖିଛି। ଓଡ଼ିଶାପ୍ରତି ଅତୁଟ ବିଶ୍ୱାସ ପାଇଁ ଟାଟା ଗ୍ରୁପକୁ ଧନ୍ୟବାଦ। ଆମେ ମିଳିତ ଭାବେ କେବଳ କାରଖାନା ନୁହେଁ, ଭବିଷ୍ୟତ ତିଆରି କରୁଛୁ।“

ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଟି ଭି ନରେନ୍ଦ୍ରନ, ଟାଟା ଷ୍ଟିଲର ଉପ ସଭାପତି (କର୍ପୋରେଟ ସର୍ଭିସେସ) ଡି ବି ସୁନ୍ଦର ରାମମଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ନେତା, ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗୋଷ୍ଠୀର ସଦସ୍ୟ ଏବଂ କମ୍ପାନୀ କର୍ମଚାରୀ ଉପସ୍ଥିତ ଥିଲେ।

ଏହି ବିସ୍ତାରିତ ଅତ୍ୟାଧୁନିକ ପ୍ଲାଣ୍ଟ ଭବିଷ୍ୟତ ପାଇଁ ଇସ୍ପାତ ନିର୍ମାଣ ନିମନ୍ତେ ପରିବେଶ ଗଠନ ଦିଗରେ କମ୍ପାନୀର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ ମାଇଲଖୁଣ୍ଟ।

ଟାଟା ଷ୍ଟିଲର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନ କହିଛନ୍ତି, “କଳିଙ୍ଗନଗର ଆମ ପାଇଁ ଏକ ଉତ୍ପାଦନ ପ୍ଲାଣ୍ଟ ଠାରୁ ବହୁତ ଅଧିକ। ଯେତେବେଳେ ସମାଜ, ସରକାର ଓ ଉଦ୍ୟୋଗ ମିଳିତ ଭାବେ କାର୍ଯ୍ୟ କରନ୍ତି, ସେତେବେଳେ ଏପରି ବିକାଶ ସମ୍ଭବ ହୋଇଥାଏ। ଏହି ପ୍ଲାଣ୍ଟ ସଂପ୍ରସାରଣ ଓଡ଼ିଶା ପ୍ରତି ଆମର ଗଭୀର ବିଶ୍ୱାସ ଏବଂ ଦୀର୍ଘମିଆଦୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ନିରନ୍ତର ସମର୍ଥନ ପାଇଁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଜନତା ଓ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଉଛୁ। ମିଳିତ ଭାବେ ଆମେ କେବଳ ଇସ୍ପାତ ନୁହେଁ ବରଂ ଏକ ଶକ୍ତିଶାଳୀ, ଆତ୍ମନିର୍ଭରଶୀଳ ଭାରତ ଗଠନ କରୁଛୁ।’

ଭାରତର ସବୁଠାରୁ ଆଧୁନିକ ଓ ଉନ୍ନତ ଇନ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟ ମଧ୍ୟରୁ ଅନ୍ୟତମ ହେଉଛି ଟାଟା ଷ୍ଟିଲ କଳିଙ୍ଗନଗର, ଯାହା ଅଟୋମୋଟିଭ୍‌, ପ୍ରତିରକ୍ଷା, ଅବସ୍ଥାପନା, ଇଞ୍ଜିନିୟରିଂ, କ୍ୟାପିଟାଲ୍ ଗୁଡ୍ସ, ତେଲ ଏବଂ ଗ୍ୟାସ, ନବୀକରଣୀୟ ଉର୍ଜା ଓ ଜାହାଜ ନିର୍ମାଣ ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକ ପାଇଁ ବିଶ୍ୱମାନ୍ୟତା ସମ୍ପନ୍ନ ଷ୍ଟିଲ ଉତ୍ପାଦନ କରୁଛି। ଏହାଯୋଗେ ଟାଟା ଷ୍ଟିଲ, ଭାରତ ସରକାରଙ୍କ “ଆତ୍ମନିର୍ଭର ଭାରତ’ ଦୃଷ୍ଟିଭଙ୍ଗୀ କୁ ସମର୍ଥନ ଦେଇପାରିଛି ।

କଳିଙ୍ଗନଗର ପ୍ଲାଣ୍ଟ ର ଏହି ନୂତନ ବ୍ଲାଷ୍ଟ ଫର୍ନେସ୍ ଦେଶର ସର୍ବବୃହତ୍‌। ୫୮୭୦ ଏମ୍ କ୍ୟୁ ଆୟତନ ସହିତ, ଦୀର୍ଘ ସମୟ ଚାଲିପାରିବା ପାଇଁ ପରିବେଶ ଅନୁକୂଳ ଡିଜାଇନ୍ ଏବଂ ଉତ୍ପାଦନ ପ୍ରକ୍ରିୟାରେ ଏହା ଉନ୍ନତି ଆଣିପାରିଛି। ଏହି ବ୍ଲାଷ୍ଟ ଫର୍ନେସ୍ ହଟ୍ ମେଟାଲ୍ ଉତ୍ପାଦନରେ ଇନ୍ଧନ ଖର୍ଚ୍ଚରେ ଉନ୍ନତି ଆଣିବା ପାଇଁ ଭାରତରେ ପ୍ରଥମ ଥର ପାଇଁ ଚାରୋଟି ଶ୍ରେଷ୍ଠ ଦହନଶୀଳ ଷ୍ଟୋଭ୍ ବ୍ୟବହାର କରିବ। କଳିଙ୍ଗନଗର କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ରହିଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ମଧ୍ୟରେ ରହିଛି, ଏକ ପେଲେଟ୍ ପ୍ଲାଣ୍ଟ, କୋକ୍ ପ୍ଲାଣ୍ଟ ଏବଂ କୋଲଡ ରୋଲିଂ ମିଲ୍‌। ସେଗୁଡ଼ିକରେ ଉନ୍ନତ ପ୍ରଯୁକ୍ତି ଓ ସ୍ଥାୟିତ୍ୱ ଅଭ୍ୟାସକୁ ସମନ୍ୱିତ କରାଯାଇଛି।

Leave a Reply

Your email address will not be published. Required fields are marked *