ଅପମିଶ୍ରିତ ଖାଦ୍ଯ ପାଇଁ ପେଟ ରୋଗ ବଢୁଛି
ପୁରୀ,୨୩/୫- ଜୁନ ୨୭ ତାରିଖ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ଭକ୍ତ ମାନେ ଆସୁଛନ୍ତି । ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ ସହ ବେଳାଭୂମି ସମୁଦ୍ରକୂଳରେ ସ୍ନାନ କରି ମଜା ନେବା ସହ ବେଳାଭୂମିର ଦୃଶ୍ଯ ଉପଭୋଗ କରୁଛନ୍ତି । ଖାଇବା ପାଇଁ ସହର ବିଭିନ୍ନ ଛକ ସମେତ ସାହି ଗଳିରେ ବୁଲି ସୁସ୍ବାଦ ଖାଦ୍ଯ ଖାଉଛନ୍ତି । କିନ୍ତୁ ଏହି ଖାଦ୍ଯ ଖାଇବା ପରେ ବିଭିନ୍ନ ପେଟ ଜନିତ ରୋଗର ଶିକାର ହେଉଛନ୍ତି । ଏହି ବାହାର ଖାଦ୍ୟରେ ଦିନକୁ ବୃଦ୍ଧି ପାଉଛି ଅପମିଶ୍ରିତ ଖାଦ୍ଯ । ବ୍ଯବସାୟିକ ସ୍ଥଳ,ବାଣିଜ୍ଯ ସ୍ଥଳ, ସ୍ବାସ୍ଥ୍ୟ ବିଭାଗ, କୋଟ କଚେରି ଆଦି ଜିଲ୍ଲାସ୍ତରୀୟ କାର୍ଯ୍ଯାଳୟକୁ ପ୍ରତିଦିନ ହଜାର ହଜାର ସଂଖ୍ୟକ ଜନସାଧାରଣ ଆସୁଥିବାର ଲକ୍ଷ୍ଯ କରାଯାଇଛି । ଏଭଳି ସ୍ଥିତିରେ ସହରରେ ବିଭିନ୍ନ ରାସ୍ତା ପାର୍ଶ୍ବରେ ଖୋଲାଖୋଲି ଭାବରେ ଅପମିଶ୍ରିତ ବିକ୍ରି ହେଉଥିବା ଜଣାପଡିଛି । ବିଶେଷକରି ଦହିବରା, ଗୁପଚୁପ, ଚାଟ,ପିଜା, ବିରିୟାନୀ ଆଦି ରନ୍ଧା ଖାଦ୍ଯ ଏବଂ ପୋଡା ତେଲରେ ପକୋଡି, ବରା, ମାଛଭଜା ସହ ବାସି ଖାଦ୍ଯ ଫ୍ରିଜରେ ରଖି ତାପରଦିନ ମଧ୍ଯ ନିମ୍ନ ମାନର ଖାଦ୍ଯ ପରଷୁଛନ୍ତି । ଏତଦବ୍ୟତୀତ ହୋଟେଲ, ରେଷ୍ଟୁରାଣ୍ଟ ଆଦିରେ ବ୍ଯବସାୟୀ ମାନେ ଖୋଲାଖୋଲି ଭାବରେ ଗରାଖଙ୍କୁ ବିଭିନ୍ନ କିସମର ଖାଦ୍ଯ ପରଷି ମାଲେମାଲ ହେଉଛନ୍ତି । ଉଠାଦୋକାନୀ ମାନେ ଯିଏ ଯେଉଁଠି ପାଇଲା ରାସ୍ତା କଡରେ, ନାଳ ଉପରେ ବସି ଖାଦ୍ଯ ପ୍ରସ୍ତୁତ କରି ଗରାଖଙ୍କୁ ଖାଦ୍ଯ ବିକ୍ରି କରୁଛନ୍ତି । ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ଖାଦ୍ଯ ପ୍ରସ୍ତୁତ କରାଯାଇ ଗରାଖଙ୍କ ଆଖିକୁ ସୁନ୍ଦର ଦିଶିଲାଭଳି ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି । ଏଭଳି ସ୍ଥିତିରେ ରାସ୍ତାରେ ପ୍ରତି ମୁହୂର୍ତ୍ତରେ ଶତାଧିକ ଯାନବାହାନ ଯିବା ଆସିବା କରୁଥିବାରୁ ରାସ୍ତାର ଧୂଳି ଖାଦ୍ଯରେ ପଡି ପ୍ରଦ୍ଯୁଷିତ ହେଉଛି । ବିଶେଷକରି ବଡଶଙ୍ଖ, ଶରଧାବାଲି,ବଳଗଣ୍ଡି ଛକ, ମାର୍କେଟ ଛକ, କଲେଜ ଛକ,ପୁରୁଣା ସଦରଥାନା ଛକ, କଚେରି ଛକ, ପେଣ୍ଠକଟା ଅଞ୍ଚଳ, ସ୍ବର୍ଗଦ୍ବାର ଛକ,ସିଦ୍ଧମହାବୀର ଛକ, ବଳିଆପଣ୍ଡା ଛକ, ମଙ୍ଗଳାଘାଟ ଛକ ସମେତ ଶ୍ରୀମନ୍ଦିର ଚତୁପାର୍ଶ୍ଵ ଓ ବିଭିନ୍ନ ସାହି ଗଳି କନ୍ଦିରେ ପସରା ପକାଇ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଖାଦ୍ଯ ପରିବେଷଣ କରୁଛନ୍ତି ।ଏହି ଖାଦ୍ଯର ମାନ କିଭଳି ରହୁଛି ସେଥିପ୍ରତି ଜିଲ୍ଲା ଖାଦ୍ଯ ନିରାପତ୍ତା ବିଭାଗର କୌଣସି ଅଙ୍କୁଶ ସେମାନଙ୍କ ଉପରେ ଲାଗିପାରୁନାହିଁ ।ଏହି ନିମ୍ନ ମାନର ଖାଦ୍ଯ ଖାଇ ସମାଜର ବିଭିନ୍ନ ବର୍ଗର ଲୋକ ରୋଗାକ୍ରାନ୍ତ ହେଉଥିବା ଜଣାପଡିଛି । ବାରମ୍ବାର ଗଣମାଧ୍ୟମରେ ରାସ୍ତାକଡ ଖାଦ୍ଯର ମାନ ଯାଞ୍ଚ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ଖାଦ୍ଯ ନିରାପତ୍ତା ବିଭାଗ କୌଣସି ପ୍ରକାର ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରୁନଥିବା ଜଣାପଡିଛି । ଏହା ସହିତ ଖାଦ୍ଯ ଯାଞ୍ଚ କରାଯାଉଥିବାରୁ ଦିନକୁ ଦିନ ସମସ୍ଯା ଗୁରୁତର ହେବାରେ ଲାଗିଛି । ରଥଯାତ୍ରା ପୂର୍ବରୁ ଖାଦ୍ଯ ଯାଞ୍ଚ ଅଧିକାରୀ ଲୋକଦେଖାଣିଆ ଚଢାଉ କରି ବାହାବା ନେଇଥାନ୍ତି । ପରେ ସ୍ଥାଣୁ ପାଲଟିଯାଆନ୍ତି । ଏସବୁ ଦେହସୁହା ହୋଇଗଲାଣି ଖାଦ୍ଯ ବ୍ଯବସାୟୀଙ୍କ ଏଣୁ ଏଥିପ୍ରତି ଜିଲ୍ଲାପାଳ ଓ ସ୍ବାସ୍ଥ୍ୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।
