ମହାସତୀ ସାବିତ୍ରୀ ବ୍ରତ

ମହାସତୀ ସାବିତ୍ରୀ ବ୍ରତ
          ( ରାଗ — ବଙ୍ଗଳା ଶ୍ରୀ )

   🖊କବିରତ୍ନ ନୂତନ କୁମାର ବେହେରା

ଐତିହ୍ୟ ସଂସ୍କୃତି   ପରମ୍ପରା ପାଳି
         ମାନବ ରହେ ସମାଜେ,
ଜୀବନେ ଦେଖାଇ ତା’ ନିଷ୍ଠା ଆଦର୍ଶ
       ଭବେ ସୁଖ ଶାନ୍ତି ଖୋଜେ।୧।
କର୍ମେ ଧର୍ମେ ରଖି   ତା’ ବିଧି ବିଧାନ
        ଆଚରି ଥାଏ ସେ ସତ,
କାୟ ମନ ବାକ୍ୟେ  କରି ଆଚରଣ
     ପାଳେ ଯା’ ତା’ ନାମ ବ୍ରତ।୨।
ନାରୀ ଓ ପୁରୁଷ  ସଂସାରରେ ଦୁଇ
      ନାରୀ ଯେ ଗୃହର ଦେବୀ,
ପାଳି ଓଷା ବ୍ରତ    ମନାସଇ ଶୁଭ
      ପରିବାର ହିତେ ସେବି।୩।
ସ୍ଵାମୀ ଅନୁଗତା   ପତିବ୍ରତା ନାରୀ
        କରେ ଅସାଧ୍ୟ ସାଧନ,
ତାର ପୁଣ୍ୟ ବଳେ  ପରିବାର ହସେ
       ସୁରକ୍ଷିତ ହୁଏ ପ୍ରାଣ।୪।
ବହୁ ବର୍ଷ ପୂର୍ବେ  ମଦ୍ର ଦେଶେ ରାଜା
         ଥିଲେ ବୀର ଅଶ୍ବପତି,
ଆଦର୍ଶ ଧାର୍ମିକ   ସୁଶାସକ ଭାବେ
     ଥିଲା ତାଙ୍କ ବହୁ ଖ୍ୟାତି।୫।
ଧର୍ମପତ୍ନୀ ତାଙ୍କର ଥିଲେ ଯେ କୌଶଲ୍ୟା
         ଧର୍ମପ୍ରାଣା ବୁଦ୍ଧିମତି,
ସବୁ ସୁଖ ମଧ୍ୟେ ଦୁଃଖୀ ଥିଲେ ବେନି
       ଖୋଜି ସନ୍ତାନ ସନ୍ତତି।୬।
ଦେବର୍ଷି ନାରଦ  ତାଙ୍କ ଦୁଃଖ ଦେଖି
       ଆୟୋଜନ କଲେ ଯଜ୍ଞ,
ରାଜା ରାଣୀ ବେନି  ଶୁଭ ଚିନ୍ତା କରି
     ସଂକଳ୍ପେ ହେଲେ କୃତଜ୍ଞ।୭।
ଅଠର ବରଷ     ଅବିରତେ ଯଜ୍ଞ
        କରି ପାଇଲେ ସୁଫଳ,
କନ୍ୟା ରତ୍ନଟିଏ    ହେବାରୁ ଜନମ
     ପୂର୍ଣ୍ଣ ହେଲା ତାଙ୍କ କୋଳ।୮।
କମନୀୟା କାନ୍ତି  ପୂର୍ଣ୍ଣ ଶଶୀ ଜ୍ୟୋତି
        ସେ କନ୍ୟା ନାମ ସାବିତ୍ରୀ,
ଜାତକ ଦେଖିଣ  ଦେଲେ ଏଇ ନାମ
       ଜନ୍ମଦାତା ଜନ୍ମଦାତ୍ରୀ।୯।
ହେବାରୁ ସାବିତ୍ରୀ ବିବାହର ଯୋଗ୍ୟା
         ପିତା କଲେ ସ୍ଵୟମ୍ଵର,
ଦେଖି ତାଙ୍କ ତେଜ   ଗ୍ରହଣ ନ କରି
     ଫେରିଲେ ରାଜକୁମାର।୧୦।
ଇଚ୍ଛା ମତେ ବର   ବାଛିବାକୁ ଆଜ୍ଞା
      ଦେଲେ ଯେ ତାଙ୍କର ପିତା,
ବହୁ ସ୍ଥାନ ବୁଲି    ତପୋବନ ଯାଇ
      ଦୂର ହେଲା ତାଙ୍କ ଚିନ୍ତା।୧୧।
ସୌମ୍ୟକାନ୍ତ ରୂପ   ଦେଖି ଯୁବକର
      ପତି ଭାବି ନେଲେ ମନେ,
ଗୃହେ ଫେରି ଆସି  ଜଣାଇଲେ ସବୁ
     ନିଜ ଇଚ୍ଛା ସ୍ଵାଭିମାନେ।୧୨।
ଥିଲେ ପାଶେ ବସି  ଦେବର୍ଷି ନାରଦ
        ଦେଲେ ସବୁ ପରିଚୟ,
ଦ୍ୟୁମତସେନଙ୍କ    ପୁତ୍ର ସତ୍ଯବାନ
      ଉଦାର ଶାନ୍ତ ହୃଦୟ।୧୩।
ରାଜ୍ୟୁ ବିତାଡିତ  ହୋଇ ବନେ ଆସି
          ରହିଛନ୍ତି ପରିବାର,
ସତ୍ୟବାନ ଭାଗ୍ୟେ ଅଛି ମୃତ୍ଯୁ ଯୋଗ
       ଆୟୁଷ ବର୍ଷେ ମାତର।୧୪।
ଶୁଣି ସବୁ କଥା   ପିତାମାତା ଦୁହେଁ
        ସାବିତ୍ରୀଙ୍କୁ କଲେ ମନା,
ବୈଧବ ଜୀବନ  କେମିତି ଦେଖିବେ
      ଭାଗ୍ୟର ଏ ବିଡ଼ମ୍ଵନା।୧୫।
ନିବେଦନ କରି     କହିଲେ ସାବିତ୍ରୀ
         ତାଙ୍କୁ ବରିଛିନ୍ତି ପତି,
ବିଧବା ହେବାର   ଭୟରେ ରହିଲେ
     ହେବେ ଯେ ସିଏ ଅସତୀ ?୧୬।
ନାରୀ ଧର୍ମେ ବରି ନେଲେ ଅନ୍ୟ ପତି
        ସର୍ବେ କହିବେ କଳଙ୍କିନୀ,
ପତିତା ଭାବରେ ହୋଇ ସେ ପାପିନୀ
    ମର୍ଯ୍ୟାଦା କରିବେ ହାନୀ।୧୭।
କନ୍ୟାଟି ଦୁହିତା   ଦୁଇ କୁଳେ ହିତା
        ପିତାମାତାଙ୍କ ସମ୍ମାନ,
ମୃତ୍ୟୁର ଭୟରେ  କଲେ ସେ ଅଧର୍ମ
      କି ଲାଭ ଥାଇ ଜୀବନ ?୧୮।
ମୁଣ୍ଡେ ରଖି ହାତ   ଦେବର୍ଷି ନାରଦ       
        ଆଶିଷ କଲେ ପ୍ରଦାନ,
ମହାସତୀ ହୁଅ      ସଂକଟ ଘୁଞ୍ଚାଅ
     କହି ହେଲେ ଅନ୍ତର୍ଦ୍ଧାନ।୧୯।
ବିବାହର ପରେ    ସତ୍ୟବାନ ପ୍ରାଣ
       ରକ୍ଷା କଲେ ନିଷ୍ଠା ବଳେ,
ଯମଙ୍କଠାରୁ ସେ     ବରଦାନ ପାଇ
  ସତୀ ହେଲେ କାଳେ କାଳେ।୨୦।
ପୂଜି ଭକ୍ତି ଚିତ୍ତେ   ଲକ୍ଷ୍ମୀ ନାରାୟଣ
         ଜୟ କଲେ ଏ ପୃଥିବୀ,
ପତିବ୍ରତା ପତ୍ନୀ     ରୂପେ ମହାସତୀ
    ହୋଇଲେ ସାବିତ୍ରୀ ଦେବୀ।୨୧।
ସତୀ ସାବିତ୍ରୀଙ୍କ   ନାରୀ ସ୍ବାଭିମାନ
       ନାରୀ ଜାତିର ଗୌରବ,
ତାଙ୍କ ବ୍ରତ ପାଳି    ବିବାହିତା ନାରୀ
      ଲଭେ ପାର୍ଥିବ ବିଭବ।୨୨।
ସ୍ଵାମୀ ସାଥେ ରହି    ହୁଅଇ ଜନନୀ
         ଆନନ୍ଦେ କାଟେ ଜୀବନ,
ଅଇସୁଲକ୍ଷଣୀ     ମହନୀୟା ଗୁଣେ
    ସଂସାରେ ପାଏ ସମ୍ମାନ।୨୩।
ନାରୀ ଜନ୍ମ ତାର      ହୁଅଇ ସାର୍ଥକ
         ହୁଅଇ ସେ ବନ୍ଦନୀୟା ,
ମାଆର ମମତା    ଦେଇ ସପରିବାରେ 
      ଦେଖାଏ ତା’ର ସୁଦୟା।୨୪।
ଏ ସାବିତ୍ରୀ ବ୍ରତ      ବିବାହିତା ନାରୀ
          କରି ପାଏ ପୁଣ୍ୟଫଳ,
ସ୍ବାମୀ ପରିବାର      ସୁଖେ ରହିଥାନ୍ତି
        ସର୍ବଦା ହୁଏ ମଙ୍ଗଳ।୨୫।
ନାରୀଟିଏ ପାଳେ    ନିଷ୍ଠା ସହକାରେ
        ଏ ସାବିତ୍ରୀ ଅମାବାସ୍ୟା,
ତାର ସେବା ତ୍ଯାଗ  ପାଇଁ ହୁଅଇ ସେ
    ସଂସାରେ ଚିର ନମସ୍ୟା।୨୬।
     
   କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *