ରଜ ପୂର୍ବରୁ ଗଳାପୋଲରେ ଗାଡି ଚଳାଚଳ କରିବ
ରଜ ପୂର୍ବରୁ ଗଳାପୋଲରେ ଗାଡି ଚଳାଚଳ କରିବ: ନିର୍ମାଣକାରୀ ସଂସ୍ଥା ସହିତ କ୍ରିୟାନୁଷ୍ଠାନ କମିଟିର ଆଲୋଚନା
ବ୍ୟାସନଗର : ୨୫। ୫: ଆସନ୍ତା ରଜ ଅର୍ଥାତ ଚଳିତ ମାସ ଜୁନ ୧୪ ତାରିଖ ପୂର୍ବରୁ ଯାଜପୁର ରୋଡ଼ରେ ନିର୍ମାଣଧୀନ ରେଳବାଇ ଗଳାପୋଲରେ ଲଘୁଯାନ ଚଳାଚଳ କରିବ ବୋଲି ରେଳବାଇ ସୂତ୍ରରୁ ସୂଚିତ କରାଯାଇଛି। ବ୍ୟାସନଗର ନାଗରିକ କମିଟି ଦ୍ୱାରା ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ଆଜି ନିର୍ମାଣଧୀନ ଗଳାପୋଲଠାରେ ପହଞ୍ଚି ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିବାପରେ ଏହି ତଥ୍ୟ ହସ୍ତଗତ ହୋଇଛି। ତେବେ ବର୍ଷା ଓ ପ୍ରାକୃତିକ ବିପର୍ଯୟ ହେଲେ ଏଥିରେ ସାମାନ୍ୟ କେତୋଟି ଦିନ ବିଳମ୍ବ ହୋଇପାରେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଏଥି ସହିତ ଗଳାପୋଲ ଉଭୟ ପରେ ସେଡ ନିର୍ମାଣ କାର୍ଯ୍ୟ ଦୁଇମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବବୋଲି କୁହାଯାଇଛି। ରେଳବାଇ କଥା ଦେଇ କଥା ରଖିବା ସହିତ ବହୁ ପ୍ରତିକୂଳ ଭିତ୍ତିଭୂମି ଓ ପରିସ୍ଥିତିରେ ବର୍ଷକ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଯାଉଥିବାରୁ ଏନେଇ ଦାବି କରି ଆସୁଥିବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳବାଇ କର୍ତୃପକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଆଜିର ଏହି ଆଲୋଚନରେ କମିଟି ଆବାହକ ଦୁର୍ୟୋଧନ ରାଉତ,ଡ.ଚିନ୍ତାମଣି ପାଢ଼ୀ,ଚନ୍ଦ୍ରମଣି ସାମଲ, ପ୍ରଫୁଲ୍ଲ ନାୟକ,ସଦାଶିବ ଦାସ,ରଘୁନାଥ ବେହେରା,କୈଳାସ କୁମାର ପରିଡା,ହେମନ୍ତ କୁମାର ଧୀର,ଦାମୋଦର ପଣ୍ଡା,ସାହିଲ ବୋଇତାଇ ପ୍ରମୁଖ ଉପସ୍ଥିତ ଥିଲେ।
