ପ୍ରତାପୁର ଗାଁରେ କଙ୍ଗାରୁ କୋର୍ଟ ବସାଇ ଗ୍ରାମବାସୀଙ୍କୁ ନିର୍ଯ୍ୟାତନା ଓ ବାସନ୍ଦ କରିବା ବିରୁଦ୍ଧରେ ଦଳିତ ମହାସଭାର ଆଇଜିଙ୍କୁ ସ୍ମାରକପତ୍ର

ପ୍ରତାପୁର ଗାଁରେ କଙ୍ଗାରୁ କୋର୍ଟ ବସାଇ ଗ୍ରାମବାସୀଙ୍କୁ ନିର୍ଯ୍ୟାତନା ଓ ବାସନ୍ଦ କରିବା ବିରୁଦ୍ଧରେ ଦଳିତ ମହାସଭାର ଆଇଜିଙ୍କୁ ସ୍ମାରକପତ୍ର

ଧରାକୋଟ ବ୍ଳକ୍ ଅନ୍ତର୍ଗତ ବରାଡାବିଲି ପଞ୍ଚାୟତର ପ୍ରତାପୁର ଗାଁରେ କିଛି ଅସାମାଜିକ ଲୋକଙ୍କ ନେତୃତ୍ୱରେ ବେଆଇନ ଭାବେ ନ୍ୟାୟ ନିଶାପ (କଙ୍ଗାରୁ କୋର୍ଟ) ବସାଇ ଗାଁର ଦୁର୍ବଳ ଓ ଗରିବ ଲୋକଙ୍କୁ ପ୍ରତାଡିତ କରିବା ବିରୁଦ୍ଧରେ ଆଜି ଗଞ୍ଜାମ ଜିଲ୍ଲା ଦଳିତ ମହାସଭାର ନେତୃତ୍ୱରେ ଗାଁର ପିଡୀତ ଲୋକମାନେ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରତାପୁର ଗାଁରେ କିଛି ଧନୀ ଶ୍ରେଣୀର ଅସାମାଜିକ ଲୋକ ବର୍ଷ ବର୍ଷ ଧରି ଗାଁର ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର କରି ଆସିଛନ୍ତି । ସେମାନଙ୍କ କଥାକୁ କେହି ନମାନିଲେ ଅଥବା ଇଛା ବିରୁଦ୍ଧରେ ଗଲେ, ସେମାନେ ଗାଁରେ ତୁରନ୍ତ ମିଟିଂ ଡକେଇ କଙ୍ଗାରୁ କୋର୍ଟରେ ତା’ର ବିଚାର କରିବା ସହ ମନଇଚ୍ଛା ଜୋରିମାନା ପକାଇ ତାକୁ ଦେବାକୁ ବାଧ୍ୟ କରିଥାନ୍ତି । ଯଦି କେହି ଜୋରିମାନା ନଦିଏ ଅଥବା ଥାନାକୁ ଯାଏ ତାହେଲେ ତାକୁ ଗାଁରେ ନିଆଁ ପାଣି ଦୋକାନ ମନା କରିବା ସହ ସାମାଜିକ ବାସନ୍ଦ କରିଥାନ୍ତି । ଏପରିକି ଯଦି ଗାଁର କେହି ସମ୍ପୃକ୍ତ ବ୍ୟକ୍ତି ସହ ସମ୍ପର୍କ ରଖେ ଅଥବା କଥାହୁଏ, ତାହେଲେ ତା’ ଉପରେ ବି ଜୋରିମାନା ପକାଯାଏ । ସେମାନଙ୍କ ନିର୍ଦ୍ଦେଶ ନମାନିଲେ କଥା କଥାକେ ଯେକୌଣସି ଲୋକଙ୍କୁ ମନଇଛା ମାଡ଼ ମାରିବା ସହ ଆର୍ଥିକ ଜୋରିମାନା ପକାଉଛନ୍ତି। ନିଆଁପାଣି ମନାକରି ସାମାଜିକ ବାସନ୍ଦ କରାଯାଉଛି। ଆବଶ୍ୟକସ୍ଥଳେ ଗାଁରୁ ମଧ୍ୟ ତଡ଼ି ଦିଆଯାଉଛି। ତାଙ୍କର ଅତ୍ୟାଚାର ସହି ନପାରି ଗତ ଦଶ ବର୍ଷ ମଧ୍ୟରେ ଅନେକ ଲୋକ ଗାଁ ଛାଡ଼ି ବାହାରକୁ ଚାଲିଯିବାକୁ ବାଧ୍ୟ ହୋଇଛନ୍ତି।
ନିକଟରେ ଗାଁର ଦଳିତ ସମ୍ପ୍ରଦାୟର ଜନୈକ ଗରିବ ଲୋକ ନିରଞ୍ଜନ ନାୟକ ବର୍ତମାନର ସରପଂଚଙ୍କ ସହଯୋଗରେ ୧,୬୦,୦୦୦ ଟଙ୍କା ବ୍ୟୟରେ ନିଜ ସାହିରେ କୋଠଘର ନିର୍ମାଣ କରିଥିଲେ। ପ୍ରଦୀପ ବିଷୋୟୀ ତାଙ୍କୁ ଡ଼ାକି ମୋତେ ନଜଣାଇ କିପରି କୋଠଘର କରୁଛୁ ବୋଲି ପଚାରିବା ସହ ଗାଁରେ କଙ୍ଗାରୁ କୋର୍ଟ ଡ଼କାଇ ସେ ଓ ତାଙ୍କ ସମର୍ଥକମାନେ ତାଙ୍କୁ ୫୦୦୧ ଟଙ୍କା ଜୋରିମାନା ପକାଇଥିଲେ। ନିରଞ୍ଜନ ଏହି ଜୋରମାନା ରାଶିକୁ ଦେବାକୁ ମନା କରିବାରୁ ଗାଁରେ ତାଙ୍କ ପରିବାରକୁ ନିଆଁ ପାଣି ମନା କରି ସାମାଜିକ ବାସନ୍ଦ କରିଛନ୍ତି। ସେହିପରି ଗାଁର ପୂର୍ବତନ ସରପଂଚ ଭିକାରୀ ବିଷୋୟୀଙ୍କୁ ବି ରାଜନୈତିକ ଆକ୍ରୋଶ ରଖି ପ୍ରଦୀପ ବିଷୋୟୀ ଓ ତାଙ୍କ ସହଯୋଗୀମାନେ ସାମାଜିକ ବାସନ୍ଦ କରି ଗାଁରୁ ତଡ଼ି ଦେବା ଫଳରେ ସେ ଏବେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଗାଁ ବାହାରେ ଅନ୍ୟ ଗାଁରେ ରହୁଛନ୍ତି। ଉପରୋକ୍ତ ଦୁଇ ଜଣଙ୍କ ଭଳି ଆହୁରି ଅନେକ ପରିବାର ସେମାନଙ୍କ ଅତ୍ୟାଚାର ଓ ନିର୍ଯ୍ୟାତନାର ଶିକାର ହୋଇ ଗାଁରେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।
ଦେଶରେ ସମ୍ବିଧାନ ଓ ଆଇନ କାନୁନ୍ ରହିଥିବା ସତ୍ୱେ ପ୍ରତାପୁର ଗାଁରେ କିଛି ଅସାମାଜିକ ଲୋକଙ୍କ ଦାଦାଗିରି ଲାଗି ଆଜି ଅନେକ ସାଧାରଣ ଲୋକଙ୍କ ମାନବିକ ଅଧିକାର ଓ ସାମାଜିକ ସମାଜ କ୍ଷୁର୍ଣ୍ଣ ହେଉଛି। ଜଣେ ନାଗରିକ ଭାବେ ସେମାନଙ୍କର ସାମ୍ବିଧାନିକ ଅଧିକାରର ଖୋଲାଖୋଲି ଭାବେ ଉଲଂଘନ ହେଉଛି। ନିରୀହ ଲୋକଙ୍କୁ ମନଇଛା ଜୋରିମାନା ପକାଇ ଓ ସାମାଜିକ ବାସନ୍ଦ କରି ସେମାନେ ଆଇନକୁ ଆତକୁ ନେଇ ଚାଲିଛନ୍ତି। ତେବେ ଏତେ ସବୁ ସତ୍ୱେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ବାରମ୍ବାର ଜଣାଇବା ପରେ ବି ସେମାନଙ୍କ ପ୍ରଭାବ ଆଗରେ ନୀରବଦ୍ରଷ୍ଟା ସାଜିଛନ୍ତି। ପ୍ରତାପୁରରେ ଚାଲିଥିବା ଏହି ବେଆଇନ କଙ୍ଗାରୁ କୋର୍ଟ ବନ୍ଦ କରି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତଥା ପୀଡ଼ିତ ପରିବାରଗୁଡ଼ିକୁ ନ୍ୟାୟ ପ୍ରଦାନ କରି ସେମାନଙ୍କୁ ଗାଁରେ ସସମ୍ମାନ ବସବାସ କରିବାକୁ ସୁଯୋଗ ଦେବାକୁ ଦାବି କରି ଗଞ୍ଜାମ ଜିଲ୍ଲା ଦଳିତ ମହାସଭା ନେତୃତ୍ୱରେ ସେହି ଗାଁର ପିଡୀତ ଲୋକମାନେ ଆଜି ବ୍ରହ୍ମପୁର ସ୍ଥିତ ଦକ୍ଷିଣାଂଚଳ ଆଇଜିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ର ପାଇବା ପରେ ଆଇଜି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏବଂ ପିଡ଼ୀତମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ଆଜିର ପ୍ରତିନିଧି ଦଳରେ ଗଞ୍ଜାମ ଜିଲ୍ଲା ଦଳିତ ମହାସଭାର ସମ୍ପାଦକ ସଂଗ୍ରାମ ନାୟକ, ଜିଲ୍ଲା କମିଟି ସଦସ୍ୟ ସଞ୍ଜୟ ନାୟକ, ସନ୍ତୋଷ ନାୟକ ଏବଂ ପ୍ରତାପୁର ଗାଁର ପିଡ଼ୀତ ମାନଙ୍କ ପକ୍ଷରୁ ପୂର୍ବତନ ସରପଂଚ ଭିକାରୀ ବିଷୋୟୀ, ମଧୁସୂଦନ ନାୟକ, ସୁଦାମ ନାୟକ ପ୍ରମୁଖ ଆଇଜିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ।

ଧନ୍ୟବାଦ ସହ
ସଂଗ୍ରାମ ନାୟକ
ସମ୍ପାଦକ, ଗଞ୍ଜାମ ଜିଲ୍ଲା ଦଳିତ ମହାସଭା
ଫୋନ ନଂ : 98612 36273

Leave a Reply

Your email address will not be published. Required fields are marked *