କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭୁଲ ଇଞ୍ଜେକସନ ରେ ୬ ରୋଗୀଙ୍କ ମୃତ୍ୟୁ ଘଟଣା
କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭୁଲ ଇଞ୍ଜେକସନ ରେ ୬ ରୋଗୀଙ୍କ ମୃତ୍ୟୁ ଘଟଣା:
ମେଡିକାଲ ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ, କଂଗ୍ରେସ ପକ୍ଷରୁ ପ୍ରତିବାଦ
କୋରାପୁଟ: ୦୫/୦୬ ( ତୀର୍ଥେକ୍ଷେତ୍ର)
କୋରାପୁଟ ମେଡିକାଲ କଲେଜରେ ଭୁଲ ଇଞ୍ଜେକସନ ରେ ୬ ରୋଗୀଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବାପାଇଁ ଆଜି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କୋରାପୁଟ ମେଡିକାଲରେ ପହଞ୍ଚିଥିଲେ। ମନ୍ତ୍ରୀ ମେଡିକାଲ କଲେଜରେ ପ୍ରବେଶ କରିବା ସମୟରେ କୋରାପୁଟ କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ବିଧାୟକ ନିମାଇ ସରକାର, ପିସିସି ସମ୍ପାଦକ ରୂପକ ତୁରୁକ ଓ ପୂର୍ବତନ ପୋୖରାଧକ୍ଷ ଭଗବାନ ବାହିନୀପତି ମନ୍ତ୍ରୀଙ୍କୁ ରୋଗୀଙ୍କ ମୃତ୍ୟୁ, ଅବ୍ୟବସ୍ଥିତ ସ୍ୱାସ୍ଥ୍ୟ ସେବା, ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଭଳି ବିଭିନ୍ନ ସମସ୍ୟା ବିଷୟରେ ପ୍ରଶ୍ନ ମାନ ପଚାରିବାକୁ ଚାଁହୁଥିବା ବେଳେ ଏହାକୁ ମନ୍ତ୍ରୀ ଅଣଦେଖା କରି ସର୍ଜରୀ ୱାର୍ଡକୁ ପରିଦର୍ଶନ କରିବା ପାଇଁ ଚାଲିଯାଇଥିଲେ। ଫଳରେ କିଛି ସମୟ ପାଇଁ ମେଡିକାଲ ସମ୍ମୁଖରେ ହଟଗୋଳ ପରିସ୍ଥିତି ଦେଖା ଯାଇଥିଲା। ମନ୍ତ୍ରୀ କଂଗ୍ରେସ ସଦସ୍ୟଙ୍କୁ ଆଲୋଚନା କରିବାକୁ ସୁଯୋଗ ନଦେବାରୁ କଂଗ୍ରେସ ଦଳ ପକ୍ଷରୁ ଏଥିପାଇଁ ତୀବ୍ର ପ୍ରତିବାଦ କରାଯାଇ ଥିବା ଦେଖିବାକୁ ମିଳିଥିଲା।

ଏପରିକି
ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର ଓ କୋରାପୁଟ ବିଧାୟକ ରଘୁରାମ ମାଛ, ରୂପକ ତୁରୁକ, ଭଗବାନ ବାହିନୀପତି ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ସ୍ବାସ୍ଥ୍ୟମନ୍ତ୍ରୀ ମାତ୍ର ୫ ମିନିଟ୍ ଆସି ବୁଲି ଯାଇଥିବା କହି କଂଗ୍ରେସ ସମାଲୋଚନା କରିଛି। ଭାଜପା ସରକାରରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିଗିଡି ଯାଇଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ପରେ ମନ୍ତ୍ରୀ ଆଇସିୟୁ ବିଭାଗକୁ ଯାଇ ସ୍ଥିତି ପରଖିବା ସହ ଡାକ୍ତର, ମେଡିକାଲ କର୍ମଚାରୀ ଏବଂ ରୋଗୀଙ୍କ ସହ ଆଲୋଚନା କରିଥିଲେ। ଗତ କାଲି ମୃତ୍ୟୁବରଣ କରିଥିବା ୬ ରୋଗୀଙ୍କ ମୃତ୍ୟୁ ସମ୍ପର୍କରେ ପଚାରି ବୁଝିଥିଲେ। ଏହା ପରେ ମନ୍ତ୍ରୀ ମେଡିକାଲ କଲେଜକୁ ଯାଇ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ସହ ବୈଠକ କରିଥିଲେ। ପରେ ମନ୍ତ୍ରୀ ସାମ୍ବାଦିକ ମାନଙ୍କ ଠାରେ ନିଜ ପ୍ରତିକ୍ରିୟା ରଖିଥିଲେ। ରୋଗୀଙ୍କ ଜୀବନ ସବୁଠାରୁ ଗୁରୁତ୍ୱ ପୂର୍ଣ ଏଥିରେ ଯଦି କୌଣସି ଅବହେଳା ହୋଇଥାଏ ତାହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ
କହିଥିଲେ। ସୂଚନା ଅନୁଯାଇ ସରକାରଙ୍କ ନିର୍ଦେଶ କ୍ରମେ ଏହି ଘଟଣାର ତଦନ୍ତ କରିବା ପାଇଁ କଟକ ଏସିବି ମେଡିକାଲ କଲେଜରୁ ଦୁଇ ଜଣ ଏବଂ ଏମକେସିଜି ବ୍ରହ୍ମପୁରରୁ ୩ ଜଣ ବିଶେଷଜ୍ଞ ଦଳ କୋରାପୁଟରେ ପହଁଚି ଘଟଣାର ତଦନ୍ତ କରୁଛନ୍ତି ସେମାନଙ୍କ ରିପୋର୍ଟ ମିଳିବା ପରେ ରୋଗୀମୃତ୍ୟୁର କାରଣ ଜଣା ପଡିବ। ଏହି ବିଷେସଜ୍ଞ ଦଳ ୩ ଦିନ ମଧ୍ୟରେ ସେମାନଙ୍କ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ତେବେ ତଦନ୍ତ କେତେ ଜଲଦି ସରୁଛି ଓ ରୋଗୀଙ୍କ ପରିବାର ଲୋକେ କେବେ ନ୍ୟାୟ ପାଉଛନ୍ତି ତାହା ପରବର୍ତୀ ସମୟରେ ହିଁ ଜଣା ପଡିବ।
ଲଷ୍ମୀପୂର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର
