ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲାର ଦିନିକିଆ ଗସ୍ତ
ଫୁଲବାଣୀ:ନିପ୍ର:-୦୭/୦୬ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲାର ଦିନିକିଆ ଗସ୍ତରେ ଆସି ଜିଲ୍ଲାର ବିକାଶ ନିମନ୍ତେ ପ୍ରାୟ ୭୪୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୧୦ ଗୋଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଲ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି । ଏଥିରୁ ପ୍ରାୟ ୬୫୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୫ଟି ପ୍ରକଲ୍ପ ଶୁଭ ଉଦଘାଟନ ଏବଂ ୯୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୫ଟି ପ୍ରକଲ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି । ଏହି ସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ, ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ,ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତି କରଣ, ପର୍ଯ୍ୟଟନ କେନ୍ଦ୍ର , ସ୍ୱାସ୍ଥ୍ୟକେନ୍ଦ୍ର, ସଡକ ନିର୍ମାଣ ପ୍ରକଳ୍ପ, ମିଶନ ଶକ୍ତି ବଜାର , ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ଏବଂ ଅନ୍ୟାନ୍ୟ ସରକାରୀ ଭିତ୍ତିଭୂମି ରହିଛି । ଏହି ସମସ୍ତ ପ୍ରକଳ୍ପ ଗୁଡ଼ିକ ଜିଲ୍ଲାର ବିକାଶରେ ଏକ ନୂଆଧାରା ସୃଷ୍ଟି କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୂଳଦୁଆ ପକାଇବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଆମ ପାଇଁ ଏକ ଐତିହାସିକ ଦିନ । ଆମ ଫୁଲବାଣୀ ସହରରେ ନବନିର୍ମିତ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ଫୁଲବାଣୀର ଶୁଭ ଉଦଘାଟନ ଓଡିଶା ବାସୀଙ୍କ ଉଦ୍ଦେଶ୍ୟରେ ହୋଇଅଛି । ପୂର୍ବରୁ ଉତ୍କୃଷ୍ଟ ମାନର ଚିକିତ୍ସା ସୁବିଧା ପାଇବା ପାଇଁ କନ୍ଧମାଳବାସୀ ସୁଦୂର କଟକ କିମ୍ବା ବ୍ରହ୍ମପୁର ମେଡିକାଲ ଉପରେ ନିର୍ଭର କରୁଥିଲେ । ଏଥିପାଇଁ ପ୍ରାୟ ୨୦୦ କି.ମି ଦୁର୍ଗମ ଘାଟି ରାସ୍ତା ଅତିକ୍ରମ କରିବାକୁ ପଡୁଥିଲା । ଯାହାଦ୍ଵାରା ସଠିକ ସମୟରେ ଉପଯୁକ୍ତ ଚିକିତ୍ସା ପାଇପାରୁନଥିଲେ । ଏହି ୧୦୦ ସିଟ୍ କ୍ଷମତା ବିଶିଷ୍ଠ ଓ ୬୫୦ ଶଯ୍ୟା ବିଶିଷ୍ଟ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଦ୍ଵାରା କେବଳ କନ୍ଧମାଳ ଜିଲ୍ଲା ନୁହେଁ ପାର୍ଶ୍ଵବର୍ତ୍ତୀ ନୟାଗଡ ଓ ବୌଦ୍ଧ ଜିଲ୍ଲାର ଅଧିବାସୀମାନେ ମଧ୍ୟ ଉପକୃତ ହେବେ ।ସେ କହିଥିଲେ ଯେ, ଆଜି ଏଠି ଆସିବାର ଅବସର ମିଳିଥିବାରୁ ମୁଁ ଅତ୍ୟନ୍ତ ଖୁସି। ଆମ ପ୍ରିୟ କନ୍ଧମାଳ ଏହା ମାତ୍ର ଏକ ଜିଲ୍ଲା ନୁହେଁ, ଏହା ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟ, ସଂସ୍କୃତି ଓ ସାହିତ୍ୟର ଏକ ଜୀବନ୍ତ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଓଡ଼ିଶାର କଶ୍ମୀର ଭାବରେ ପରିଚିତ । ଏହାକୁ ମଧ୍ୟ ,ଓଡ଼ିଶାର ଭୂସ୍ଵର୍ଗ ବୋଲି କୁହାଯାଏ । ଏହାକୁ ଉପଭୋଗ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଛୁଟି ଆସନ୍ତି। ଏହାର ପର୍ଯ୍ୟଟନ ବିକାଶ ପାଇଁ ରାଜ୍ୟ ସରକାର ସ୍ଵତନ୍ତ୍ର ଧ୍ୟାନ ଦେଇଛନ୍ତି ।ଏହା ଛଡ଼ା କନ୍ଧମାଳରେ ଥିବା ଅନ୍ୟ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ମଧ୍ୟ ଉନ୍ନତିକରଣ କରାଯାଇ ପର୍ଯ୍ୟଟନ ଶିଳ୍ପର ବିକାଶ କରାଯିବ।

ଦାରିଙ୍ଗବାଡିର ପର୍ଯ୍ୟଟନ ବିକାଶ ପାଇଁ ୧୮ କୋଟି ମୂଲ୍ୟର ପ୍ରକଳ୍ପ ଅନୁମୋଦନ କରି ଟେଣ୍ଡର ଆହ୍ୱାନ କରାହୋଇଛି ଓ ପୁତୁଡି ଜଳପ୍ରପାତର ବିକାଶ ପାଇଁ ୪ କୋଟି ୫୦ ଲକ୍ଷ ଅର୍ଥ ଅନୁମୋଦନ କରାହୋଇଛି । ଚଳିତ ଖରିଫ ଋତୁରେ କନ୍ଧମାଳ ଜିଲ୍ଲାର ୨୮୨୭ ଚାଷୀଙ୍କ ଠାରୁ ସରକାର ଙ୍କ ଦ୍ୱାରା ୧ଲକ୍ଷ ୧୨ ହଜାର ୨୫୮ କିଲୋଗ୍ରାମ ଧାନ କ୍ରୟ କରାଯାଇ ସହାୟକ ରାଶି ବାବଦକୁ ୮ କୋଟି ୯୮ ଲକ୍ଷ ଅର୍ଥ ରାଶି ପ୍ରଦାନ କରଯାଇଥିବା ସ୍ଥଳେ ଧାନର ମୂଲ୍ୟ ବାବଦକୁ ୩୪ କୋଟି ୮୦ ଲକ୍ଷ ପ୍ରଦାନ କରାଯାଇଛି । ଜଙ୍ଗଲ ଜମି ଅଧିକାର ଆଇନ ଦ୍ୱାରା ଗତ ଛଅ ମାସ ମଧ୍ୟରେ ୨୦ ହଜାର ରୁ ଉର୍ଦ୍ଧ୍ବ ବ୍ୟକ୍ତିଗତ ପଟ୍ଟା ପ୍ରଦାନ କରଯାଇଛି। ସେହିପରି ଚାଷ ଜମିକୁ ଜଳ ସେଚନ ଏବଂ ପରିଚାଳନା ନିମନ୍ତେ ୫୦୦ ରୁ ଉର୍ଦ୍ଧ୍ବ ଗୋଷ୍ଠୀ ନଳକୂପ ଏବଂ ପାନୀୟ ଜଳ ବ୍ୟବହାର ପାଇଁ ୧୪୦୦ ରୁ ଉର୍ଦ୍ଧ୍ବ ନଳକୂପ ଖନନ ପାଇଁ ଏହି ବର୍ଷ ମଞ୍ଜୁର ହୋଇଅଛି । ଆଦିବାସୀମାନଙ୍କର ଶିକ୍ଷାଗତ,ସାମାଜିକ ଏବଂ ଆର୍ଥିକ ବିକାଶ ନିମନ୍ତେ ଆର୍ଥିକ ବର୍ଷ ୨୦୨୪-୨୫ ରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀକୁ ୩୨ କୋଟି ୩୦ ଲକ୍ଷ ଓ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡା କୁ ୮୪ କୋଟି ୬୧ ଲକ୍ଷ ସମୁଦାୟ ୧୧୬ କୋଟି ୯୧ ଲକ୍ଷ ସରକାରୀ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି ।ଆମ ନୂଆ ସରକାର ଆସିବା ପରେ ଓଡିଶାରେ ବିକାଶର ଧାରା ତ୍ଵରାନ୍ଵୀତ ହୋଇଛି । ଏହି କ୍ରମରେ କନ୍ଧମାଳ ଜିଲ୍ଲାର ବିକାଶ ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଜିଲ୍ଲାବାସୀଙ୍କୁ ଉତ୍ତମ ଶିକ୍ଷା, ସ୍ଵାସ୍ଥ୍ୟ, ପର୍ଯ୍ୟଟନ, ଭିତ୍ତିଭୂମି, ଗମନାଗମନ ଇତ୍ୟାଦି ମୌଳିକ ସୁବିଧା ଯୋଗାଇଦେବା ପାଇଁ ଆମ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି । ଉତ୍କର୍ଷ ଓଡ଼ିଶାର ଅପାର ସଫଳତା ଆମ ପାଇଁ ଏହି ନୂଆ ସୁଯୋଗ ଆଣିଛି । ଉତ୍କର୍ଷ ଓଡ଼ିଶା ଜରିଆରେ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ମିଳିଛି । କନ୍ଧମାଳ ଜିଲ୍ଲାରେ ମଧ୍ୟ ଆଗାମୀ ଦିନରେ ଅନେକ ଶିଳ୍ପ ପ୍ରକଳ୍ପ ସ୍ଥାପନ ହେବ । କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଇନଭେସ୍ଟ କନ୍ଧମାଳ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀମାନେ ମଧ୍ୟ ଏହି ଜିଲ୍ଲାରେ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ଏହା ଜିଲ୍ଲାର ଶିଳ୍ପାୟନ ବିକାଶକୁ ଦ୍ବିଗୁଣିତ କରିବା ସହିତ ଜିଲ୍ଲାବାସୀଙ୍କ ରୋଜଗାର ଓ ନିଯୁକ୍ତି ପାଇଁ ବ୍ୟାପକ ସୁଯୋଗ ଆଣିବ। ଫୁଲବାଣୀ ବିଧାୟକଙ୍କ ଠାରୁ ପାଇଥିବା ଦାବି ଏବଂ ଲୋକଙ୍କ ଠାରୁ ପାଇଥିବା ଦାବି ଓ ପ୍ରସ୍ତାବ ଆଗାମୀ ଦିନରେ ଯଥା ସମୟରେ ନିଶ୍ଚିତ ଭାବରେ ପୁରଣ ହେବ ବୋଲି ପ୍ରତିଶୃ୍ତି ଦେଇଥିଲେ । ପାରମ୍ପରିକ ସାସ୍କୃ୍ତିକ ଦଳମାନଙ୍କର ବେଶଭୂଷା ଓ ସ୍ୱାଗତ ନୃ୍ତ୍ୟ ଦେଖି ମନ୍ତ୍ରମୁଗ୍ଧ ହୋଇ ପ୍ରଶଂସା କରିଥିଲେ। ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଇଲେକ୍ଟ୍ରେନିକ୍ସ ଓ ସୁଚନା ପ୍ରଯୁକ୍ତିବିଦ୍ୟା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼ଃ.ମୁକେଶ ମହାଲିଙ୍ଗ,କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଓ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍ ପ୍ରମୁଖ ମଞ୍ଛାସିନ ଥିଲେ ଏବଂ ଲୋକ ପ୍ରତିନିଧି, ବିଭିନ୍ନ ବିଭାଗୀୟ ଅଧିକାରୀ, ହଜାର ହଜାର ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
