କନ୍ଧମାଳ ଜିଲ୍ଲାରେ ଜନନୀ ଯନ୍ତ୍ରଣା
କନ୍ଧମାଳ ଜିଲ୍ଲାରେ ଜନନୀ ଯନ୍ତ୍ରଣା, ୪ କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା ।କନ୍ଧମାଳ ତା ୧୨/୦୬/୨୦୨୫ ଫିରିଙ୍ଗିଆ କନ୍ଧମାଳ ଜିଲ୍ଲାର ପିଛା ଛାଡ଼ୁନି ସମସ୍ୟା । ରାସ୍ତା ଏବଂ ଯୋଗାଯୋଗର ଅଭାବ ଯୋଗୁଁ ଦୁର୍ଗମ ଅଞ୍ଚଳର ଲୋକେ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି । ଅନେକ ଉପାନ୍ତ ଗାଁକୁ ଆଜି ଯାଏ ରାସ୍ତା ନାହିଁ। ଫଳରେ ଜରୁରୀ ସମୟରେ ଗାଁରେ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡ଼ି ପହଞ୍ଚି ପାରୁନି । ଫଳରେ ଖଟିଆରେ ୪କି.ମି ବୁହା ହୋଇଛନ୍ତି ଗର୍ଭବତୀ । ଫିରିଙ୍ଗିଆ ବ୍ଲକ୍ ନୂଆପଦର ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ମୁତାବକ, ନୂଆପଦର ପଞ୍ଚାୟତର ଗୁନ୍ଦାଦଣୀ ଗାଁକୁ ଯିବା ପାଇଁ ପକ୍କା ରାସ୍ତା ଖଣ୍ଡେ ନାହିଁ । ଫଳରେ ପାଦଚଲା ରାସ୍ତାରେ ଚାଲି ଚାଲି ଯିବାକୁ ପଡ଼ୁଛି। ଗୁରୁବାର ସକାଳ ପ୍ରାୟ ୧୦ଟା ବେଳେ ଗାଁର ଜିତେନ୍ଦ୍ର ଦୀପଙ୍କ ସ୍ତ୍ରୀ ରଶ୍ମିତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଗାଁକୁ କୌଣସି ଗାଡ଼ି ଆସିବା ପାଇଁ ସୁବିଧା ନଥିବାରୁ ପରିବାର ଲୋକେ ଆଶା ଦିଦି କମଳା କହଁରଙ୍କ ସହଯୋଗରେ ଗର୍ଭବତୀ ରଶ୍ମିତାଙ୍କୁ ଏକ ଖଟିଆରେ ପ୍ରାୟ ୪ କିଲୋମିଟର ଦୂର କାଳିପଙ୍ଗାକୁ ବୋହି ଆଣିଥିଲେ। ସେଠାରୁ ଜନନୀ ଏକ୍ସପ୍ରେସ ଯୋଗେ ତାଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ତେବେ ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ନିବେଦନ କରିଥିଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ଦୁଇଦିନ ତଳେ ଗ୍ରାମବାସୀ ଫୁଲବାଣୀ ଆସି ଜିଲାପାଳଙ୍କୁ ମଧ୍ୟ ଏବାବଦରେ ଅଭିଯୋଗ କରି ଜଣାଇଛନ୍ତି ।
