ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଗୋପ- ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ ସିଂହପାନିଆ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସର ନେଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା ଉତ୍ସବ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭାରତୀ ଦେଇଙ୍କ ଅବସର ଗ୍ରହଣ ନିମନ୍ତେ ତାଙ୍କୁ ମିଳିତ ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଗୋପ ବ୍ଲକ ଶିକ୍ଷକ ସମନ୍ଵୟ ସମିତି ସମ୍ପାଦକ ସରୋଜ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ମଙ୍ଗଳା ମନ୍ଦିର ଟ୍ରଷ୍ଟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାସ, ଅତିରିକ୍ତ ଶିକ୍ଷା ଅଧିକାରୀ ବିନୋଦିନୀ ମହାପାତ୍ର, ଅବସରପ୍ରାପ୍ତ ମଣ୍ଡଳ ସହ ଶିକ୍ଷା ଅଧିକାରୀ ଭାନୁମତୀ ମାଣିକ, ଅବସରପ୍ରାପ୍ତ ନିମ୍ନ ପ୍ରାଥମିକ ଶିକ୍ଷକ ସଂଘ ଉପସଭାପତି ଶୁଶାନ୍ତ କୁମାର ନାୟକ, ପୂରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଶିବଦତ୍ତ ନାୟକ, ଶିକ୍ଷକ ସମନ୍ଵୟ ସଙ୍ଘ ସଭାପତି ଅଜୟ କୁମାର ରଥ, ଶିକ୍ଷକ ସମନ୍ଵୟ କାର୍ଯ୍ୟକାରୀ ସଭାପତି ପବିତ୍ର ମୋହନ ନାୟକ, ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଜମ୍ବେଶ୍ଵର ସ୍ବାଇଁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କଲ୍ୟାଣୀ ଦୁବେ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭବାନୀ ସାହୁ, ସିଆରସିସି ଲିଙ୍ଗରାଜ ସ୍ବାଇଁ, ଶିକ୍ଷାବିତ୍ ଜବାର୍ ଖାଁ, ୱାର୍ଡ ମେମ୍ବର କୁନିଲତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ସର୍ଵ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବ ଆରମ୍ଭ ହୋଇଥଲା। ବିଦ୍ୟାଳୟର କୁନି ପିଲାଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ସହ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶ୍ରୀମତୀ ଭାରତୀ ଦେଇ ତାଙ୍କର ଶିକ୍ଷକତା ସମୟରେ ଅତ୍ୟନ୍ତ ସ୍ନେହୀ, ଛାତ୍ରବତ୍ସଲ ଓ ଜଣେ ଆଦର୍ଶ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ତାଙ୍କର ଅବସର ଜୀବନ ସୁଖମୟ ଓ ଆନନ୍ଦମୟ ହେବାକୁ ଅତିଥି ମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଶ୍ରୀମତୀ ଭାରତୀ ଦେଇଙ୍କୁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଛାତ୍ର ଛାତ୍ରୀ, ଅଭିଭାବକ, ଗ୍ରାମବାସୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମାନପତ୍ର, ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଶୁଭ କାମନା କରିଥିଲେ। ଏହି ଉତ୍ସବକୁ କ୍ଲଷ୍ଟର ସିଆରସିସି ସୁଚରିତା ପାତ୍ର ସଂଯୋଜନା ଓ ପରିଚାଳନା କରିଥିଲେ। ଉତ୍ସବରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *