ପୁରସ୍କାର
ପୁରସ୍କାର
ପୁରୁଷ ସଂସାର ମାୟା ଜାଲେ ପଡି
ମାୟାରେ ମୋହିତ ହୁଏ
ପରିବାର ତାର ପାଳନ ନିମନ୍ତେ
ଗଧପରି ଖଟୁଥାଏ।
ପୁଅ ଟିଏ ହେଲେ ବାପ ଦୁଃଖ ଯିବ
କଥାରେ ଲୋକେ କହନ୍ତି
ଅବାଡୁଆ ପୁଅ ବାଡୁଆ ହୋଇଲେ
ବାପାକୁ ଭୁଲି ଯାଆନ୍ତି।
ରୋଜଗାର କରୁ-ଥିବା ଯାଏ ବାପା
କରିଥାନ୍ତି ଯେ ଆଦର
ଯୈ।ବନ ହଟିଲେ ହତାଦର ହୁଏ
ହେଜ ପଣ୍ଡିତ ପ୍ରବର।
ମୁଣ୍ଡ ଝାଳ ତୁଣ୍ଡେ ଭରି ଯେଉଁ ବାପା
ପରିବାର ପୋଷୁଥିଲା
ବୁଢ଼ା ବୟସରେ ପୁଅଙ୍କ ପାଖରେ
ଭାଗ ବଣ୍ଟା ପୁଣି ହେଲା।
ବାପା ଠାରୁ ପୁଅ ଅଲଗା ହୋଇଛି
ଭାରିଜା କୁ ତାର ଧରି
ବାପା ମାଆ ତାର ହିନସ୍ଥା ହୁଅନ୍ତି
ଲୋତକ ଯାଉଛି
ଝରି।
ବାପା ରୋଜଗାର କରୁଥିବାଯାଏ
ବାପା ଡାକ ହୁଏ ଲୋଡା
ନିକର୍ତ୍ତବ୍ଯ ହେଲେ ବୃଦ୍ଧ ବୟସରେ
ବାପାକୁ ଡାକନ୍ତି ବୁଢ଼ା।
ବୃଦ୍ଧ ବୟସରେ ବାପାକୁ ବାଡାନ୍ତି
ଭାଷା କହି ତିରସ୍କାର
ଧକ୍କା ଦେଇ ଘରୁ ବାହାର କରନ୍ତି
ମାଡ଼ ଦେଇ ପୁରସ୍କାର।
ଦେଖ ହେ ଜନତା ଏ କଳି ଯୁଗରେ
ବାପା ପ୍ରତି କେଉଁ ଭାବେ
ନିଷ୍ଠୁର ହୃଦୟ ପୁଅମାନଙ୍କର
ଧର୍ମ କିପରି ସହିବ।
ବାପା ଡାକିଥାଏ ହେ ହରି କେଶବ
ପ୍ରଭୁ କୃଷ୍ଣ ବଂଶୀଧର
ମୋର ପିଣ୍ଡୁ ପ୍ରାଣ ଶୀଘ୍ର ନେଇ ଯାଆ
ଯୋଡୁଅଛି ବେନି କର।
ବାପା ବରଦାତା ସଂସାର କରତା
ଯାହା କହେ ତାହା ଫଳେ
ପିତୃ ଭକ୍ତି କରି ଆଶୀର୍ବାଦ ଘେନ
ଅଧମ କହୁଛି ହେଳେ।
କଳିଯୁଗେ ଯାହା ଘଟିଯାଉଅଛି
ଅନୁଭବେ କରି ଲେଖା
ଅଧମ ବାଣୀ ଟି ସଂସାରେ ରହିବ
ଅଧମ ନଥିବ ଦେଖା।
ଅଧମ ବଚନ ଅମୃତ ସମାନ ଅବୁଝା ଙ୍କୁ ଲାଗେ ପିତା
ହେଜି ବୁଝି ଯିଏ ସତ୍ କର୍ମ କଲା
ନିଶ୍ଚେ ହେବ ଜଗ୍ ଜିତା।
ଆଶୁକବି- ଶ୍ରୀ ମଧୁସୂଦନ ବେହେରା
ବରଦା, ଗଁଦିଆ, ଢେଙ୍କାନାଳ, ଓଡ଼ିଶା,୭୫୯୦୧୬
ଦୂର ଭାଷ -୭୭୩୫୭୨୧୮୧୦
ଅଧମ ବାଣୀ ରଚୟିତା
