ହେ ରାତି ! ଆସ କାହିଁକି ଏତେ ସ୍ଵପ୍ନ ନେଇ…?

    ହେ ରାତି ! ଆସ କାହିଁକି ଏତେ ସ୍ଵପ୍ନ ନେଇ…?

  🖊️କବିରତ୍ନ ନୂତନ କୁମାର ବେହେରା

ହେ ରାତି !
ଆସ କାହିଁକି ଏତେ ସ୍ଵପ୍ନ ନେଇ…?
ମନ ପ୍ରାଣ ରହେ ବଶ ହୋଇ
ନିଦ୍ରାର ସୁକୋମଳ ସଫେଦ ଶେଯରେ
ବିଞ୍ଚି ହୋଇ ପଡ଼େ
ରଙ୍ଗଭରା ରାଶି ରାଶି ଫୁଲ,
ସେ ସବୁର ବାସ୍ନାରେ
ନାସାର ଆଘ୍ରାଣ ହୁଏ ସ୍ତମ୍ଭିତ 
ଭେଳିକି ଲଗାଏ ମାୟାର ଇନ୍ଦ୍ରଜାଲ।
ଯା’ ଆସ କରୁଥିବା ନିଃଶ୍ବାସ ପ୍ରଶ୍ବାସ
ଅଟକି ରହି
ରୋକି ଦିଏ ହୃଦ୍ ସ୍ପନ୍ଦନକୁ,
ଦେଖି ନ ଥିଲେ ବି କେବେ ପୂର୍ବରୁ
ଅଚିହ୍ନା ସବୁ ଲାଗନ୍ତି ଚିହ୍ନା ଚିହ୍ନା
ଖୋଜିଲେ ମିଳେନା ନିଜ ଭିତରେ ନିଜକୁ।
ଆଖି ପତା ଚାପି ବଳ ପୂର୍ବକ
ଶୋଇବାର ଯେତେ ଚେଷ୍ଟା କଲେ ମଧ୍ୟ
ନିଦ୍ରା ଘାରେ ନାହିଁ ଜମାରୁ,
ମନ ଚାହୁଁଥିବା
ସୁଖ ଶାନ୍ତି ଆନନ୍ଦ ତ ମିଳେ ନାହିଁ
ମାୟା ମୋହ ଜାବୁଡ଼ି ଧରି
ମିଛ ଦୁନିଆଁକୁ ନିଅନ୍ତି ବାସ୍ତବତା ଠାରୁ ।
ହେ ରାତି !
ଆସ କାହିଁକି ଏତେ ସ୍ଵପ୍ନ ନେଇ…?
ମନ ପ୍ରାଣ ରହେ ବଶ ହୋଇ
ଜଣା ପଡ଼େନାହିଁ ଦେଖୁଛି ବୋଲି ସ୍ବପ୍ନ
ଆଖି ରହେ ଲାଖି ଅଠା କାଠି ପରି,
ଚାରି ପାଖ ଦିଶେ ଚମତ୍କାର
ଭରି ରହିଥାଏ ଅନୁପମ ଶିରୀ।
ଭାବର ଡ଼େଣା ଝାଡ଼ି
ମନ ଏକ ମୁକ୍ତ ବିହଙ୍ଗ ସମ ଯାଏ ଉଡ଼ି
ଦିଗନ୍ତ ବିସ୍ତାରି ଥିବା ଆକାଶକୁ,
ସାତ ସମୁଦ୍ରକୁ
ଅକ୍ଳେଶରେ ଯାଏ ଲଙ୍ଘି
ବାଧା ବନ୍ଧନକୁ ଏକାନ୍ତରେ ଏଡ଼ି
ଇପ୍ସିତ ଇଚ୍ଛାର ପକ୍ଵଫଳ ପାଇବାକୁ।
ଅନିଦ୍ରାରେ ରଜନୀ ବିତେ
ଦେଖୁଥିବା ଦୃଶ୍ୟ ସବୁ ସକାଳକୁ
ଲୁଚିଯାନ୍ତି ତାରାମାନଙ୍କ ଭଳି,
ଶୂନ୍ୟ ବଳୟ ଭିତରେ କେବଳ ଆସକ୍ତି
ପାଇବା ଆଶା ହୁଏ ମୃଗତୃଷ୍ଣା
ନିଜକୁ ଚିହ୍ନିବାର
ଆତ୍ମଶକ୍ତି ହୁଏ ନାହିଁ ଜୀବନ ସଙ୍ଖାଳି।
ହେ ରାତି !
ଆସ କାହିଁକି ଏତେ ସ୍ଵପ୍ନ ନେଇ…?

   କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *