ପୁରୀ–କୋରାପୁଟ ମଧ୍ୟରେ ସମ୍ବଲପୁର ଓ ରାୟଗଡ଼ା ଦେଇ ନୂତନ ତ୍ରି-ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ

ପୁରୀ–କୋରାପୁଟ ମଧ୍ୟରେ ସମ୍ବଲପୁର ଓ ରାୟଗଡ଼ା ଦେଇ ନୂତନ ତ୍ରି-ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ ରେଳବାଇ ବୋର୍ଡର ମଞ୍ଜୁରୀ ।ଭୁବନେଶ୍ୱର, ୧୩ ମଇ ୨୦୨୬ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥ ଅଧୀନରେ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ ନୂତନ ତ୍ରି-ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ ଅନୁମୋଦନ ମିଳିଛି।ଏହି ନୂତନ ଟ୍ରେନ୍ (ନମ୍ବର ୧୮୪୦୭/୧୮୪୦୮ ପୁରୀ–କୋରାପୁଟ–ପୁରୀ ଏକ୍ସପ୍ରେସ୍) ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ନରାଜ ମାର୍ଥାପୁର, ଅନୁଗୋଳ, ସମ୍ବଲପୁର, ଟିଟିଲାଗଡ଼ ଏବଂ ରାୟଗଡ଼ା ଦେଇ ଚଳାଚଳ କରିବ। ଏହାଦ୍ୱାରା ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସଂଯୋଗୀକରଣ ବୃଦ୍ଧି ପାଇବା ସହ ଯାତ୍ରୀମାନଙ୍କୁ ଅଧିକ ସୁବିଧା ମିଳିପାରିବ।ଏହି ଟ୍ରେନ୍ ପ୍ରଚଳନ ଦ୍ୱାରା ପୁରୀ, ଭୁବନେଶ୍ୱର ଏବଂ ଦକ୍ଷିଣ ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକ ମଧ୍ୟରେ ଏକ ସିଧାସଳଖ ରେଳ ସଂଯୋଗ ପାଇଁ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଛି। ଏହି ସେବା ତୀର୍ଥସ୍ଥାନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ନିଯୁକ୍ତି, ପର୍ଯ୍ୟଟନ ଏବଂ ବ୍ୟବସାୟିକ ଉଦ୍ଦେଶ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ସହାୟକ ହେବ।ଏହି ନୂତନ ଟ୍ରେନ୍ ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା ଏବଂ କୋରାପୁଟ ଭଳି ପ୍ରମୁଖ ଜିଲ୍ଲାଗୁଡ଼ିକର ଯାତ୍ରୀମାନଙ୍କୁ ଉପକୃତ କରିବ। ବିଶେଷ କରି ଏହା କେବିକେ ଅଞ୍ଚଳର ଜିଲ୍ଲାଗୁଡ଼ିକ ସହିତ ଯୋଗାଯୋଗକୁ ସୁଦୃଢ଼ କରିବ ଏବଂ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଶିକ୍ଷା, ଚିକିତ୍ସା ଓ ପ୍ରଶାସନିକ କେନ୍ଦ୍ରଗୁଡ଼ିକ ପର୍ଯ୍ୟନ୍ତ ଯାତ୍ରାକୁ ସହଜ କରିବ।ଅନୁମୋଦିତ ସମୟସୂଚୀ:ଟ୍ରେନ୍ ନମ୍ବର ୧୮୪୦୭ (ପୁରୀ–କୋରାପୁଟ ଏକ୍ସପ୍ରେସ୍): ପ୍ରତି ସୋମବାର, ଗୁରୁବାର ଏବଂ ଶନିବାର ସକାଳ ୦୭:୦୦ ରେ ପୁରୀରୁ ଛାଡ଼ି ସେହିଦିନ ରାତି ୨୩:୩୦ ରେ କୋରାପୁଟରେ ପହଞ୍ଚିବ।ଟ୍ରେନ୍ ନମ୍ବର ୧୮୪୦୮ (କୋରାପୁଟ–ପୁରୀ ଏକ୍ସପ୍ରେସ୍): ପ୍ରତି ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ସକାଳ ୦୫:୦୦ ରେ କୋରାପୁଟରୁ ଛାଡ଼ି ରାତି ୨୨:୨୦ ରେ ପୁରୀରେ ପହଞ୍ଚିବ।ରହଣି ଷ୍ଟେସନ:ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୋଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, ଟିକିରି, ଲକ୍ଷ୍ମୀପୁର ରୋଡ଼, କାକିରିଗୁମା ଏବଂ ଦାମନଯୋଡ଼ି ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ରହଣି କରିବ।ଏହି ଟ୍ରେନରେ ଏସି (AC), ସ୍ଲିପର (Sleeper) ଏବଂ ଜେନେରାଲ ସେକେଣ୍ଡ କ୍ଲାସ ସହିତ ମୋଟ ୧୮ଟି କୋଚ୍ ରହିବ।ଏହି ନୂତନ ରେଳ ସେବା ଉପକୂଳ ଓଡ଼ିଶା ଏବଂ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକ ମଧ୍ୟରେ ଯାତାୟାତ ସୁବିଧାକୁ ସହଜ କରିବା ସହ ଆଞ୍ଚଳିକ ଏବଂ ସାମାଜିକ-ଅର୍ଥନୈତିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଏହା ସହିତ ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଏବଂ କୋରାପୁଟ ଓ ରାୟଗଡ଼ାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଉତ୍ତମ ସଂଯୋଗ ହେବ।ଏହି ନିୟମିତ ରେଳ ସେବାର ଶୁଭାରମ୍ଭ ତାରିଖ ସମ୍ପର୍କରେ ପୃଥକ ଭାବେ ଘୋଷଣା କରାଯିବ l

Leave a Reply

Your email address will not be published. Required fields are marked *