ଶହେ ବର୍ଷର ସମ୍ପର୍କ
*ଶହେ ବର୍ଷର ସମ୍ପର୍କ: ନାୟକଗୁଡ଼ା ଓ ଦେବ୍ରାଗୁଡ଼ା ଗ୍ରାମ ମଧ୍ୟରେ ଐତିହାସିକ ବନ୍ଧୁ ମିଳନ* “ଶହେ ବର୍ଷର ପରମ୍ପରା, ଆଉ ଦୁଇଟି ଜିଲ୍ଲା କିମ୍ବା ବ୍ଲକର ସୀମାକୁ ଡେଇଁ ଏକ ଅତୁଟ ଭଲପାଇବା! ଦର୍ଶକବନ୍ଧୁ, ଆଜି ଆମେ ଆପଣଙ୍କୁ ଦେଖାଇବୁ ଏମିତି ଏକ ନିଆରା ବନ୍ଧୁ ମିଳନ, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।ଆଜ୍ଞା ହଁ, ଏହି ଦୃଶ୍ୟ ହେଉଛି କୋଷାଗୁମୁଣ୍ଡା ବ୍ଲକ ନାୟକଗୁଡ଼ା ଗ୍ରାମର। ଗତ ୧୧ ତାରିଖରୁ ଏଠାରେ ଜମିଛି ବନ୍ଧୁ ମିଳନର ଆସର। ନବରଙ୍ଗପୁର ବ୍ଲକର ଦେବ୍ରାଗୁଡ଼ା ଗ୍ରାମବାସୀଙ୍କୁ ନିଜ ଗାଁକୁ ନିମନ୍ତ୍ରଣ କରି ଆଣିଛନ୍ତି ନାୟକଗୁଡ଼ା ବାସିନ୍ଦା। ଆଉ ଏହି ମିଳନ ଆଜିର ନୁହେଁ, ବରଂ ଦୀର୍ଘ ୧୦୦ ବର୍ଷରୁ ଅଧିକ ସମୟ ଧରି ଏହି ପରମ୍ପରା ଚାଲିଆସୁଛି।ଅତିଥିମାନଙ୍କ ସ୍ୱାଗତ ପାଇଁ ଗାଁରେ ବାଜା ବଜାଇ ଧୁମ୍-ଧାମରେ ସ୍ୱାଗତ କରାଯାଇଥିଲା। ରାତି ସାରା ଜମିଥିଲା ମନୋରଞ୍ଜନର ଆସର। ଦେଶିଆ ନାଟକ ମାଧ୍ୟମରେ ସମସ୍ତେ ହସ-ଖୁସିରେ ମଜି ଯାଇଥିଲେ।

କେବଳ ସେତିକି ନୁହେଁ, ଗ୍ରାମବାସୀଙ୍କ ମଧ୍ୟରେ ଥିବା ଏହି ଭାଇଚାରା ଦେଖିଲେ ଲାଗୁଛି ସତେ ଯେମିତି ସେମାନେ ଗୋଟିଏ ପରିବାରର ସଦସ୍ୟ।ଆଜି ୧୨ ତାରିଖ, ବିଦାୟର ବେଳା। ଭାରି ମନରେ ନାୟକଗୁଡ଼ା ବାସିନ୍ଦା ଦେବ୍ରାଗୁଡ଼ା ବନ୍ଧୁମାନଙ୍କୁ ବିଦାୟ ଦେଇଛନ୍ତି। ଗତବର୍ଷ ନାୟକଗୁଡ଼ା ବାସିନ୍ଦା ସେଠାକୁ ଯାଇଥିଲେ, ଆଉ ଏବର୍ଷ ନିଜ ମାଟିରେ ବନ୍ଧୁଙ୍କୁ ସେବା କରିବାର ସୁଯୋଗ ପାଇ ସେମାନେ ବହୁତ ଖୁସି। ସମାଜକୁ ଏକତା ଓ ଭ୍ରାତୃଭାବର ବାର୍ତ୍ତା ଦେଉଥିବା ଏହି ପରମ୍ପରା ସତରେ ପ୍ରଶଂସନୀୟ। ନବରଙ୍ଗପୁର ରୁ ରାଜ୍ ମିର୍ଗାନ୍ ଙ୍କ ରିପୋର୍ଟ ସଂସ୍କାର ନ୍ୟୁଜ ଓଡ଼ିଆ
