ସାକ୍ଷୀ ! ଏ ରକ୍ଷା କବଚ ରାକ୍ଷୀ
ସାକ୍ଷୀ ! ଏ ରକ୍ଷା କବଚ ରାକ୍ଷୀ
🖊ପ୍ରାବନ୍ଧିକ ନୂତନ କୁମାର ବେହେରା
ଏ ସୃଷ୍ଟିରେ ସାରା ସଂସାର ସୁନ୍ଦର ମଧୁମୟ ଓ
ଆନନ୍ଦମୟ। ତାର ମହତ୍ବ ଓ ଗୁରୁତ୍ଵ ହୃଦୟଙ୍ଗମ
କରି ଗଠିତ ହୋଇଛି ମାନବ ସମାଜ। ସଂସାର
ଅନ୍ୟ ନାମ ଭବ। ଭବ ସଂସ୍କୃତ ଶବ୍ଦ ‘ଭୂ’ ଧାତୁରୁ
ନିଷ୍ପନ୍ନ ହୋଇଛି ଯାହାର ଅର୍ଥ ହୁଅ ବା ହେବା।
ତେଣୁ ଏ ସଂସାରରେ ବା ଭବରେ ମାନବ ଜନ୍ମ ଲାଭ
କରି ଯା’ ହୁଏ ତାହା କେବଳ ଭାବରୁ। ଏ ଭବ
ଭାବର କେନ୍ଦ୍ରସ୍ଥଳ। ସେହି ଭାବକୁ ନେଇ ଜୀବନ
ଆଉ ଜୀବନକୁ ନେଇ ସ୍ବପ୍ନ ଆଶା ଆକାଂକ୍ଷା
ଇଚ୍ଛା ଅଭିଳାଷ କାମନା ସବୁକିଛି। ଏ ଭାବର
ସଂପର୍କକୁ ସଦା ମଧୁମୟ ରସମୟ ରଖିବା ପାଇଁ
ସମାଜର ବ୍ୟବସ୍ଥା ଅନୁସରଣ କରେ ଓ ଅନୁ-
ପ୍ରେରିତ ହୁଏ ତାହା ହିଁ ଐତିହ୍ୟ ସଂସ୍କୃତି ଓ ପରମ୍ପରା।
ଯାହାକୁ ଆଧାର କରି ପାଳିତ ହୁଏ ଓଡ଼ିଆ ସଂସ୍କୃତିରେ
ବାରମାସରେ ତେର ପର୍ବ।
ପର୍ବପର୍ବାଣୀ ମୁଖ୍ୟତଃ ଦୁଇ ଗୋଟି କାରଣ
ଉପରେ ପର୍ଯ୍ୟବେସିତ, ଗୋଟିଏ ହେଲା ଆଧ୍ୟାତ୍ମିକ
ଚେତନା। ଆତ୍ମା ପରମାତ୍ମା ବା ଜୀବ ପରମ।
ବରଂବ୍ରହ୍ମ ମହାପ୍ରଭୁ ସୃଷ୍ଟିକର୍ତ୍ତା ସବୁର ମୂଳ ଆଧାର।
ତାଙ୍କଠାରୁ ହିଁ ପ୍ରକୃତି ଓ ଜଗତ, ଜୀବଜଗତର
ପରିପ୍ରକାଶ। ତେଣୁ ପ୍ରତିଟି ପର୍ବ ପ୍ରଭୁ ଜଗତର ନାଥଙ୍କ ଅପାର ମହିମା ଓ ବିଶେଷତ୍ଵ ଉପରେ ଆଧାରିତ। ଅନ୍ୟ କାରଣଟି ଭାରତ ଏକ ବିରାଟ ଭୂଖଣ୍ଡ। ଏ ଭୂଖଣ୍ଡରେ ମଣିଷର ଜୀବନ ଓ ଜୀବିକା ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ସୁତରାଂ ଅନେକ ପର୍ବପର୍ବାଣୀ ମଧ୍ୟ କୃଷିଭିତ୍ତିକ। ଲୋକସଂଖ୍ୟା ଦୃଷ୍ଟିରୁ ଯେଉଁ ପର୍ବ ପ୍ରାୟତଃ ଅଧିକାଂଶ ଲୋକ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପାଳନ କରିଥାନ୍ତି ତାହା ଗଣପର୍ବ।
ଶ୍ରାବଣ ପୂର୍ଣ୍ଣିମା ଯେଉଁ ପର୍ବ ସମୂହ ଭାବେ
ଉତ୍ତର ଓ ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ପାଳିତ
ହୁଏ ସେ ଗଣପର୍ବ ହେଉଛି “ଗହ୍ମା ପୂର୍ଣ୍ଣିମା” ବା” ରାକ୍ଷୀ
ପୂର୍ଣ୍ଣିମା “। ଏହାକୁ ” ରକ୍ଷା ବନ୍ଧନ ” ମଧ୍ୟ କୁହାଯାଏ।
ଏ ଗଣପର୍ବ ଏବେ ଅଧିକରୁ ଅଧିକ ଲୋକପ୍ରିୟ
ହୋଇ ପାରିଛି।
ବିଶେଷତଃ ଭାଇ ଭଉଣୀ ମଧ୍ୟରେ ଥିବା
ଅନାବିଳ ପବିତ୍ର ସଂପର୍କକୁ ଅକ୍ଷୁର୍ଣ୍ଣ ରଖିବା
ଓ ଏ ମହାନ ଭାବକୁ ଉଜ୍ଜୀବିତ ରଖି ମାନବବାଦରେ
ପରମ ଚରମ ସୀମା ପର୍ଯ୍ୟନ୍ତ ପହଞ୍ଚାଇବା ଏ ପର୍ବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ତେଣୁ ଏ ରକ୍ଷା ବନ୍ଧନ। ଏ
ପବିତ୍ର ସଂପର୍କର ପ୍ରତୀକ ହେଉଛି ରାକ୍ଷୀ। ” ସାକ୍ଷୀ ଏ ରକ୍ଷା କବଚ ରାକ୍ଷୀ” ଭାବରେ ହୋଇଛି ଯୁଗସ୍ରୋତର ବାର୍ତ୍ତାବହ।
ଏକ ମାଆ ଗର୍ଭରୁ ଜନ୍ମ ନେଇ ଭାଇ ଭଉଣୀ
ହୋଇ ଏ ସଂସାରକୁ ଆସନ୍ତି। ଶରୀର ପୃଥକ ହେଲେ
ମଧ୍ୟ ରକ୍ତ ଏକ, ମନ ପ୍ରାଣ ଏକ। ଗୋଟିଏ ଡାଳର
ଦୁଇଟି ଫୁଲ ପରି। ପବିତ୍ର ସଂପର୍କ ତାଙ୍କର ଅତୁଟ,
ଏ ବନ୍ଧନ ରହେ ଚିରନ୍ତନ। ତାର ପ୍ରକାଶ ବିକାଶ
ନିମନ୍ତେ ପରସ୍ପର ପରସ୍ପରକୁ ଜୀବନ ଯାକ
ହୋଇଥାନ୍ତି ନିର୍ଭରଶୀଳ। ଭାଇ ଭଉଣୀର ସହାୟକ
ହୋଇଥାଏ। ଆପଦ ବିପଦରେ ସାହା ହେବାକୁ
ଆଗେଇ ଆସିଥାଏ। ଭଉଣୀର ମୁହଁରେ ଭାଇ
ହସ ଦେଖିବାକୁ ଚାହେଁ।
ଭାଇ ଭଉଣୀର ଅନାବିଳ ସ୍ନେହ ଶ୍ରଦ୍ଧାର
ପରିପ୍ରକାଶ ହୋଇଥାଏ ଏ ରାକ୍ଷୀ ମାଧ୍ୟମରେ।
ରାକ୍ଷୀ ହୋଇ ପାରେ ସାମାନ୍ୟ ସୂତା ଘିଅଟିଏ।
ତା ଭିତରେ ସତେଜ ସ୍ମୃତି ସବୁ ଜୀବନ୍ତ ହୋଇ
ରହେ ଜୀବନର ଶେଷ ପର୍ଯ୍ୟନ୍ତ।
ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନର ପରମ୍ପରା
ସମାଜରେ କେତେ କାଳରୁ ପ୍ରଚଳିତ ହୋଇ
ଆସୁଛି ତାର ନିର୍ଦ୍ଦିଷ୍ଟ ଭାବରେ କହି ହୁଏନି କି
ତାର ପ୍ରମାଣ ମଧ୍ୟ ନାହିଁ। ତଥାପି ଏ ପର୍ବ ବହୁ କାଳରୁ
ଚାଲି ଆସିଛି। ଏ ସଂପର୍କରେ ବହୁ ପୌରାଣିକ
ଓ ଐତିହାସିକ ମତବାଦ ରହିଛି। ଶାସ୍ତ୍ର ପୁରାଣ ତାର
ମୂକସାକ୍ଷୀ।
ପୌରାଣିକ ମତ ଅନୁସାରେ :—-
ଗହ୍ମା ପୂର୍ଣ୍ଣିମା ଦିନ ପ୍ରଭୁ ବଳରାମ ମାତା ରୋହିଣଙ୍କ ଗର୍ଭରୁ ଜନ୍ମ ଲଭି ଏ ଧରାଧାମକୁ ଆସିଥିଲେ,ଦେବରୁ ମାନବ ଶରୀର ଧାରଣ କରି। ଏ ଦିବସଟିକୁ ବଳରାମ ଜୟନ୍ତୀ ରୂପରେ ପାଳନ କରା-
ଯାଏ। ପ୍ରଭୁ ବଳରାମଙ୍କୁ ସମ୍ମାନ ଜଣାଇବା ପାଇଁ
ହଳ ମୁଷଳ ଧାରଣ କରି ଗୋ ମାତାକୁ ପୂଜା କରାଯାଏ। ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା
ପ୍ରଦାନ କରିଥାନ୍ତି। ଏ ପଇତା ଧାରଣ କଲେ ବ୍ରହ୍ମ
ରାକ୍ଷସ କବଳରୁ ରକ୍ଷା ମିଳେ ବୋଲି ବିଶ୍ବାସ ଅଛି।
ସୃଷ୍ଟି ସର୍ଜନା ପରଠୁ ଦେବଗଣ ଅସୁରମାନଙ୍କ
ମଧ୍ୟରେ ଯୁଦ୍ଧ ପ୍ରାୟତଃ ଲାଗ ରହିଥିଲା। ଯୁଦ୍ଧରେ
ବିଜୟ ଲାଭ ନିମନ୍ତେ ମହର୍ଷି ଦୁର୍ବାସା ଏକ ଅଙ୍ଗସୂତ୍ରକୁ
ମନ୍ତ୍ରପୁତ କରି ଶଚୀଙ୍କୁ ଦେଇଥିଲେ। ଶଚୀ ଦେବୀ
ତାହା ଦେବରାଜ ଇନ୍ଦ୍ରଙ୍କୁ ପିନ୍ଧାଇ ଦେଇଥିଲେ। ଫଳତଃ ଦେବରାଜ ଇନ୍ଦ୍ରଙ୍କ ଦ୍ଵାରା ଅସୁରମାନେ ପରାଜିତ ହୋଇ ଛତ୍ରଭଙ୍ଗ ହୋଇଥିଲେ। ଏହି ଦିନଟିକୁ ସ୍ମରଣ ରଖି ରାକ୍ଷୀ ବନ୍ଧନ କରାଯାଏ। ରାକ୍ଷୀକୁ ରକ୍ଷାସୂତ୍ର ଭାବରେ ଭବିଷ୍ୟ ପୁରାଣରେ ବର୍ଣ୍ଣିତ ହୋଇଛି।
କଂସାସୁର ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ବହୁ
ଯୋଜନା କରି ଚାଲିଥିଲା। ସବୁ ବିଘ୍ନର ରିଷ୍ଟ ଖଣ୍ଡନ
ପାଇଁ ଗୋପୀମାନେ ଅଭିମନ୍ତ୍ରତ ରାକ୍ଷୀ ଶ୍ରୀକୃଷ୍ଣଙ୍କୁ
ପିନ୍ଧାଇ ଥିଲେ। ପାଣ୍ଡବଙ୍କ ମାତା କୁନ୍ତୀଦେବୀ ମଧ୍ୟ
କୌରବମାନଙ୍କଠାରୁ ପୁତ୍ରମାନଙ୍କ ସୁରକ୍ଷା ନିମନ୍ତେ
ଶ୍ରୀକୃଷ୍ଣଙ୍କୁ ରାକ୍ଷୀ ପିନ୍ଧାଇ ଥିଲେ।
ବଳି ରାଜାଙ୍କ ଗର୍ବ ଅହଂକାରକୁ ଭାଙ୍ଗିବା
ପାଇଁ ପ୍ରଭୁ ବାମନ ରୂପରେ ଆସି ତିନି ପାଦ ଭୂମି
ମାଗିଥିଲେ।ବଳିରାଜା ତା’ ଦେବାକୁ ସଂକଳ୍ପବଦ୍ଧ
ହୋଇଥିଲେ। ପ୍ରଥମ ପାଦରେ ସସାଗରା ମହୀ
ଓ ଦ୍ଵିତୀୟ ପାଦରେ ସ୍ବର୍ଗ ନେଲା ପରେ ତୃତୀୟ ପାଦ
ନାଭିରୁ ବାହାର କରି ଆଉ ଏକ ପାଦ ଭୂମି ମାଗିବାରୁ
ବଳିରାଜା ତାଙ୍କର ମସ୍ତକ ଦେଖାଇ ଥିଲେ। ତାଙ୍କୁ
ସେ ପାଦରେ ଚାପି ପାତାଳପୁରକୁ ଚାପି ଦେଇଥିଲେ।
ସେ ସମୟରେ ବଳି ରାଜା ପ୍ରଭୁଙ୍କୁ ଅଭୟ ବର
ମାଗିଥିଲେ ଏବଂ ପ୍ରଭୁ ତାଙ୍କୁ ସେ ବର ପ୍ରଦାନ କରିଥିଲେ। ବଳିରାଜା ପାତାଳପୁରୀରେ ଶାସନ କରୁଥିବା ସମୟରେ ତାଙ୍କ ପ୍ରତି ବିପଦ ନ ଆସୁ
ସେଥିପାଇଁ ଶ୍ରୀବିଷ୍ଣୁ ବୈକୁଣ୍ଠପୁର ଛାଡି ଆସି ବଳିଙ୍କର
ଦ୍ଵାରପାଳ ଥିଲେ। ମାତା ଲକ୍ଷ୍ମୀ ଛଦ୍ମବେଶରେ ଜଣେ
ସାଧାରଣ ନାରୀ ରୂପରେ ଆସି ବଳିଙ୍କୁ ରାକ୍ଷୀ ବାନ୍ଧି
ଥିଲେ ଓ ତାଙ୍କ ସ୍ବାମୀଙ୍କୁ ଫେରାଇ ଦେବା ପାଇଁ
ଅନୁରୋଧ କରିଥିଲେ। ବଳି ତାଙ୍କର ପରିଚୟ ମାଗିବାରୁ ତାଙ୍କର ମହାଲକ୍ଷ୍ମୀ ଓ ଦ୍ଵାରପାଳ ବିଷ୍ଣୁ
ତାଙ୍କର ଚତୁର୍ଦ୍ଧା ମୂର୍ତ୍ତିର ରୂପ ପ୍ରଦର୍ଶନ କରିଥିଲେ।
ସବୁ ଜାଣି ବଳିରାଜା ପ୍ରଭୁଙ୍କୁ ଦ୍ବାରପାଳରୁ ମୁକ୍ତି
ପ୍ରଦାନ କରି କ୍ଷମା ପ୍ରାର୍ଥନା କରିଥିଲେ। ଏହି ଦିନଟି
ଥିଲା ଶ୍ରାବଣ ପୂର୍ଣ୍ଣିମା। ତେଣୁ ଏ ଦିନଟିକୁ ସ୍ମରଣ
ରଖିବା ପାଇଁ ରାକ୍ଷୀ ବନ୍ଧନ କରାଯାଏ।
ଅତ୍ୟାଚାରୀ ଶିଶୁପାଳକୁ ଶ୍ରୀକୃଷ୍ଣ ସୁଦର୍ଶନ
ଚକ୍ରରେ ନିଧନ କରିବା ସମୟରେ ତାଙ୍କ ଆଙ୍ଗୁଳି
କଟି ରକ୍ତାକ୍ତ ହୋଇ ଯାଇଥିଲା। ଏହା ଦେଖି ଯାଜ୍ଞସେନୀ ଦୌପଦୀ ତାଙ୍କର ପରିଧାନ ଶାଢୀ ଛିଡି
ସଙ୍ଗେ ସଙ୍ଗେ ଶ୍ରୀକୃଷ୍ଣଙ୍କ ଆଙ୍ଗୁଳିରେ ବାନ୍ଧି ଦେଇ
ରକ୍ତ ବନ୍ଦ କରି ଥିଲେ। ବିନିମୟରେ ଭାଇ ଭାବରେ
କୁରୁସଭାରେ ଦୌପଦୀଙ୍କ ଲଜ୍ଜା ନିବାରଣ ପାଇଁ କୋଟି ବସ୍ତ୍ର ପ୍ରଦାନ କରି ଶ୍ରୀକୃଷ୍ଣ ତାଙ୍କର ଭାତୃଭାବ ପ୍ରଦର୍ଶନ କରିଥିଲେ। ଏ ଘଟଣାକୁ ଆଧାର କରି ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଦିଏ।
ଐତିହାସିକ ମତରେ :—-
୩୦୦ ଖ୍ରୀଷ୍ଟପୂର୍ବ ତଳେ ମାସିଡୋନିଆର ସମ୍ରାଟ
ଆଲେକଜାଣ୍ଡାର୍ ଭାରତ ଆକ୍ରମଣରେ ବିଜୟ ଲାଭ
କରି ରାଜା ପୁରୁଙ୍କୁ ସମ୍ମୁଖୀନ ହୋଇ ପ୍ରଥମେ
ପ୍ରାରାପ୍ତ ହୋଇଥିଲେ। ସ୍ବାମୀଙ୍କ ପ୍ରାଣ ରକ୍ଷା ପାଇଁ
ଆଲେକ୍ଜାଣ୍ଡାରଙ୍କ ପତ୍ନୀ ପୁରୁ ରାଜାଙ୍କୁ ଏକ ରାକ୍ଷୀ
ପଠାଇ ଭାଇ କରିଥିଲେ। ରାଜା ପୁରୁ ମଧ୍ୟ ତାଙ୍କୁ
ଭଉଣୀ ଭାବରେ ଗ୍ରହଣ କରିଥିଲେ।
ସୁଲତାନ୍ ବାହାଦୂରଶାହା ଚିତୋର ଆକ୍ରମଣ
କରି ରାଣାଙ୍କୁ ପରାସ୍ତ ଓ ନିହତ କଲେ। ତାଙ୍କର ବିଧବା ପତ୍ନୀ କରୁଣାବତୀ ବା କର୍ଣ୍ଣାବତୀ ରାଜ୍ୟର
ସୁରକ୍ଷା, ପ୍ରଜାମାନଙ୍କ ମଙ୍ଗଳ ପାଇଁ ତଥା ନିଜର
ଆତ୍ମରକ୍ଷା ପାଇଁ ଦିଲ୍ଲୀର ସୁଲତାନ ହୁମାୟୁନଙ୍କୁ
ରାକ୍ଷୀ ପଠାଇ ଭାଇ ଭାବରେ ସାହାଯ୍ୟ ଭିକ୍ଷା କରି
ଥିଲେ। ସୁଲତାନ ହୁମାୟୁନ ମଧ୍ୟ ରାଣୀଙ୍କର ରାକ୍ଷୀକୁ
ମର୍ଯ୍ୟାଦାର ସହ ଗ୍ରହଣ କରି ତୁରନ୍ତ ସୈନ୍ୟ ସାମନ୍ତ
ପଠାଇଥିଲେ ବାହାଦୂରଶାହାଙ୍କ ବିରୁଦ୍ଧରେ ଲଢ଼ିବା
ପାଇଁ।
ରକ୍ଷା ବନ୍ଧନ ପ୍ରକୃତରେ ବହୁ ପୁରାତନ। ଆଜି
ତାର ବହୁଳ ପ୍ରଚାର ପ୍ରସାର ହେବା ଫଳରେ ଏକ
ଗଣପର୍ବରେ ପରିଣତ ହୋଇଛି। ବିଶେଷତଃ ଭାଇ
ଭଉଣୀର ମଧ୍ୟରେ ପବିତ୍ର ସଂପର୍କ ଜୀବନ ଯାକ
ଅକ୍ଷୁର୍ଣ୍ଣ ରଖିବା ପାଇଁ ରାକ୍ଷୀ ପ୍ରେରଣା ଦିଏ ଉତ୍ସାହ
ଯୋଗାଏ। ଭାଇଟିଏ ଭଉଣୀ ପାଇଁ ଯେତିକି
ଆବଶ୍ୟକ, ଭଉଣୀଟିଏ ମଧ୍ୟ ଭାଇ ପାଇଁ ସେତିକି
ଆବଶ୍ୟକ। ଭାଇ ଭଉଣୀଙ୍କ ମଧ୍ୟରେ ସଂପର୍କ
ଜୀବନ ତମାମ ଅତୁଟ ରଖିବାକୁ ଏ ରାକ୍ଷୀ ପୂର୍ଣ୍ଣିମାର
ରକ୍ଷାବନ୍ଧନ ଚେତାଇ ଦିଏ, ସ୍ମରଣ କରାଇ ଦିଏ
ହୃଦୟରେ ଭରି ଦିଏ ଅନାବିଳ ସ୍ନେହ ଶ୍ରଦ୍ଧା ଓ
ମମତା। ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ
ଭାଇ ବଳଭଦ୍ରଙ୍କୁ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧି ଦିଅନ୍ତି।ଏକତ୍ର ଶ୍ରୀମନ୍ଦିରରେ ରହି ଏ ଭାଇ ଭଉଣୀର ଅମର ପ୍ରେମଭାବକୁ ସାରାଜଗତକୁ ଜଣାଇ ଦେଉଛନ୍ତି। ରଥଯାତ୍ରାରେ ମଧ୍ୟ ଭଉଣୀଙ୍କୁ ନେଇ ବୁଲି ଯାଉଛନ୍ତି। ଭାଇ ଭଉଣୀ ମଧ୍ୟରେ ନିବିଡ଼ ସମ୍ପର୍କର ଏ ପ୍ରତୀକ।
ସର୍ବୋପରି ଭାଇଟିଏ ଭଉଣୀ ପାଇଁ ଯେ
ସୁରକ୍ଷାର ଦେବଦୂତ,ଏ କଥା ହୃଦୟରେ ଭଉଣୀ
ଅନୁଭବ କରେ। ବାସ୍ତବରେ ସମାଜିକ ଜୀବନରେ
ରାକ୍ଷୀର ଭୂମିକା ମହତ୍ଵପୂର୍ଣ୍ଣ ଓ ଗୁରୁତ୍ଵପୂର୍ଣ୍ଣ ହୋଇ
ଏ ରୂପାନ୍ତରିତ ହୋଇଛି ” ସାକ୍ଷୀ ଏ ରକ୍ଷା କବଚ ରାକ୍ଷୀ “
ଭାବରେ। ତା’ର ପରାକାଷ୍ଠା ବଞ୍ଚାଇ ରଖିବା ଆସନ୍ତୁ
ଆମେ ସମସ୍ତେ ,ଭାଇ ଭଉଣୀର ପବିତ୍ର ସଂପର୍କ
ରଖି ଏ ସାରା ଜଗତରେ। ଆମ ଜୀବନ ହେବ ସାର୍ଥକ
ଆମେ ହସିଲେ ହସିବ ଏ ସମଗ୍ର ବିଶ୍ବ।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
