ପୁରୀ ସୁତନରେ ମଡେଲ୍ ମଣ୍ଡୀ ସ୍ଥାପନ ପାଇଁ ଦାବି
ପୁରୀ ସୁତନରେ ମଡେଲ୍ ମଣ୍ଡୀ ସ୍ଥାପନ ପାଇଁ ଦାବି
ଗୋପ, 19/08
ରାଜ୍ୟ ସରକାର ଦ୍ୱାରା ୩୮ଟି ଆଧୁନିକ ମଡେଲ୍ ମଣ୍ଡୀ ସ୍ଥାପନ ପାଇଁ ୨୦୨୫ ଅଗଷ୍ଟ ୧୩ରେ ମନ୍ତ୍ରିସଭାରେ ନିଷ୍ପତ୍ତି ନିଆଯାଇଥିବାକୁ ସମଗ୍ର ଓଡ଼ିଶାର କୃଷକ ସମୁଦାୟ ସ୍ୱାଗତ କରୁଛନ୍ତି। ୧୪ଟି ବଡ଼, ୧୭ଟି ମଧ୍ୟମ ଓ ୭ଟି ଛୋଟ ମଣ୍ଡୀ ଦୁଇ ବର୍ଷରେ (୨୦୨୫–୨୬ ଓ ୨୦୨୬–୨୭) ପ୍ରଥମ ପର୍ଯ୍ୟାୟରେ ହେବ।
ନୂତନ ମଣ୍ଡୀଗୁଡ଼ିକରେ ଆଧୁନିକ ଗୋଦାମ, ଧାନ ଶୁଖାଇବା ପ୍ଲାଟଫର୍ମ, କୁଲିଂ ଚେମ୍ବର, ମାନ ପରୀକ୍ଷା ଯନ୍ତ୍ର, ବିଶ୍ରାମଗୃହ, ଶୌଚାଳୟ, ବ୍ୟାଙ୍କ ଏଟିଏମ, ଭାରମାପଣ ଯନ୍ତ୍ର, ପାର୍କିଂ ସ୍ଥଳୀ, ବର୍ଜ୍ୟ ପଦାର୍ଥ ପରିଚାଳନା ବ୍ୟବସ୍ଥା ସହିତ ଏକ ସ୍ଥାନରେ ସମସ୍ତ ସୁବିଧା ଦିଆଯିବ।
ଏହି ପରିପ୍ରେକ୍ଷିରେ, ପୁରୀ ଜିଲ୍ଲାର କାକଟପୁର ବିଧାନସଭା ମଣ୍ଡଳୀର ସୁତନ ପଞ୍ଚାୟତରେ ଏକ ମଡେଲ୍ ମଣ୍ଡୀ ସ୍ଥାପନ କରାଯାଉ ବୋଲି ସ୍ଥାନୀୟ କୃଷକ ଓ ନେତାମାନେ ଦାବି କରୁଛନ୍ତି। ସୁତନ ପଞ୍ଚାୟତରେ ୪୦୦ରୁ ଅଧିକ ଏକର ସରକାରୀ ଜାଗା ଉପଲବ୍ଧ ଅଛି। ଏଥିସହିତ ଏହି ଅଞ୍ଚଳ ପୁରୀ–କୋଣାର୍କ ମେରାଇନ ଡ୍ରାଇଭ, ନିର୍ମାଣାଧୀନ କୋଷ୍ଟାଲ୍ ହାଇୱେ ଓ ପ୍ରସ୍ତାବିତ ପୁରୀ–କୋଣାର୍କ ରେଳପଥ ସହ ସଂଲଗ୍ନ ହେବାରୁ ଗମନାଗମନ ପାଇଁ ବିଶେଷ ସୁବିଧାଜନକ।
ଏହି ଅଞ୍ଚଳରେ ଧାନ, ମୁଗ, କୋଳଥ, ଚିନାବାଦମ, ପନିପରିବା, ପାନ, ସହିତ ମାଛ ଓ ସି–ଫୁଡ୍ ରଫ୍ତାନି ପାଇଁ ଭାରି ସମ୍ଭାବନା ରହିଛି। ସୁତନରେ ମଣ୍ଡୀ ସ୍ଥାପନ ହେଲେ ବ୍ରହ୍ମଗିରି, ପୁରୀ, କାକଟପୁର, ପିପିଲି, ସତ୍ୟବାଦୀ ଓ ନିମାପଡ଼ା ଅଞ୍ଚଳର ହଜାର ହଜାର କୃଷକଙ୍କୁ ସହଜରେ ଶସ୍ୟ ବିକ୍ରୟ କରିବାର ସୁବିଧା ମିଳିବ।
ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ (ଲୁଲୁ) ଏହି ପ୍ରସଙ୍ଗରେ କହିଛନ୍ତି – “ରାଜ୍ୟ ସରକାରଙ୍କ ଏହି ୩୮ଟି ମଡେଲ୍ ମଣ୍ଡୀ ପ୍ରକଳ୍ପ ଅତ୍ୟନ୍ତ ପ୍ରଶଂସନୀୟ। ସୁତନରେ ମଣ୍ଡୀ ସ୍ଥାପିତ ହେଲେ ଏହା ପୁରୀ ଜିଲ୍ଲା ଓ ସମଗ୍ର କୃଷକ ସମାଜ ପାଇଁ ଏକ ମାଇଲସ୍ଟୋନ୍ ହେବ।’’
