ଜିଲ୍ଲା ମହରିର ସଂଘ ଦ୍ୱାରା ଉଦଳା ବିଧାୟକଙ୍କୁ ସମ୍ବର୍ଦ୍ଧନା
ଉଦଳା ୦୬/୧୦ – ମୟୂରଭଞ୍ଜ ବାରିପଦା ମହରିର ସଂଘ ଦ୍ୱାରା ଉଦଳା ବିଧାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ବାରିପଦା ମହରିର ସଂଘର ସଭାପତି ଶରତ ନାୟକ ଓ କର୍ମକର୍ତ୍ତାମାନେ ଆଜି ଉଦଳା ବିଧାୟକ ଭାସ୍କର ମଢ଼େଇଙ୍କ ଉଦଳାସ୍ଥିତ ବାସଭବନକୁ ଆସି ତାଙ୍କୁ ପୁଷ୍ପଗୁଚ୍ଛ, ଏକ ପୁସ୍ତକ ତଥା ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଛନ୍ତି । ଶ୍ରୀ ମଢ଼େଇ ପୂର୍ବରୁ ବିଧାନ ସଭାରେ ମହରିର ମାନେ ଅବସର ସମୟରେ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ପାଇଁ ସରକାରଙ୍କ ନିକଟରେ ଦାବି କରାଇ ଅନୁମୋଦନ କରିଥିବା ସଭାପତି ଶ୍ରୀ ନାୟକ ପ୍ରକାଶ କରିଥିଲେ । ସବୁ ଜିନିଷ ର ଦରଦାମ ବୃଦ୍ଧି ହୋଇଥିବା ବେଳେ ଉକ୍ତ ଅନୁକମ୍ପା ରାଶିକୁ ବୃଦ୍ଧି କରାଇବାକୁ ପୁନର୍ବାର ସହଯୋଗ ମାଗିଥିଲେ । ବିଧାୟକ ଶ୍ରୀ ମଢ଼େଇ ସେତେବେଳେ ୮୫ ଜଣ ବିଧାୟକଙ୍କୁ ଅନୁମୋଦନ କରାଇ ମହରିର ସଂଘକୁ ସହଯୋଗ କରିଥିବାର ପ୍ରକାଶ କରିବା ସହିତ ପୁନର୍ବାର ସଂଘର ଅନୁରୋଧ ରକ୍ଷା କରି ମୁଖ୍ୟ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଙ୍କ ସହ ସଂଘ କର୍ମକର୍ତ୍ତାମାନଙ୍କୁ ନେଇ ସାକ୍ଷାତ କରାଇବା ସହିତ ବ୍ୟକ୍ତିଗତ ଭାବେ ଦାବି ଜଣାଇବେ ବୋଲି ପ୍ରତିଶୃତି ଦେଇଛନ୍ତି । ଉକ୍ତ ସମ୍ବର୍ଦ୍ଧନା ସମୟରେ ରାଜ୍ୟ ମହରିର ସଂଘର ଉପସଭାପତି ତଥା ବାରିପଦା ମହରିର ସଂଘର ସମ୍ପାଦକ ସଙ୍ଗ୍ରାମ ଶତପଥି, କୋଷାଧ୍ୟକ୍ଷ ପିତାମ୍ବର ମଲ୍ଲିକ ଙ୍କ ସମେତ ଗୋପବନ୍ଧୁନଗର ବ୍ଲକର ବିଧାୟକ ପ୍ରତିନିଧି ହୃଷିକେଶ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
ଉଦଳାରୁ ଜାହ୍ନବୀ ପୁଟିଙ୍କ ରିପୋର୍ଟ
