ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

ଭୁବନେଶ୍ୱର ୦୯/୧୦/୨୦୨୫ଆଜି ଲୋକସେବା ଭବନର କନଭେନସନ ସେଣ୍ଟରରେ ୭୧ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ, ୨୦୨୫ ପାଳିତ ହୋଇଯାଇଛି । ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଏହି ଉତ୍ସବରେ ଯୋଗଦେଇ ଓଡ଼ିଶାର ଜୈବବିବିଧତାର ସୁରକ୍ଷା ପାଇଁ ବନ ବିଭାଗର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ । ପରିବେଶ ପର୍ଯ୍ୟଟନ, ମାନବ-ବନ୍ୟପ୍ରାଣୀ ସଂଘର୍ଷ ହ୍ରାସ ସହ ମନିଟରିଂରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଭଳି ପଦକ୍ଷେପ ଗ୍ରହଣ କରି ଓଡ଼ିଶା ବନ ବିଭାଗ ବନ୍ୟପ୍ରାଣୀ ସଂରକ୍ଷଣକୁ ସୁଦୃଢ଼ କରିପାରିଛି ବୋଲି ରାଜ୍ୟପାଳ ମତପ୍ରକାଶ କରିଥିଲେ । ଜଙ୍ଗଲ ନିକଟରେ ବାସ କରୁଥିବା ଜନସାଧାରଣ ଏବଂ ବିଭିନ୍ନ ଗୋଷ୍ଠୀଙ୍କ ସହଯୋଗରେ ବନ୍ୟପ୍ରାଣୀ ଓ ମନୁଷ୍ୟଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସୁନିଶ୍ଚିତ କରାଯାଇପାରିବ ବୋଲି ସେ କହିଥିଲେ । ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଅବସରପ୍ରାପ୍ତ ଅଧିକାରୀଙ୍କ ଭୂମିକାକୁ ଅତିଥିମାନେ ପ୍ରଶଂସା କରିଥିଲେ । ଏହି ଅବସରରେ ଡକ୍ଟର ଶରତ ଚନ୍ଦ୍ର ମିଶ୍ରଙ୍କୁ ସିମିଲିପାଳର ବିରଳ ଏବଂ ସ୍ଥାନୀୟ ଅର୍କିଡ୍‌ର ଡକ୍ୟୁମେଣ୍ଟେସନ୍‌ ପାଇଁ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ପୁରସ୍କାର, ୨୦୨୫ ପ୍ରଦାନ କରାଯାଇଥିଲା । ଏଥି ସହ ଅନଲାଇନ୍‌ କୁଇଜ୍‌, ସିଟ୍‌ ଆଣ୍ଡ୍‌ ଡ୍ର ଏବଂ ଫଟୋଗ୍ରାଫି ପ୍ରତିଯୋଗିତାର ରାଜ୍ୟସ୍ତରୀୟ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *