ରାଜ୍ୟ ବିଦ୍ୟୁତ ବିତରଣ ସଂସ୍ଥାରୁ ଟାଟା କମ୍ପାନୀକୁ ହଟାଅ ଓ ସରକାର ପରିଚାଳନା କର
ରାଜ୍ୟ ବିଦ୍ୟୁତ ବିତରଣ ସଂସ୍ଥାରୁ ଟାଟା କମ୍ପାନୀକୁ ହଟାଅ ଓ ସରକାର ପରିଚାଳନା କର -ସିପିଏମ
ବ୍ରହ୍ମପୁର – ରାଜ୍ୟରେ ଟଟାକୁ ବିଦ୍ୟୁତ ବିତରଣ ସଂସ୍ଥା ଗୁଡ଼ିକର ଦାୟିତ୍ୱ ହସ୍ତାନ୍ତର କରିବାର 3 ବର୍ଷ ହୋଇଥିଲେ ମଧ୍ୟ ଗ୍ରାହକ ସେବାରେ ସେଭଳି ଗୁଣାତ୍ମକ ପରିବର୍ତ୍ତନ ପରିଲିଖିତ ହୋଇନାହିଁ।ବରଂ ଗ୍ରାହକ ହନ୍ତସନ୍ତ ହେଉଛନ୍ତି।ଲୋ ଭୋଲ୍ଟେଜ, ବିଦ୍ୟୁତ କାଟ, ବିଦ୍ୟୁତ ଶୁଳ୍କ ଓ ପ୍ରତିମାସରେ ବିଲ ନଦେବା ଭଳି ସମସ୍ୟା ବଳବତ୍ତର ରହିଛି। ଅନ୍ୟ ଦିଗରେ ମାସକୁ 28 ଦିନ ବିଦ୍ୟୁତ ଦେଇ 30 ଦିନିଆ ଶୁଳ୍କ ସଂଗ୍ରହ କରିବା, ବିଭିନ୍ନ ଆଳ ଦେଖାଇ ମନଇଚ୍ଛା ଫାଇନ ସଂଗ୍ରହ କରିବା, ଉପଭୋକ୍ତାଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ବ୍ୟବସ୍ଥା ନ କରିବା ଏବଂ ବେଆଇନ ଭାବେ ସ୍ମାର୍ଟ ମିଟର ଲଗାଇବା ଭଳି ଲାଭଖୋରି କାର୍ଯ୍ୟ ଟାଟା କମ୍ପାନୀ ପକ୍ଷରୁ ବଢ଼ି ଚାଲିଛି।ଟାଟା କମ୍ପାନୀ ଧୀରେ ଧୀରେ ନିଜକୁ ସାହୁକାର ଓ ଗ୍ରାହକମାନଙ୍କୁ ତାଙ୍କର ଭୃତ୍ୟ ବୋଲି ଭାବୁଛି। ବିଦ୍ୟୁତ ବିତରଣ କ୍ଷେତ୍ରରେ ଘରୋଇକରଣ ଫଳରେ ଏହାହିଁ ଦେଖାଦେଇଛି।AES ଠାରୁ ଟାଟା ପର୍ଯ୍ୟନ୍ତ ଓଡ଼ିଶାରେ ବିଦ୍ୟୁତ ସଂସ୍କାର କ୍ଷେତ୍ରରେ 3 ଦଶନ୍ଧି ମଧ୍ୟରେ ଏହି ଅଭିଜ୍ଞତା ପ୍ରମାଣିତ ହୋଇଛି। ଘରୋଇ କମ୍ପାନୀ ଗୁଡ଼ିକ ବିଦ୍ୟୁତ ଉପଭୋକ୍ତାଙ୍କୁ ସେବା ପ୍ରଦାନ କରିବା ପରିବର୍ତ୍ତେ ଲୁଟିଛନ୍ତି।ତେଣୁ ଦେଶର 35 କୋଟି ଗ୍ରାହକ ମଧ୍ୟରୁ 32 କୋଟି ଗ୍ରାହକ ସରକାରୀ ଅଧୀନରେ ପରିଚାଳିତ ହେଉଅଛନ୍ତି।ଓଡ଼ିଶାରେ ବଜେପି ସରକାର ଘରୋଇ କମ୍ପାନୀଙ୍କ ହାତରେ କୋଟି କୋଟି ଲୋକଙ୍କ ସ୍ୱାର୍ଥକୁ ଟେକିଦେଇ ନିରବ ଦ୍ରଷ୍ଟା ସାଜିଛନ୍ତି।ଫଳରେ କମ୍ପାନୀ ମଲେମାଲ ଓ ଗ୍ରାହକ ହତାଶ।
ତେଣୁ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେବା, ଲୋ ଭୋଲ୍ଟେଜ ଓ ବିଦ୍ୟୁତ କାଟ ବନ୍ଦକରିବା, ବିଭିନ୍ନ ଆଳ ଦେଖାଇ ହଜାର ହଜାର ଟଙ୍କା ଫାଇନ ଆଦାୟ ବନ୍ଦ କରିବା, ବେଆଇନ ଭାବେ ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା ସହିତ ବିତରଣ ସଂସ୍ଥାରୁ ଟାଟା କମ୍ପାନୀକୁ ହଟାଇ ସରକାର ପରିଚାଳନା କରିବା ପାଇଁ ଦାବୀ କରାଯାଇଛି।
ଆଜି ସିପିଏମ ପକ୍ଷରୁ ଦକ୍ଷିଣାଞ୍ଚଳ RDC ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, କୈଳାସ ଷଡ଼ଙ୍ଗୀ, ରାମଚନ୍ଦ୍ର ନାୟକ, ହରୀକୃଷ୍ଣ ରେଡି, ବିଦ୍ୟାଧର ଜେନା, ଅଜୟ ଗୌଡ଼, ଶିବପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ବିଭୁ ପାଣିଗ୍ରାହୀ, ନୀଳ ମଣି ଗୁରୁ, ବିଜୟ ବିଶୋଇ, ବିପିନ ବିହାରୀ ନାୟକ, ଶିବ ଶଙ୍କର, ବୈରାଗୀ ବେହେରା, ଯୋଗେଶ ସାହୁ ,ଗୋପାଳ ପାଣିଗ୍ରାହୀ, ଗୋକୁଳ ତ୍ରିପାଠୀ, ରାଜରାଓ, ହରି ନାହାକ, ଚିଟିବାବୁ, ଗୋକୁଳ ତ୍ରିପାଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ।ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରୁ ଶତାଧିକ ଉପଭୋକ୍ତା ମାନଙ୍କର ଏକ ଶୋଭାଯାତ୍ରା ବାହାରି RDC ଅଫିସରେ ପହଞ୍ଚିଥିଲା। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଏକ ପ୍ରତିନିଧି ଦଳ RDC ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
