ବରିଷ୍ଠ ସାମ୍ବାଦିକ ଅରୁଣ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଉଦଳା ପ୍ରେସ କ୍ଲବ ଦ୍ବାରା ଶ୍ରଦ୍ଧାଞ୍ଜଳି

ଉଦଳା , ତା୧୦/୧୦/୨୫:- ମୟୁରଭଞ୍ଜ ଜିଲ୍ଲାର ତଥା ଉଦଳାର ଜଣାଶୁଣା ଦକ୍ଷ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ମହାନ୍ତି (ଲିଲୁ)ଙ୍କଉଦ୍ଦେଶ୍ୟରେ ଆଜି ଉଦଳା ପ୍ରେସ କ୍ଳବ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଳବର ସଭାପତି ଆନନ୍ଦ ଦାସଙ୍କ ସଭାପତିତ୍ବରେ ଦୁଇ ମିନିଟ ନିରବ ପ୍ରାର୍ଥନା ପୁର୍ବକ ସ୍ମୃତିଚାରଣ କରାଯାଇଥିଲା। ସମ୍ପାଦକ ଜଗବନ୍ଧୁ ପ୍ରଧାନ ଅରୁଣ ମହାନ୍ତିଙ୍କ ସାମ୍ବାଦିକ ବୃତ୍ତି ଓ ଉଦଳା ପ୍ରେସ କ୍ଳବ ଗଠନ ରେ ଭୂମିକା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଉପସଭାପତି ହିମାଦ୍ରୀ ଶେଖର ପାଲ,ଆପଦ ରାଉତ ଓ ସୁବ୍ରତ ମହାନ୍ତି ଅରୁଣ ବାବୁଙ୍କ ବ୍ୟକ୍ତିତ୍ବ ଓ ସ୍ବାଭିମାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଆଜି ମେଣ୍ଢାଖାଇ ବାସଭବନରେ ଶେଷ ଦର୍ଶନ ପାଇଁ ଉଦଳା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ରାଜନେତା, ସମାଜସେବୀ, ଆଇନଜୀବି,ସାମ୍ବାଦିକ ଅମର ଆତ୍ମାର ସଦଗତି କାମନା କରିଥିଲେ । ଅରୁଣ ମହାନ୍ତିଙ୍କ ମରଶରୀରକୁ ବାସଭବନରୁ ରାହାସ ପଡ଼ିଆ ଦେଇ ମେଣ୍ଢାଖାଇ, କୃଷକ ବଜାର ଚକାଡୋଳା ଛକ, ମୁଖ୍ୟ ସହର ଓ କଚେରୀ ପରିସର ଏବଂ ହାଇସ୍କୁଲ ଛକ ଦେଇ ୪ନଂ ରାସ୍ତାରେ ଶ୍ମଶାନ କାଳୀ ମନ୍ଦିର ନିକଟସ୍ଥ ମଶାଣୀରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ଉଦଳା ବିଧାୟକ ଭାସ୍କର ମଢେଇ ଦୁଃଖ ପ୍ରକାଶ କରିବା ସହିତ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ,ନଗରପାଳ ପ୍ରମିଳା ପଣ୍ଡା, ବିଜେଡି ଜିଲ୍ଲା ସଭାପତି ଦେବାଶିଷ ମାରାଣ୍ଡି, କଂଗ୍ରେସ ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଶ୍ବାଳ, ବିଜେପି ଜିଲ୍ଲା ସଭାପତି ନିହାର ମୋଦୀ ଉଦଳା ବାର ଅସସିଏସନର ସଭାପତି ଲମ୍ବୋଧର ବେହେରା,ସମ୍ପାଦକ ବସନ୍ତ ପରିଡା, ଉପଖଣ୍ଡ ସଙ୍ଘର ରଜତ ମହାପାତ୍ର, ରତିକାନୁ ବେହେରା ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ।

ପ୍ରତିଷ୍ଠିତ ଖବର କାଗଜ ସମାଜର ଉଦଳା ପ୍ରତିନିଧୂ ଭାବେ ୨୦୦୪ମସିହାରୁ ନିଜର ସାମ୍ବାଦିକତାର କଲମ ଚାଳନା କରିଆସୁଥିଲେ । ପ୍ରକୃତି ସମ୍ବନ୍ଧୀୟ, ସମାଜିକ ସମସ୍ୟା,ସ୍ଥାନୀୟ ସମସ୍ୟା, , ମାନବୀୟ ସମ୍ବେଦନଶୀଳ ସମ୍ବନ୍ଧୀୟ ଲେଖା ବିଶେଷ କରି ଶିମିଳିପାଳ ସୁରକ୍ଷା ସମ୍ପର୍କିତ ଆଲେଖ୍ୟ ପାଇଁ ବେଶ ଚର୍ଚ୍ଚାର ବ୍ୟକ୍ତିତ୍ୱ ସାଜିଥିଲେ । ପ୍ରଜାତନ୍ତରୁ ନିଜର ସାମ୍ବାଦିକତା ରେ ବୃତ୍ତଗତ କାର୍ଯ୍ୟ ଆରମ୍ଭ କରି ଉଦଳା ଅଞ୍ଚଳରେ ବେଶ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ଜଣେ ସ୍ବଚ୍ଛ, ସ୍ବାଭିମାନି, ଦୂରଦର୍ଶୀ,ମିଷ୍ଟଭାଷୀ ଓ ଧାର୍ମିକ ବ୍ୟକ୍ତି ଭାବେ ସବୁରି ପ୍ରିୟ ହୋଇପାରିଥିଲେ । ନିଜର କଲମ ଚାଳନାରେ ସିଦ୍ଧହସ୍ତ ଅରୁଣ ବାବୁ ପ୍ରଶାସନ ଠାରୁ ପୋଲିସ ଓ ରାଜନୈତିକ ସ୍ମରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଉଦଳା ସାମ୍ବାଦିକଙ୍କ ମଧ୍ୟରେ ସର୍ବଚ୍ଚ ବ୍ୟକ୍ତିତ୍ଵ ରହିଥ‌ିବା ବେଳେ ଉଦଳା ପ୍ରେସ କ୍ଲବର ସଭାପତି ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ । ତାଙ୍କ ବିୟୋଗରେ ଉଦଳା ଅଞ୍ଚଳରେ ତଥା ମୟୁରଭଞ୍ଜ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ଅରୁଣ ମହାନ୍ତିଙ୍କ ଦୁଇ ଝିଅ ଓ ଜ୍ବାଇଁ ଉପସ୍ଥିତ ଥ‌ିବା ବେଳେ ବଡ଼ ଭାଇ ଅଶୋକ ମହାନ୍ତି ଓ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି । ସାନଭାଇ ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *