ପ୍ରଧାନମନ୍ତ୍ରୀଙ୍କ ନୂତନ କୃଷି ପଦକ୍ଷେପ ଶୁଭାରମ୍ଭର ସିଧା ପ୍ରସାରଣ
କଟକ, ୧୧.୧୦.୨୦୨୫: ଆଇସିଏଆର-କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ (ସିଆରଆରଆଇ), କଟକଠାରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦୁଇଟି ଐତିହାସିକ କୃଷି ପଦକ୍ଷେପ ‘ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା’ ଏବଂ ‘ଡାଲିଜାତୀୟ ଫସଲରେ ଆତ୍ମନିର୍ଭରଶୀଳତା ମିଶନ’ର ସିଧାପ୍ରସାରଣ ଆୟୋଜିତ ହୋଇଥିଲା। ଏହି ଅବସରରେ, କଟକ ଓ ଖୋର୍ଦ୍ଧା ଜିଲ୍ଲାର ଅନୁସୂଚିତ ଜାତି ଉପ-ଯୋଜନା (ଏସସିଏସପି) ଅଧୀନ ଗ୍ରାମଗୁଡ଼ିକରୁ ମୋଟ ୪୬୫ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୨୪୯ ପୁରୁଷ ଏବଂ ୨୧୬ ମହିଳା ଚାଷୀ ଥିଲେ। ସମସ୍ତେ ଆଇସିଏଆର-ସିଆରଆରଆଇ କ୍ୟାମ୍ପସ୍ର ଏମକେସିିଜି ଅଡିଟୋରିୟମ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍ସାହିତ ଭାବରେ ଅଂଶଗ୍ରହଣ କରିଥିଲେ।ପ୍ରଧାନମନ୍ତ୍ରୀଙ୍କ, ଏହି ନୂତନ ପଦକ୍ଷେପଗୁଡ଼ିକ ଭାରତର କୃଷିକୁ ଆଧୁନିକ ଓ ଆତ୍ମନିର୍ଭର ମାର୍ଗରେ ନେବାକୁ ଲକ୍ଷ୍ୟ ରଖିଛି। ଏହି ଯୋଜନାଗୁଡ଼ିକ ମାଧ୍ୟମରେ ଫସଲ ଉତ୍ପାଦନ ବୃଦ୍ଧି, ଜଳସେଚନ ସୁବିଧା ବିସ୍ତାର, ସ୍ୱଳ୍ପ ଓ ଦୀର୍ଘକାଳୀନ କୃଷି ଋଣର ସହଜ ଉପଲବ୍ଧତା, ଏବଂ ଘରୋଇ ଉତ୍ପାଦନ ବଢ଼ାଇ ଆମଦାନୀ ନିର୍ଭରତା କମେଇବାକୁ ଉଦ୍ଦେଶ୍ୟ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୪୨,୦୦୦ କୋଟି ଟଙ୍କା ମୂଲ୍ୟର ୧,୧୦୦ରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ, ଯାହା ଦେଶର କୃଷି ଅବସ୍ଥାପନାରେ ଏକ ବୃହତ୍ ପଦକ୍ଷେପ ଭାବେ ଉଲ୍ଲେଖନୀୟ ଅବଦାନ।ସିଧା ପ୍ରସାରଣ ସମୟରେ ପ୍ରଧାନମନ୍ତ୍ରୀ, ପ୍ରାକୃତିକ କୃଷି କରୁଥିବା ପ୍ରଗତିଶୀଳ ଚାଷୀଙ୍କ ସହ ଆଲୋଚନା କରିଥିଲେ। ସେ ଚାଷୀ, କୃଷି ସମବାୟ ସଂସ୍ଥା ଓ ଏଫପିଓ ମାନଙ୍କ ଅବଦାନକୁ ଉଚିତ ସମ୍ମାନ ଦେଇ, ଦେଶର ଆହାର ସୁରକ୍ଷା ଓ ଆତ୍ମନିର୍ଭର ଲକ୍ଷ୍ୟ ପ୍ରତି ସେମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ଅନୁଷ୍ଠାନ ସମୟରେ ଆଇସିଏଆର-ସିଆରଆରଆଇ ର ବୈଜ୍ଞାନିକମାନେ ମଧ୍ୟ ଚାଷୀମାନଙ୍କ ସହ ଆଲୋଚନା କରି, ଧାନ ଚାଷ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଓ ସମାଧାନ ବିଷୟରେ ଚର୍ଚ୍ଚା କରିଥିଲେ।ଏହି କାର୍ଯ୍ୟକ୍ରମ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜନ୍ମବାର୍ଷିକୀ ଏବଂ ରବି ବୁଣା ଋତୁର ଆରମ୍ଭ ସହିତ ସମନ୍ୱିତ ହୋଇଥିଲା, ଯାହା କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଖାଦ୍ୟ ଏବଂ ପୁଷ୍ଟି ସୁରକ୍ଷାରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ଏକ ନୂତନ ପ୍ରତିବଦ୍ଧତାର ପ୍ରତୀକ ଥିଲା। ଅନୁଷ୍ଠାନର ବୈଜ୍ଞାନିକମାନେ କୃଷକମାନଙ୍କ ସହିତ ପାରସ୍ପରିକ ଆଲୋଚନା କରି, ଧାନ ଚାଷ ସମ୍ବଧିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । କଟକର ଆଇସିଏଆର-ସିଆରଆରଆଇ ରେ ଆୟୋଜିତ ଏହି ସିଧାପ୍ରସାରଣ କାର୍ଯ୍ୟକ୍ରମ କୃଷକମାନଙ୍କ ପାଇଁ ଏକ ପ୍ରେରଣାଦାୟକ ମଞ୍ଚ ସାଜିଥିଲା, ଯେଉଁଠି ସେମାନେ ଏକ ସମୃଦ୍ଧ, ସ୍ଥାୟୀ ଓ ଆତ୍ମନିର୍ଭର କୃଷି ଭବିଷ୍ୟତ ଭାରତ ସରକାରଙ୍କ ଦୃଷ୍ଟିକୋଣକୁ ନିକଟରୁ ଅନୁଭବ କରିଥିଲେ।
