ବ୍ରହ୍ମପୁରରେ କମିଶନରେଟ ପୋଲିସ ବ୍ୟବସ୍ଥା କାର୍ଯ୍ୟକାରୀତାରେ ବିଳମ୍ବ କାହା ସ୍ବାର୍ଥରେ ?- ସଞ୍ଜୀବ ପଟ୍ଟନାୟକ
ବ୍ରହ୍ମପୁର — କ୍ରମବର୍ଦ୍ଧିଷ୍ଟ୍ନୁ ଚୋରି , ଡକାୟତି , ରାହାଜାନୀ ତଥା ହତ୍ୟା ଭଳି ଅପରାଧିକ ତଥା ବିଭିନ୍ନ ପ୍ରକାର ମାଫିଆରାଜ ସେ ବାଲି ଗୋଡ଼ି ହେଉ କିମ୍ୱା ପଥର,ମୋରମ, ଗ୍ରାନାଇଟ ଭଳି ବିଭିନ୍ନ ମୂଲ୍ୟବାନ ଲଘୁ ଖଣିଜ ଦ୍ରବ୍ଯ ତଥା ରିଅଲ ଇଷ୍ଟେଟ ଓ ମାଦକ ଦ୍ରବ୍ୟ ବ୍ୟାପାର ହେଉ ଏ ସବୁକୁ ନେଇ ଗଞ୍ଜାମ ତଥା ବ୍ରହ୍ମପୁର ପୋଲିସ ଜିଲ୍ଲାରେ କ୍ରାଇମ ଅହେତୁକ ଭାବରେ ବଢି ଚାଲିଚି। ବେକାରୀ, ବେରୋଜଗାର ଏଵଂ ବିନା ପରିଶ୍ରମରେ ଓ ସ୍ଵଳ୍ପ ସମୟାରେ ରାତାରାତି ଧନୀ ହେବାର ସ୍ଵପ୍ନ, ଲୋଭ ଓ ଅଭିଳାଷ ଯୁବ ପିଢ଼ିକୁ ଅପରାଧ ପ୍ରତି ଆକର୍ଷଣ ଓ ଅପରାଧୀ ମୁହାଁ କରିବା କାରଣରୁ ଗଞ୍ଜାମ ତଥା ବ୍ରହ୍ମପୁରକୁ ବର୍ତ୍ତମାନ କ୍ରାଇମ କ୍ୟାପିଟାଲ ରୂପେ ପରିଚୟ ଓ ଅପଖ୍ୟାତି ଆଣିଦେଇଛି। ସେଥିରେ ପୁଣି ରାଜନୀତି ଓ ରାଜନୈତିକ ବ୍ୟକ୍ତିଙ୍କ ଏଣ୍ଟ୍ରି ଯୋଗୁଁ ଅପରାଧ ଓ ମାଫିଆରାଜ ଉଦବେଗଜନକ ଭାବେ ବୃଦ୍ଧି ପାଇଛି ଯାହା ଚିନ୍ତାଜନକ ବିଷୟ ଅଟେ। ଅପରାଧରେ ରାଜନୀତିକରଣ ତଥା ରାଜନୀତିରେ ଅପରଧିକରଣ ଯୋଗୁଁ ଅପରାଧିମାନେ ଯେଉଁଭଳି ଭାବେ ଅପରାଧ ଘଟେଇବା ପାଇଁ ନୂଆଁ ନୂଆଁ ଅତ୍ୟାଧୁନିକ ମାର୍ଗ ନିର୍ଭୟରେ ଆପଣେଉ ଛନ୍ତି ତାହାକୁ ମୁକାବିଲା ଓ ନିୟନ୍ତ୍ରଣ କରିବା ନିମନ୍ତେ ଅଧୁନା ପୋଲିସ ବ୍ୟବସ୍ଥା ସକ୍ଷମ ହୋଇ ପାରୁ ନାହିଁ। ଏହି ଅପରାଧିକ ଧାରାକୁ ରୋକିବା ନିମନ୍ତେ ବ୍ରହ୍ମପୁରରେ କମିଶନରେଟ ପୋଲିସ ବ୍ୟବସ୍ଥା ଲାଗୁ କରିବାର ପ୍ରକୁଷ୍ଟ ସମୟ ଆସି ଯାଇଛି। ବହୁ ବିଳମ୍ବ ହୋଇସାରିଲାଣି ଆଉ ଅଧିକ ବିଳମ୍ବ ଜନସାଧାରଣଙ୍କ ଜୀବନକୁ ବିପନ୍ନ କରିବ। ଅଧିକନ୍ତୁ ଦୀର୍ଘ ୧୨ ବର୍ଷ ତଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁରରେ ପୋଲିସ କମିଶନରେଟ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା ସାକାର ରୁପ ନେଇ ପାରିଲା ନାହିଁ। ଏବେ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର କ୍ଷମତାରେ ନାହିଁ। ବର୍ତ୍ତମାନ ମୋହନ ମାଝିଙ୍କ ନେତୃତ୍ବରେ ବିଜେପି ସରକାର କ୍ଷମତାରେ ଅଛି । ତଥାପି ବ୍ରହ୍ମପୁରରେ କମିଶନରେଟ ପୋଲିସ ବ୍ୟବସ୍ଥା କାର୍ଯ୍ୟକାରିତା ଯେଉଁ ତିମିରେକୁ ସେହି ତିମିରରେ ପଡ଼ି ରହିଛି। ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି ବରଂ ଘୋଷଣାର ଏକ ଦଶନ୍ଧି ପରେ ମଧ୍ୟ ସେ ସରକାରୀ ହେଉ କି ପ୍ରାଶାସନିକ ହେଉ କୌଣସି ସ୍ତରରେ ମଧ୍ୟ ଏହାର କାର୍ଯ୍ୟକାରିତା ନେଇ ସୁଚନା କିମ୍ୱା ତତ୍ପରତା ପ୍ରକାଶ ପାଉ ନାହଁ।୨୦୦୮ ମସିହାରେ ଭୁବନେଶ୍ୱର ଓ କଟକ ଏହି ଦୌତ୍ୱ ନଗରୀକୁ ନେଇ ଓଡ଼ିଶା ଅର୍ବାନ ପୋଲିସ ଏକ୍ଟ – ୨୦୦୩ ଅଧିନିୟମ ଅନୁଯାୟୀ କମିଶନରେଟ ପୋଲିସ ବ୍ୟବସ୍ଥା କାର୍ଯ୍ୟକାରି ହୋଇଥିଲା। ତାହାପରେ ଆଉ କେଉଁଠି ଏହି ବ୍ୟବସ୍ଥାକୁ ପ୍ରୟୋଗ କରାଯାଇ ନାହିଁ। ବ୍ରହ୍ମପୁରରେ ପୋଲିସ କମିଶନରେଟ ବ୍ୟବସ୍ଥା ଲାଗୁ ହେଲେ ଏଠାରେ ଜଣେ ପୋଲିସ କମିଶନର ନିଯୁକ୍ତି ପାଇବେ ଯିଏକି ଉଭୟ ଆଇନ ଶୃଙ୍ଖଳା ସହ ମାଜିଷ୍ଟ୍ରେଟ କ୍ଷମତା ପାଇବେ ଏଵଂ ସିଧାସଳଖ ପୋଲିସ ମହାନିର୍ଦ୍ଦେଶକ ଓ ରଜ୍ୟ ସରକାରଙ୍କ ନିକଟର ଉତ୍ତରଦାୟୀ ରହିବେ। ତାଙ୍କୁ ସାହାଯ୍ୟ କରିବା ନିମନ୍ତେ ଦୁଇ ଜଣ ଅତିରିକ୍ତ ପୋଲିସ କମିଶନର , ଡିସିପି ଓ ଅନେକ ଏସିପି ନିଯୁକ୍ତି ପାଇବେ। ଏତଦବ୍ୟତୀତ ଆବଶ୍ୟକତା ଅନୁଯାୟୀ ଅନେକ ଇନ୍ସପେକ୍ଟର, ଏସଆଇ, ଏଏସଆଇ ଓ କନେଷ୍ଟବଳ ନିଯୁକ୍ତି ପାଇବେ। ସେହିପରି ଅତର୍କିତ ଆଇନ ଶୃଙ୍ଖଳା ରକ୍ଷା ପାଇଁ ରିଜର୍ଭ ଓ ସ୍ତ୍ରାଇକିଙ୍ଗ ଫୋର୍ସ କମିଶନରେଟ ପୋଲିସ ନିକଟରେ ମହଜୁଦ ରହିବେ। ବିଭିନ୍ନ ଅଞ୍ଚଳକୁ ଅପରାଧିକ ଜୋନ ଓ ଉପଖଣ୍ଡ ହିସାବରେ ବିଭକ୍ତ କରାଯାଇ ଜଣେ ଜଣେ ଏସିପି ଦାୟିତ୍ୱରେ ରହିବେ। ତତ୍ ସହିତ ମଡର୍ନ ପୋଲିସ କଣ୍ଟ୍ରୋଲ ରୁମ୍, ସମନିତ୍ଵ ସିସି ଟିଭି ସର୍ଭେଲାନ୍ସ ଏଵଂ କମ୍ୟୁନିଟି ଓ ମୋ ପୋଲିସ ବ୍ୟବସ୍ଥା କାର୍ଯ୍ୟକାରି ହେଇ ପାରିବ ଯାହା ଫଳରେ ଅପରାଧ ଓ ମାଫିଆ ରାଜ ଦମନ ଖୁବ୍ ସନ୍ତର୍ପଣର ସହ କରାଯାଇ ପାରିବ। ସେହିପରି ଟ୍ରାଫିକ, ଅର୍ଥନୈତିକ ଓ ସାଇବର ଅପରାଧ ନିୟନ୍ତ୍ରଣ ନିମନ୍ତେ ସ୍ବତନ୍ତ୍ର ୟୁନିଟ ରହିବ। ଜନସଂଖ୍ୟା, ଆୟତନ ଓ ଅପରାଧିକ କାର୍ଯ୍ୟକଳାପ ପରିସଂଖ୍ୟାନକୁ ହିସାବକୁ ନେଇ ବ୍ରହ୍ମପୁର , ଛତ୍ରପୁର, ହିଞ୍ଜିଳିକାଟୁ, ଆସିକା, ଦିଗପହଣ୍ଡି ଓ ଚିକିଟିକୁ ନେଇ ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବରେ କମିଶନରେଟ ପୋଲିସ ବ୍ୟବସ୍ଥା କାର୍ଯ୍ୟକାରି କରାଯାଉ ବୋଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଇମେଲ୍ ମାଧ୍ୟମରେ ଚିଠି ଲେଖି ନିବେଦନ କରିଛନ୍ତି। ଅନ୍ୟଥା ଏହାର କାର୍ଯ୍ୟକାରିତାରେ ଅହେତୁକ ବିଳମ୍ବ ବିଜେପିକୁ ସରକାର ବନେଇବାରେ ମୂଳଦୁଆ ପକେଇ ସାହାଯ୍ୟ କରିଥିବା ଗଞ୍ଜାମ ଜିଲ୍ଲା ଅପରାଧ ଓ ଆଇନ ଶୃଙ୍ଖଳା ନିମନ୍ତେ ସରକାରଙ୍କ ଛବି ମଳିନ କରି ସରକାରଙ୍କ ବିରୁଦ୍ଧରେ ଜନ ଅସନ୍ତୋଷ ସୃଷ୍ଟି କରିବ ବୋଲି ସେ ସରକାରଙ୍କୁ ସତର୍କ କରେଇ ଦେଇଛନ୍ତି।ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ,ବ୍ରହ୍ମପୁର ।
