କିଏ ଉଚ୍ଚ କିଏ ନୀଚ୍ଚ
କିଏ ଉଚ୍ଚ କିଏ ନୀଚ୍ଚ
( ରାଗ — ଭଙ୍କରାଭରଣ )
🔹କବିରତ୍ନ ନୂତନ କୁମାର ବେହେରା
ସ୍ଵଚ୍ଛ ମନେ ଭାବ କିଏ’ ଉଚ୍ଚ କି’ଏ’ ନୀଚ୍ଚ’
ସବୁରି ପାଇଁ ତ ଏଠି’ ଏକ ର’ଙ୍ଗ’ମଞ୍ଚ’,
କିଏ’ ନାଚେ କେଉଁ’ ନାଚ’
ଦେଖି ଶୁଣି ବୁଝ ଛନ୍ଦ’ ତାନ ତା’ର’ ପାଞ୍ଚ’।
କିଏ ଧନୀ ମାନୀ ଜ୍ଞାନୀ ବୋଲି ହୁଏ ଖୁସି
କିଏ ଗରିବ ବିଚରା ହୋଇ ଭାବେ ବସି,
ହୃଦେ ଭେଦାଭେଦ ରଖି
ବିଚାର କରଇ ମନେ ମେଲି ତାର ଆଖି।
କିଏ କରେ ଗର୍ବ ଅହଙ୍କାର ମହାଦମ୍ଭେ
ଜୀବନର ଯାତ୍ରା ତାର ଭବରେ ଆରମ୍ଭେ,
ବାଟ ବାଛି ଚାଲେ ବେଗେ
ଦେଖେନାହିଁ କେଉଁ ବାଧା ବିଘ୍ନ ଅଛି ଆଗେ ?
କିଏ ପାଞ୍ଚି ବୁଦ୍ଧି ଯାଏ ତାର ଠିକଣାରେ
ଏକ ଲକ୍ଷ୍ୟ ରଖି ଚାଲେ ତା’ ଚଲା ବାଟରେ,
ଦେଖି ଖାଲ ଖମା କଣ୍ଟା
ପାଦ କରି ଦୃଢ଼ ଚାଲେ ସଳଖାଇ ଅଣ୍ଟା।
ଉଚ୍ଚ ନୀଚ୍ଚ ଭାବ ଆଣି ମନେ ଏ ମଣିଷ
ତୁଚ୍ଛ ବିଚାରର ସ୍ଵାର୍ଥେ ହୁଅଇ ଯେ ବଶ,
କର୍ମ ନେଇ ପାଏ ଫଳ
ଦୁଃଖେ ପାଏ ଯେବେ କଷ୍ଟ ହୁଅଇ ବିକଳ।
ଉଚ୍ଚ ନୀଚ୍ଚ ଭାବ ରଖି ହେଲେ ବାଟବଣା
ବିଚାର ବିଗିଡ଼େ ରହେ ନାହିଁ ବୁଝାମଣା,
ହଜେ ବିଶ୍ଵାସ ଭରସା
ଭ୍ରମେ ଭ୍ରମି ଭ୍ରମି ଏକା ଭୋଗଇ ଦୁର୍ଦ୍ଦଶା।
ଚିନ୍ତେ ଯେ ସବୁରି ପ୍ରାଣ ମଧ୍ୟେ ଏକ ଆତ୍ମା
ବୁଝେ ସେ ପରମାତ୍ମାଙ୍କ ଅପାର ମହିମା,
ଭାବେ ରଖି ସମଦୃଷ୍ଟି
ଅନୁଭବ କରେ ହୃଦେ ଅନୁପମ ସୃଷ୍ଟି।
ଜୀବ ତା’ ଜୀବନେ ରଖି ଉଚ୍ଚ ନୀଚ୍ଚ ଭେଦ
ହରାଇ ଦିଅଇ ତାର ପରମ ଆନନ୍ଦ,
ସଂସାରେ ହୋଇ ବିମୁଖ
ସୁଖ ଖୋଜି ଖୋଜି ଖାଲି ପାଉଥାଏ ଦୁଃଖ।
ସମତା ଆଣି ମନରେ କରେ ଯେ ବିଚାର
ସବୁ ଘଟେ ଦେଖେ ସିଏ ଏକୋଇ ଈଶ୍ଵର,
ସେଇ ତା’ ଭକ୍ତିର ଶକ୍ତି
ସେବାରେ ଅରଜି ପୁଣ୍ୟ ପାଇଥାଏ ମୁକ୍ତି।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
କୋହି,ବାରିପଦା,ମୟୂରଭଞ୍ଜ।
