ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପ୍ରକଳ୍ପ ସାଂସ୍କୃତିକ ଏବଂ ବୈଷୟିକ ସବ କମିଟିର ଯୁଗ୍ମ ବୈଠକ ଅନୁଷ୍ଠିତ

ପୁରୀ ନିଳାଦ୍ରୀ ଭକ୍ତନିବାସ ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପ୍ରକଳ୍ପ ସାଂସ୍କୃତିକ ଏବଂ ବୈଷୟିକ ସବ କମିଟିର ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥ ଧାମ୍ କୁ ଏକ ଶ୍ରେଷ୍ଠ ଧାର୍ମିକ ଏବଂ ସାଂସ୍କୃତିକ ସ୍ଥଳରେ ପରିଣତ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ବିଭିନ୍ନ ପ୍ରକଳ୍ପକୁ ନେଇ ସାଂସ୍କୃତିକ ଏବଂ ବୈଷୟିକ ଦିଗ ଉପରେ ଆଲୋଚନା ହୋଇଛି । ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ଓ ଶ୍ରୀମାର୍ଗର ଉନ୍ନତିକରଣ କାର୍ଯ୍ୟ ଓବିସିସି ଦ୍ବାରା କରାଯିବ। ଶ୍ରୀଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟରର ରକ୍ଷଣାବେକ୍ଷଣ, ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ, ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ନିର୍ମାଣ, ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ, ଶ୍ରୀମନ୍ଦିର ସାଂସ୍କୃତିକ କେନ୍ଦ୍ର ଓ ରଘୁନନ୍ଦନ ପାଠାଗାର ନିର୍ମାଣ, ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟ ନିର୍ମାଣ, ଶ୍ରୀମନ୍ଦିର ସେବକ ବାସଗୃହ ପ୍ରକଳ୍ପ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ଓ ଏହାର ରକ୍ଷଣାବେକ୍ଷଣ, ବଡ଼ଦାଣ୍ଡ ଉନ୍ନତିକରଣ, ଶ୍ରୀମନ୍ଦିର ୭୫ ମିଟର ଜୋନ୍ ବାହାରେ ଅନ୍ନ କ୍ଷେତ୍ର ନିର୍ମାଣ, ଶ୍ରୀମନ୍ଦିର ହୋମଯଜ୍ଞ ପ୍ରକଳ୍ପ, ଶ୍ରୀମନ୍ଦିର ନାମଯଜ୍ଞ ପ୍ରକଳ୍ପ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବୈଠକରେ ମଧ୍ୟ ଆଲୋଚନା ହୋଇଛି । ଆସନ୍ତା ଡ଼ିସେମ୍ବର ଶେଷ ସୁଦ୍ଧା ସରିବ ଶ୍ରୀଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର କାର୍ଯ୍ୟ। ଆସନ୍ତା ବର୍ଷ ରଥଯାତ୍ରା ପୂର୍ବରୁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବ। ରଥଯାତ୍ରା ପରେ ପ୍ରକଳ୍ପର ଅନ୍ୟ ସମସ୍ତ କାର୍ଯ୍ୟ କରାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରର ସମ୍ମୁଖ ଭାଗ ଉନ୍ନତିକରଣ ହୋଇଥିବାବେଳେ ଏହାର ଚତୁଃପାର୍ଶ୍ଵର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ଦିନରେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ନେଇ ଟିକେଟ ବ୍ୟବସ୍ଥା କରାଯିଵ। ସେବକମାନଙ୍କ ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ମାଟି ତୋଟାରେ ଆଦର୍ଶ ଗୁରୁକୁଳ ନିର୍ମାଣ ହେବ। ଏନେଇ ଥିବା ଜମିଜମା ବିବାଦର ସମାଧାନ ଜିଲ୍ଲାପାଳ କରିବେ। ଶ୍ରୀମନ୍ଦିର ଆଲୋକୀକରଣ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଏସଆଇ ସହିତ ଆଲୋଚନା କରାଯାଇ ମୁଖ୍ୟ ମନ୍ଦିରକୁ ଛାଡ଼ି ମେଘନାଦ ପାଚେରୀ ଏବଂ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିରକୁ ଆଲୋକୀକରଣ କରାଯିବ। ଶ୍ରୀମନ୍ଦିର ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରାଯିବାକୁ ଥିବାବେଳେ ଏନେଇ ଟେଣ୍ଡର ପ୍ରକ୍ରିୟା ସରିଛି। ଶ୍ରୀମନ୍ଦିର ଭିତରେ ଥିବା ସମସ୍ତ ଲୁହା ବ୍ୟାରିକେଡ଼ ଗୁଡ଼ିକ ଅପସାରଣ କରାଯାଇ ପିତ୍ତଳ ବ୍ୟାରିକେଡ଼ ସ୍ଥାପନା କାର୍ଯ୍ୟ ଜାରି ରହିଛି। ନିଳାଦ୍ରୀ ଭକ୍ତନିବାସ ପଛରେ ଥିବା ସ୍ଥାନରେ ଏକ ନୂଆ ଭକ୍ତନିବାସ ସ୍ଥାପନ ହେବ। ଶ୍ରୀମନ୍ଦିରରେ ଭିତରେ ପଲିଥିନ ବ୍ୟବହାର ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହା ବଦଳରେ ପରିବେଶ ଅନୁକୂଳ ବ୍ୟାଗ ବ୍ୟବହାର କରାଯିବ। ଶ୍ରୀମନ୍ଦିର ଭିତରେ ପୋଲିସ ଏବଂ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତଙ୍କ ପାଇଁ ସମ୍ପୂର୍ଣ୍ଣ ମୋବାଇଲ ବ୍ୟବହାର ନେଇ ଲାଗୁ ହେବ କଟକଣା। ନୀତି ସହିତ ସମ୍ପୃକ୍ତ ଥିବା ସେବାୟତ ମାନେ କେବଳ ଶ୍ରୀମନ୍ଦିର ଭିତରେ ଥିବା ଗାରଦ ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଫୋନ ବ୍ୟବହାର କରିପାରିବେ। ସାର୍ବଜନୀନ ସ୍ଥାନରେ ମୋବାଇଲ ଫୋନ୍ ବ୍ୟବହାର କରିପାରିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।

Leave a Reply

Your email address will not be published. Required fields are marked *