ନୀତି ଆୟୋଗଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ
ନୀତି ଆୟୋଗଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ
ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ବିଭାଗୀୟ ସଚିବମାନଙ୍କ ଉପସ୍ଥିତିରେ ଆଲୋଚନା
ଭୁବନେଶ୍ୱର, ତା-୧୬.୧୦.୨୦୨୫
‘ନୀତି ଆୟୋଗ’ଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବି.ଭି.ଆର ସୁବ୍ରମଣ୍ୟମ ତାଙ୍କର ୨ ଦିନିଆ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଓଡ଼ିଶା ପ୍ରଶସନର ବିଭିନ୍ନ ବିଭାଗର ସଚିବ ତଥା ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ରାଜ୍ୟର ବିକାଶ ସଂପର୍କିତ ଆଲୋଚନା କରିଛନ୍ତି । ଭିଜନ ଡକ୍ୟୁମେଣ୍ଟ- ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ କାର୍ଯ୍ୟକାରୀ କରାଯିବା ପରିପ୍ରେକ୍ଷୀରେ ଏହି ଆଲୋଚନା ଗୁରୁତ୍ୱପୂର୍ଣ୍ଣ ଥିଲା ।
ଆଲୋଚନାରେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁବ୍ରମଣ୍ୟମ ଓଡ଼ିଶାରେ ପ୍ରଶାସନିକ କ୍ଷେତ୍ରରେ ତଥା ରାଜ୍ୟର ବିକାଶ ପାଇଁ ଆବଶ୍ୟକ ଥିବା ତଥ୍ୟଭିତ୍ତିକ ପ୍ରଶାସନିକ ନିଷ୍ପତ୍ତି( ଏଭିଡେନ୍ସ ବେସ୍ଡ ଡିସିସନ ମେକିଂ) ପରିପ୍ରେକ୍ଷୀରେ ତଥ୍ୟ ବିଶ୍ଲେଷଣ(ଡାଟା ଆନାଲିସିସ୍) ସଂପର୍କରେ ବିସ୍ତୃତ ଆଲୋଚନା କରି ଆବଶ୍ୟକ ପରାମର୍ଶ ଦେଇଥିଲେ । ସେହିପରି ଅନୁସୂଚିତ ଜନଜାତି ଓ ଅନୁସୂତିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା । ଜନଜାତିମାନଙ୍କ ଜୀବିକା ନିର୍ବାହ, ବିଶେଷ କରି ସେମାନଙ୍କ ପାଇଁ ଲଘୁ ବନଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଏବଂ ଉଦ୍ୟମିତା ବିକାଶ ପାଇଁ ସୁଯୋଗ ସୃଷ୍ଟି ନିମନ୍ତେ ମତାମତ ପ୍ରକାଶ ପାଇଥିଲା ।
ସେହିପରି ନଗର ଉନ୍ନୟନ ବିଭାଗ ସଂପର୍କିତ ଆଲୋଚନାରେ ଭୁବନେଶ୍ୱର-କଟକ-ପୁରୀ ଅର୍ଥନୈତିକ ଅଂଚଳ ସମେତ ରାଜ୍ୟର ଅନ୍ୟ ଅଂଚଳର ସହରାଞ୍ଚଳ – ଶିଳ୍ପ ଓ ପର୍ଯ୍ୟଟନ କରିଡରର ବିକାଶ ସଂପର୍କିତ ଆଲୋଚନା ହୋଇଥିଲା । ଓଡ଼ିଶାରେ ଦକ୍ଷତା ବିକାଶ କେନ୍ଦ୍ର ଭଳି ଉଚ୍ଚମାନର ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ରହିଛି । ୱାଲ୍ର୍ଡ ସ୍କିଲ ସେଣ୍ଟର ଓ ବିଭିନ୍ନ ଆଇଟିଆଇରେ ଦିଆଯାଉଥିବା ପ୍ରଶିକ୍ଷଣ ବ୍ୟବସ୍ଥାରେ ଆବଶ୍ୟକ ସଂସ୍ଥାଗତ ବିକାଶ କରାଯାଇ ଶିଳ୍ପ ଓ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହେଉଥିବା ଚାହିଦା ମୁତାବକ ଦକ୍ଷ ମାନବ ସମ୍ବଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣକୁ ଅଧିକ ଗୁରୁତ୍ୱ ଦିଆଯିବା ସଂପର୍କରେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମ ସାଥିରେ ଦକ୍ଷତା ବିକାଶକୁ ସାମିଲ କରାଗଲେ ନିଜ ବୃତ୍ତିରେ ଛାତ୍ରଛାତ୍ରୀମାନେ ବିକଳ୍ପ ଚୟନ କରିପାରିବେ ବୋଲି ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ନୀତି ଆୟୋଗ ଓଡ଼ିଶା ସରକାରଙ୍କ ସହିତ ଏ ଦିଗରେ ସମସ୍ତ ପ୍ରକାର ବୈଷୟିକ ସହଯୋଗିତା ପ୍ରଦାନ କରିବା ପାଇଁ ସ୍ୱନାମଧନ୍ୟ ପ୍ରତିଷ୍ଠାନମାନଙ୍କ ସହ ସହବନ୍ଧିତା କରିବାକୁ ପ୍ରଚେଷ୍ଟାରତ ବୋଲି ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ ।
