ଦିଅ ହେ ମଣିଷ ! ଜାଳି
ଦିଅ ହେ ମଣିଷ ! ଜାଳି
ପ୍ରେମାନନ୍ଦ ବେହେରା
ପବିତ୍ର କାର୍ତ୍ତିକ କୃଷ୍ଣ ଅମାବାସ୍ୟା
ହୁଏ ଦିବ୍ୟ ଦେବୀ ପୂଜା
ମହାଲକ୍ଷ୍ମୀ କାଳୀ ମହାନିଶା ମାଆଁ
ମଣ୍ଡପେ ହୁଅନ୍ତି ସଜା ।।
ସତ୍ୟଯୁଗେ ଆସି ପ୍ରଭୁ ରାମଚନ୍ଦ୍ର
ରାବଣ ନିଧନ କରି
ଧର୍ମ ରକ୍ଷା ଅନ୍ତେ ଅଯୋଧ୍ୟା ଫେରିଲେ
ମାତା ସୀତା ସଙ୍ଗେ ଧରି ।।
ଅଯୋଧ୍ୟା ନଗରେ ସର୍ବ ନରନାରୀ
ଆନନ୍ଦେ ହୋଇ ଅଧିର
ପ୍ରଭୁ ଆଗମନେ ଫୁଟାଇଲେ ନାନା
ଆତସବାଜି ସତ୍ତ୍ବର ।।
ଦୈତ୍ୟରାଜ ବଳୀ ଥିଲେ ମହାଦାନୀ
ଦେବତା ପ୍ରମାଦ ଗଣି
କାଳେ ସିଏ ହେବ ସ୍ବର୍ଗ ଅଧିକାରୀ
ମନରେ କଲେ ଭାଳେଣି ।।
ଦେବତା ବଚନ ରଖି ଭଗବାନ
ମାଗିଲେ ତ୍ରିପାଦ ଭୂମି
ତୃତୀୟ ପାଦରେ ବଳୀକୁ ଚାପିଣ
କରିଲେ ପାତାଳଗାମୀ ।।
ବଳୀଙ୍କ ପ୍ରାର୍ଥନା ଶୁଣି ପ୍ରଭୁ ବିଷ୍ଣୁ
କଲେ ଏକ ବରଦାନ
ମର୍ତ୍ତ୍ୟକୁ ଆସିବ କାର୍ତ୍ତିକ ମାସରେ
ଶୁକ୍ଳ ପ୍ରତିପଦା ଦିନ ।।
ଅମାବାସ୍ୟା ଦିନ ମର୍ତ୍ତ୍ୟବାସୀଗଣ
ଆନନ୍ଦେ ଦୀପାଳି ଜାଳି
କିମ୍ବଦନ୍ତୀ କହେ ସେହି ଦିନଠାରୁ
ପାଳିତ ଯେ ଦୀପାବଳି ।।
ଦ୍ୱାପର ଯୁଗରେ କୃଷ୍ଣ ଅବତାରେ
ବଧିଲେ ନରକାସୁର
ଖୁସିରେ ଆଲୋକ ପରବ ପାଳନେ
ସରବେ ହେଲେ ବିଭୋର ।।
ପ୍ରାଚୀନ କଳିଙ୍ଗ ପୁରପଲ୍ଲୀଠାରେ
କୃଷିଭିତ୍ତିକ ପରବ
ଅନଳ ଦେଖିଣ ପତଙ୍ଗ ଧାବନ୍ତି
ବେଗେ ହୋଇ ଉଦବେଗ ।।
ଅସତ୍ୟ ଉପରେ ସତ୍ୟର ବିଜୟ
ଆଲୋକ ପର୍ବ ପ୍ରତୀକ
ଅନ୍ଧକାର ନାଶି ଆଲୋକ ପ୍ରଦାନେ
ଦୀପ୍ତ ହେଉ ମର୍ତ୍ତ୍ୟଲୋକ ।।
ହିଂସା ଅହମିକା ସ୍ବାର୍ଥ ମନୋଭାବ
ଦିଅ ହେ ମଣିଷ ! ଜାଳି
ହେଉ ପ୍ରେମ ମୈତ୍ରୀ ସତ୍ୟ ଶାନ୍ତି ଦୟା
କ୍ଷମା ପୂର୍ଣ୍ଣ ଦୀପାବଳି ।।
ପ୍ରଧାନ ଶିକ୍ଷକ
ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହା
ନି. ପଦ୍ମପୁର, ବରଗଡ଼
ମୁଖ୍ୟ ଉପଦେଷ୍ଟା
ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ
ମୋ. ୯୪୩୮୨୯୨୩୧୩
