ମୁରିବାହାଲ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି–୨୦୨୫’ ହଳଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍ସବମୟ ପରିବେଶରେ ଅନୁଷ୍ଠିତ।
ମୁରିବାହାଲ: ୧୭ ଅକ୍ଟୋବର ୨୦୨୫ (ଶୁକ୍ରବାର) ଦିନ ହଳଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ମୁରିବାହାଲ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି–୨୦୨୫’ ଉତ୍ସାହ ଓ ଉତ୍ସବମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ଉତ୍ସବରେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମାନ ଶାନ୍ତନୁ କୁମାର ପଢ଼ିହାରୀ ମହୋଦୟ ମାଁ ବାଗଦେବୀଙ୍କ ଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ଭୋଇ, ଶ୍ରୀ କାନ୍ତାରାମ ଧରୁଆ, ପ୍ରଧାନଶିକ୍ଷକ ଶ୍ରୀ ଶ୍ରୀମନ୍ତ କୁମାର ନାୟକ, ଶ୍ରୀ ପୁରୁଷୋତ୍ତମ ବାଗ, ଶ୍ରୀ ପଞ୍ଚାନନ ରଣା ଓ ସି.ଆର୍.ସି.ସି ଶ୍ରୀ ପ୍ରିୟଦର୍ଶନ ମୁଗ୍ରୀ ଉପସ୍ଥିତ ଥିଲେ। ସେମାନେ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରି, ଶିଶୁମାନଙ୍କର ଲୁପ୍ତ ଓ ସୁପ୍ତ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ, ଯଥା – ବିତର୍କ, ରଚନା ଲିଖନ, ଚିତ୍ରାଙ୍କନ, କୁଇଜ, ସୃଜନଶୀଳ ଲିଖନ, ବକ୍ତୃତା, ଶୃତଲିଖନ, ପି.ଏମ. ପୋଷଣ ଶିଳ୍ପ ଓ ଚିତ୍ରକଳା, ସଂଗୀତ ଓ ସାଂସ୍କୃତିକ ପ୍ରତିଯୋଗିତାରେ ସମସ୍ତ ବର୍ଗରୁ ପ୍ରାୟ ୩୦୦ ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ତାଙ୍କରୁ ୩୦ ଜଣ ପ୍ରଥମ ସ୍ଥାନ ଅଧିକାର କରି, ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଥିଲେ। ଦିବ୍ୟାଙ୍ଗ ବର୍ଗର ପ୍ରତିଯୋଗୀମାନେ ମଧ୍ୟ ସକ୍ରିୟ ଭାଗ ନେଇ ସ୍ୱୟଂକୁ ପ୍ରତିଷ୍ଠିତ କରିଥିଲେ। ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ହଳଦୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୌମିନୀ ସେଠ୍ ଓ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଶ୍ରୀ ଟୁନାମଣି ମହାନନ୍ଦ ଉପସ୍ଥିତ ଥିଲେ। ଶ୍ରୀମାନ୍ ପଢ଼ିହାରୀ ମହୋଦୟ ସଭାର ସଭାପତିତ୍ଵ କରି, ସମସ୍ତ ପ୍ରତିଯୋଗୀମାନଙ୍କୁ ସୁରଭିର ମହତ୍ତ୍ୱ ବିଷୟରେ ଜଣାଇଥିଲେ। ଅତିଥିବୃନ୍ଦଙ୍କ ଦ୍ଵାରା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ବର୍ଗର ପ୍ରତିଯୋଗୀଙ୍କୁ କୃତିତ୍ୱ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ସୁନାମଧନ୍ୟ କଣ୍ଠଶିଳ୍ପି ଓ ଭାରତୀୟ ସ୍ତରରେ ରେକର୍ଡ ସ୍ଥାପନ କରିଥିବା ନୃତ୍ୟ ପ୍ରଶିକ୍ଷକମାନେ ବିଚାରକ ଥିଲେ, ଯାହା ଏହି ବର୍ଷର କାର୍ଯ୍ୟକ୍ରମକୁ ଆହୁରି ଗୌରବମୟ କରିଥିଲା। ମଞ୍ଚ ପରିଚାଳନା ଶ୍ରୀ ସତ୍ୟ କୁମ୍ଭାର ଓ ଶ୍ରୀ ଲିଲୁମୋହନ ପ୍ରଧାନଙ୍କ ଦ୍ୱାରା କରାଯାଇଥିଲା। କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ସମ୍ପାଦନ କରିବାରେ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ସାଧନ କେନ୍ଦ୍ର ସଂଯୋଜକ ମାନଙ୍କର ସହଯୋଗ ମୁଖ୍ୟ ଥିଲା। ଶେଷରେ, ଶ୍ରୀ ତୋଷ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଓ ସଭାପତି ମହୋଦୟ କାର୍ଯ୍ୟକ୍ରମକୁ ସମାପନ କରିଥିଲେ |
